ଭୁବନେଶ୍ୱର: କ୍ୟାପିଟାଲ ଥାନା ପୁଲିସକୁ ବଡ ସଫଳତା । ବେଆଇନ୍ ଭାବେ ବନ୍ଧୁକ ରଖିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ ବଙ୍ଗା ନାୟକ । ତାଙ୍କ ଘର କେଦାରପଲ୍ଲୀ ବସ୍ତି ନୂଆ ସାହିରେ । ପୁଲିସ ତାଙ୍କ ଠାରୁ ଏକ ବନ୍ଧୁକ ସହ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି । ବଙ୍ଗା ଜଣେ ପେଶାଦାର ଦୁର୍ଦ୍ଦାନ୍ତ ଅପରାଧି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ବଙ୍ଗାଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ମୋଟ ୧୭ଟି ମାମଲା ରହିଛି । କ୍ୟାପିଟାଲ ଥାନାରେ ୧୪ଟି ମାମଲା ରହିଥିଲା ବେଳେ ଚନ୍ଦ୍ରଶେଖରପୁର ଥାନାରେ ୨ଟି ଏବଂ ମଞ୍ଚେଶ୍ୱର ଥାନାରେ ଗୋଟିଏ ମାମଲା ରହିଛି । ଏଭଳି ବ୍ୟବହାର ଯୋଗୁ ତାଙ୍କ ବିରୋଧରେ ପୁଲିସ ପୂର୍ବରୁ ଥରେ ୧୧୦ ମଧ୍ୟ ଜାରି କରିଥିଲା । ଏପରିକି ଥାନାରେ ତାଙ୍କ ବିରୋଧରେ ବିଭିନ୍ନ ମାମଲା ଥିଲେ ମଧ୍ୟ ସେ ହାଜିରା ଦେବାକୁ ଥାନାକୁ ଆସୁ ନ ଥିଲେ ।
ତେଣୁ ତାଙ୍କ ବିରୋଧରେ ବ୍ରିଚ୍ ଅଫ୍ ବଣ୍ଡ ଜାରି କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପୁଲିସ ସୂଚନାମୁତାବକ, ବଙ୍ଗା କ୍ୟାପିଟାଲ ଥାନା ଅଞ୍ଚଳରେ ଏକ ମଦ ଦୋକାନରେ ଗାଳିଗୁଲଜ କରିବା ସହ ଭଙ୍ଗାରୁଜା କରିଥିଲେ । ସେହିପରି ଗତ ରାତିରେ ବାପୁଜୀନଗର ଅଞ୍ଚଳରେ ଗଣ୍ଡଗୋଳ ହୋଇଥିବା ନେଇ କ୍ୟାପିଟାଲ ଥାନା ପୁଲିସକୁ ଖବର ମିଳିଥିଲା । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଜାଣିବାକୁ ପାଇଥିଲା ବଙ୍ଗା ନାମକ ଯୁବକ ବାପୁଜୀନଗର ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଧମକଚମକ ଦେଉଥିଲେ । ନିଜକୁ ଲୋକାଲ ଡନ୍ ପରିଚୟ ଦେଇ ସମ୍ପୃକ ବ୍ୟବସାୟୀଙ୍କୁ ଗାଳିଗୁଲଜ କରିଥିଲେ । ବନ୍ଧୁକ ଦେଖାଇ ଲୋକଙ୍କୁ ଡରାଇବା ସହ ଅଶାନ୍ତିର ବାତାବରଣ ସୃଷ୍ଟି କରିଥିଲେ ।
କ୍ୟାପିଟାଲ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ବଙ୍ଗାଙ୍କୁ ଧରିବାକୁ ଜାଲ ବିଛାଇଥିଲା । ସେ କେଦାରପଲ୍ଲୀ ପ୍ଲାଏ ଓଭର ନିକଟରେ ଛିଡା ହୋଇଥିଲା ବେଳେ ପୁଲିସ ଟିମ୍ ତାଙ୍କ ନିକଟରେ ପହଞ୍ଚି ଥିଲା । ପୁଲିସକୁ ଦେଖି ବଙ୍ଗା ହଡବଡେଇ ଯାଇଥିଲେ । ବଙ୍ଗା ବନ୍ଧୁକ ମୁନରେ ପୁଲିସକୁ ଡରାଇ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ପୁଲିସ ଚାରିପଟୁ ତାଙ୍କୁ ଘେରି ଯାଇଥିଲା । ଯାହା ଫଳରେ ସେ ଖସିବାକୁ ବାଟ ପାଇ ନ ଥିଲେ । ପୁଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି ।