29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଗୁଲଜାର ଓ ରାମଭଦ୍ରାଚାର୍ଯ୍ୟଙ୍କୁ ‘ଜ୍ଞାନପୀଠ’

ଗୁଲଜାର ଓ ରାମଭଦ୍ରାଚାର୍ଯ୍ୟଙ୍କୁ ‘ଜ୍ଞାନପୀଠ’

ନୂଆଦିଲ୍ଲୀ: ନିଜର ଲେଖା, କବିତା, ଗୀତ ସଂରଚନା ଯୋଗୁ ଦେଶ-ବିଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଖ୍ୟାତ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାରଙ୍କୁ ୨୦୨୩ ବର୍ଷ ପାଇଁ ସମ୍ମାନଜନକ ‘ଜ୍ଞାନପୀଠ’ ପୁରସ୍କାରରେ ସମ୍ମାନିତ କରାଯିବ । ସେହିପରି ସଂସ୍କୃତ ବିଦ୍ୱାନ ଜଗତ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ ଚଳିତ ବର୍ଷ ଜ୍ଞାନପୀଠ ସମ୍ମାନ ମିଳିବ । ଜ୍ଞାନପୀଠ ପୁରସ୍କାର ଚୟନ କମିଟି ପକ୍ଷରୁ ଦେଶର ଏହି ଦୁଇ ମହାନ୍ ବ୍ୟକ୍ତିତ୍ୱଙ୍କୁ ଚଳିତ ବର୍ଷ ପାଇଁ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ କରାଯିବା ପାଇଁ ମନୋନୀତ କରାଯାଇଛି । ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ୫୮ତମ ଜ୍ଞାନପୀଠ ପୁରସ୍କାର ଚୟନ କମିଟି ପକ୍ଷରୁ ଶନିବାର ଏସମ୍ପର୍କରେ ଘୋଷଣା କରାଯାଇଛି । ଚୟନ କମିଟି ବୈଠକରେ ଅନ୍ୟତମ ସଦସ୍ୟ ତଥା ଜ୍ଞାନପୀଠ ଟ୍ରଷ୍ଟ ନିର୍ଦ୍ଦେଶକ ମଧୁସୂଦନ ଆନନ୍ଦ ମଧ୍ୟ ଉପସ୍ଥିତ ଥିଲେ । ଗୁଲଜାର ହିନ୍ଦୀ ସିନେମାରେ ଜଣେ ଖ୍ୟାତନାମା ଗୀତିକାର ଭାବେ ବେଶ୍ ଜଣାଶୁଣା ।

ଏତଦ୍‌ବ୍ୟତୀତ ସେ ଉର୍ଦ୍ଦୁ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟ ରହିଛି । ଏହା ପୂର୍ବରୁ ଗତ ୨୦୦୨ ମସିହାରେ ତାଙ୍କର ଏକ ଉର୍ଦ୍ଦୁ ଭାଷା ସାହିତ୍ୟ ସଂରଚନା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ୨୦୧୩ରେ ସେ ଦାଦା ସାହେବ ଫାଲକେ ଆୱାଡ୍‌ର୍ରେ ମଧ୍ୟ ସମ୍ମାନିତ ହୋଇଥିଲେ । ଭାରତ ସରକାର ତାଙ୍କୁ ୨୦୦୪ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିସାରିଛନ୍ତି । ଫିଲ୍ମଜଗତ ପାଇଁ ତାଙ୍କ ଅନନ୍ୟ ସୃଜନଶୀଳତା ପାଇଁ ପାଞ୍ଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିବାରେ ବିରଳ କୃତୀତ୍ୱ ହାସଲ କରିସାରିଛନ୍ତି ଗୁଲଜାର । ସେହିପରି ରାମଭଦ୍ରାଚାର୍ଯ୍ୟ ଜଣେ ପ୍ରସିଦ୍ଧ ସନାତନୀ ଧର୍ମଗୁରୁ ଭାବେ ବେଶ୍ ଜଣାଶୁଣା ।

ସେ ଚିତ୍ରକୋଟରେ ତୁଲସୀ ପୀଠର ପ୍ରତିଷ୍ଠା ମଧ୍ୟ କରିଛନ୍ତି । ଆଧ୍ୟାତ୍ମିକ ଚେତନା ଏବଂ ଧର୍ମ ସମ୍ପର୍କରେ ଜ୍ଞାନ ପ୍ରଦାନ କରୁଥିବା ଏହି ମହାନ୍ ସଂସ୍କୃତ ବିଦ୍ୱାନ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ବେଦ, ଉପନିଷଦ, ଭଗବତ୍ ଗୀତା ଏବଂ ରାମାୟଣ ଭଳି ମହାକାବ୍ୟ ଉପରେ ସଂସ୍କୃତ ଭାଷାରେ ବ୍ୟାଖ୍ୟାତ୍ମକ ରଚନା କରିସାରିଛନ୍ତି । ସଂସ୍କୃତ ଭାଷା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଏବଂ ଯୁଗୋପଯୋଗୀ ସଂରଚନା ପାଇଁ ତାଙ୍କୁ ଚଳିତ ବର୍ଷର ଜ୍ଞାନପୀଠ ସମ୍ମାନ ପ୍ରଦାନ କରାଯିବ । ସମ୍ପ୍ରତି ସେ ରାମାନନ୍ଦାଚାର୍ଯ୍ୟ ସମ୍ପ୍ରଦାୟର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ୨୦୧୫ରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ସାହିତ୍ୟ କ୍ଷେତ୍ରରେ ‘ଜ୍ଞାନପୀଠ’ ସମ୍ମାନକୁ ସର୍ବଶ୍ରେଷ୍ଠ ସମ୍ମାନ ଭାବେ ବିବେଚନା କରାଯାଏ । ୧୯୬୧ରେ ଜ୍ଞାନପୀଠ ଟ୍ରଷ୍ଟ ପକ୍ଷରୁ ଏପରି ଏକ ସମ୍ମାନର ସ୍ଥାପନା କରାଯାଇଥିଲା । ୧୯୬୫ରେ ଦେଶର ପ୍ରଥମ ସାହିତ୍ୟିକ ଭାବେ ମାଲାୟାଲାମ୍ କବି ଜି.ଶଙ୍କର କୁରୂପଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସମ୍ପ୍ରତି ଜ୍ଞାନପୀଠ ପୁରସ୍କାର ବିଜେତାଙ୍କୁୂ ୧୧ ଲକ୍ଷ ଟଙ୍କା ନଗଦ ରାଶି, ବାଗ୍‌ଦେବୀ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଏବଂ ଏକ ପ୍ରଶସ୍ତିପତ୍ର ତଥା ଉତ୍ତରୀୟ ପ୍ରଦାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking