ଭୁବନେଶ୍ୱର: ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜେର ପିଜି ସ୍ପଟ ନାମଲେଖା ପାଇଁ ଗୁରୁବାର ଗାଇଡ଼ଲାଇନ ଜାରି ହୋଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଚେୟାରମ୍ୟାନ, କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଯାଇଛି । ସ୍ପଟ ନାମଲେଖାପାଇଁ ଗୁରୁବାର ସାମ୍ସ ୱେବସାଇଟରେ ବଳକା ସିଟ୍ ତାଲିକା ପ୍ରକାଶପାଇଛି । ତେବେ ସ୍ପଟ ନାମଲେଖା କିପରି ହେବ ସେ ନେଇ ଗାଇଡ଼ଲାଇନ ହୋଇଛି । ଗାଇଡ଼ଲାଇନ ଅନୁସାରେ, ଛାତ୍ରଛାତ୍ରୀ ଆଉଥରେ କମନଆପ୍ଲିକେସନ ଫର୍ମ (ସିଏଏଫ୍) ପକାଇବାକୁ ପଡ଼ିବ ନାହିଁ କିମ୍ବା ଆଉ ଥରେ ବିଷୟ ବାଛିବାକୁ ପଡ଼ିବ ନାହିଁ ।
ଛାତ୍ରଛାତ୍ରୀଙ୍କୁ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ସ୍ପଟ ନାମଲେଖା ସମ୍ପର୍କରେ ସୂଚନା ଦିଆଯିବ । ଯଦି କୌଣସି ଛାତ୍ରଛାତ୍ରୀ ଗୋଟିଏ ଶିକ୍ଷାନୁଷ୍ଠାନରେ ଗୋଟିରୁ ଅଧିକ ବିଷୟ ପାଇଁ ଆବେଦନ କରିଥିବେ, ସେମାନେ ସେତିକି ସଂଖ୍ୟାର ସିଏଏଫ୍ର ଜେରକ୍ସ କପି ସହିତ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡ଼ିବ । ବିଷୟ ଅନୁସାରେ ମନାନୀତ ଛାତ୍ରୀଛାତ୍ରଙ୍କୁ ଇଣ୍ଟିମେସନ ଲେଟର ପଠାଯିବ । ଯଦ ିକୌଣସି ଛାତ୍ରଛାତ୍ରୀ ସ୍ପଟ ନାମଲେଖା ପାଇଁ ମନୋନୀତ ହୋଇଥିବେ, କିନ୍ତୁ ସେଠାରେ ସେ ନାମ ଲେଖାଇବାକୁ ଚାହୁଁ ନ ଥିବେ, ତେବେ ଇଣ୍ଟିମେସନ ଲେଟର ଡାଉନଲୋଡ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତା ୧୦ ତାରିଖରେ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ପାଇଁ ପ୍ରକାଶ ପାଇବ । ଏହାପରେ ୧୧ ରୁ ୧୨ତାରିଖ ସନ୍ଧ୍ୟା ୫ଟାରେ ପିଲାମାନେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟ କରିବେ । ୧୮ ତାରିଖ ଅପରାହ୍ନ ୪ଟାରେ ସ୍ପଟ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ୧୯ ରୁ ୨୦ତାରିଖ ପର୍ଯ୍ୟନ୍ତ ସ୍ପଟ ନାମଲେଖା ଅନୁଷ୍ଠିତ ହେବ ବୋଲି ଉକ୍ତ ଚିଠିରେ ଦର୍ଶାଯାଇଛି ।