34.1 C
Bhubaneswar
Thursday, March 28, 2024
Homeଓଡିଶାପୁଣି ଭିଜିଲାନ୍ସ ଜାଲରେ ୪ ସରକାରୀ ବାବୁ

ପୁଣି ଭିଜିଲାନ୍ସ ଜାଲରେ ୪ ସରକାରୀ ବାବୁ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୪ ସରକାରୀ କର୍ମଚାରୀ । କୋର୍ଟ ସର୍ଚ୍ଚ ୱାରେଣ୍ଟ ବଳରେ ଗୁରୁବାର ସକାଳେ ଇଡକୋ ସହାକାରୀ ପରିଚାଳକ ମନୋଜ କୁମାର ଲେଙ୍କାଙ୍କ ବାସଭବନ ସମେତ ୭ଟିସ୍ଥାନରେ ଚଢ଼ଉ କରଯାଇ ୩.୫୩ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ କରାଯାଇଛି । ଏଥିସହ ଭଦ୍ରକ ସାଳନ୍ଦି ଜଳସେଚନ ବିଭାଗଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ କୁମାର ସେଠୀ ଠିକାଦରଙ୍କ ଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ତାଙ୍କ ଭିଣେଇଙ୍କୁ ଦେବା ବେଳେ ଭିଜିଲାନ୍ସ ହାତରେ ଧରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ସେହିପରି ବଲାଙ୍ଗିର ଜିଲା ପାଟଣାଗଡ଼ ଫରେଷ୍ଟ ରେଞ୍ଜର ଫରେଷ୍ଟ ଗାର୍ଡ ଲକ୍ଷ୍ମୀନାରାୟଣ ସ୍ୱାଇଁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ସହ ତାଙ୍କର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି ।

ଗୁରୁବାର ଅପରାହ୍ନରେ ଏକ ରାଇଲ ମିଲ ବ୍ୟବସାୟ ଓ ପରିଚାଳନା କରିବାକୁ ଅନୁମତି ଦେବା ନେଇ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଜିଲା ଏସିଏସ୍‌ଓ ବିଷ୍ଣୁ ଚରଣ ପରିଡ଼ା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜାନୁଆରୀ ୧ରୁ ସେପ୍ଟେମ୍ବର ୧ ମଧ୍ୟରେ ୧୧୦ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିସାରିଛି । ଏଥିସହ ୧୧୨ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ମଧ୍ୟ ଭିଜିଲାନ୍ସ ଠାବ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଇଡକୋ ସହାକାରୀ ପରିଚାଳକ ମନୋଜ କୁମାର ଲେଙ୍କାଙ୍କ କାର୍ଯ୍ୟାଳୟ ଓ ପୈତୃକ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇ ୩.୫୩ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ କରାଯାଇଛି । ଅଭିଯୁକ୍ତ ମନୋଜ ଆୟର୍ବିଭୂତ ସମ୍ପତ୍ତି ଠୁଳ କରିବା ନେଇ ଅଭିଯୋଗ ଆସିବା ପରେ ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିଲା ।

ଏହି ସର୍ଚ୍ଚ ୱାରେଣ୍ଟ ବଳରେ ଅଭିଯୁକ୍ତ ମନୋଜଙ୍କ ଭୁବନେଶ୍ୱର ରୁପାଲି ଛକସ୍ଥିତ ଇଡକୋ କାର୍ଯ୍ୟାଳୟ, ଭୁବନେଶ୍ୱର କୋରଡକଣ୍ଟାରେ ଏକ ୩ ମହଲା ବିଲ୍ଡିଂ, ପୁରୀ ଗ୍ରାଣ୍ଡ ଏସିଆନ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ପୈତୃକ ବାସଭବନ, କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ବେଲତାଲାରେ ଏକ ୩ ମହଲା ବିଲ୍ଡିଂ, ଭୁବନେଶ୍ୱର ଝାରପଡ଼ାରେ ଏକ ବିଲ୍ଡିଂ ଓ ଉତ୍ତରା ଛକରେ ଥିବା ମାର୍କେଟ କମ୍ପେ୍ଲକ୍ସରେ ଚଢ଼ଉ କରାଯାଇଛି । ଭଦ୍ରକ ସାଳନ୍ଦି ଜଳସେଚନ ବିଭାଗଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ କୁମାର ସେଠୀ କାମ ବିଲ କରିବା ନେଇ ଠିକାଦରମାନଙ୍କ ଠାରୁ ଜୁଲୁମ କରି ଟଙ୍କା ଆଦାୟ କରୁଥିଲେ । ଏ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ପରେ ଶ୍ରୀମନ୍ତ ଭିଜିଲାନ୍ସ ଟାର୍ଗେଟରେ ଆସିଥିଲେ । ଗୁରୁବାର ସକାଳ ସାଢେ ୯ଟା ବେଳେ ଜଣେ ଠିକାଦରଙ୍କ ଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଣୋଇଙ୍କୁ ଦେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ।

ଶ୍ରୀମନ୍ତ ଓ ତାଙ୍କ ଭିଣୋଇ କରୁଣାକର ସେଠୀ ୫ ଲକ୍ଷ ଟଙ୍କା ହିସାବ ଦେଇପାରିନଥିଲେ । ଫଳରେ ଭିଜିଲାନ୍ସ ଉଭୟଙ୍କୁ ଅଟକରଖି ତଦନ୍ତ ଚଳାଇଛି । ଏଥିସହ ଶ୍ରୀମନ୍ତଙ୍କ ଭୁବନେଶ୍ୱର ୟୁନିଟ ୮ ଡେଲଟା କଲୋନୀସ୍ଥିତ ସରକାରୀ ବାସଭବନ, ଭଦ୍ରକ ଟାଉନସ୍ଥିତ ବାସଭବନ ଓ ଭିଣୋଇ କରୁଣାକରଙ୍କ ବାଲେଶ୍ୱର ଖନ୍ତପଡାସ୍ଥିତ ବାସଭବନରେ ଚଢ଼ଉ କରାଯାଇଛି । ଚଢ଼ଉ ସମୟରେ ଭିଜିଲାନ୍ସ ବ୍ୟାଙ୍କ ପାସ୍‌ବୁକ ସମତେ ବେଆଇନ ସମ୍ପତ୍ତିର କାଗଜପତ୍ର ସହ ଟଙ୍କା ଦେବା ନେବା ବେଳେ ବ୍ୟବହୃତ ବାଇକ୍‌କୁ ଜବତ କରିଛି ।

ବଲାଙ୍ଗିର ଜିଲା ପାଟଣାଗଡ଼ ଫରେଷ୍ଟ ରେଞ୍ଜର ଫରେଷ୍ଟ ଗାର୍ଡ ଲକ୍ଷ୍ମୀନାରାୟଣ ସ୍ୱାଇଁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଶ୍ରମିକଙ୍କ ନାମ ପଞ୍ଜୀକରଣ ସହ ବକେୟା ବିଲ ଦେବା ନେଇ ଅଭିଯୋଗକାରୀ ଶ୍ରମିକଙ୍କୁ ଲକ୍ଷ୍ମୀନାରାୟଣ ଲାଞ୍ଚ ମାଗିଥିଲେ । ଅଭିଯୋଗକାରୀ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଗୁରୁବାର ଭିଜିଲାନ୍ସ ଟିମ ଲକ୍ଷ୍ମୀନାରାୟଣଙ୍କୁ ଟାର୍ଗେଟ କରିଥିଲା । ଗୁରୁବାର ଲକ୍ଷ୍ମୀନାରାୟଣ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢ଼ଉ କରି ମାଡ଼ିବସିଥିଲା । ତାଙ୍କ ନିକଟରୁ ୧୬ ହଜାର ଟଙ୍କା ଜବତ କରିବା ସହ ଲକ୍ଷ୍ମୀନାରାୟଣଙ୍କ ବାସଭବନ ସମେତ ଅନ୍ୟ ସ୍ଥାନରେ ଚଢ଼ଉ କରାଯାଉଛି ।

ଜଣେ ବ୍ୟବସାୟୀଙ୍କୁ ରାଇଲ ମିଲ୍ ପରିଚାଳନା ଓ ବ୍ୟବସାୟ କରିବାକୁ ଅନୁମତି ଦେବା ନେଇ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଖୋର୍ଦ୍ଧା ଜିଲା ଏସିଏସ୍‌ଓ ବିଷ୍ଣୁ ଚରଣ ପରିଡ଼ା ।ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ତାଙ୍କୁ ଧରିବା ନେଇ ଭିଜିଲାନ୍ସ ଜାଲ ବିଛାଇଥିଲା । ଗୁରୁବାର ଅପରାହ୍ନରେ ବିଷ୍ଣୁ ଅଭିଯୋଗକାରୀ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏ ନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ତାଙ୍କ ଭୁବନେଶ୍ୱର ଭୋଇନଗରସ୍ଥିତ ସରକାରୀ ବାସଭବନ ସମେତ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking