ବ୍ୟାଙ୍କକ: ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ଥାଇଲାଣ୍ଡର କ୍ୟାବିନେଟ ମଙ୍ଗଳବାର ଏହାର ସିଭିଲ କୋଡରେ ସଂଶୋଧନକୁ ଅନୁମୋଦନ କରିଛି । ଆସନ୍ତା ମାସରେ ସଂସଦରେ ଏହି ଡ୍ରାଫ୍ଟ ଉପସ୍ଥାପିତ ହେବ ବୋଲି ଆଶା କରାଯାଉଛି । ଡେପୁଟି ସରକାରୀ ମୁଖପାତ୍ର କରୋମ ପୋଲପର୍ନକଲାଙ୍ଗ କହିଛନ୍ତି ନାଗରିକ ତଥା ବାଣିଜ୍ୟିକ ସଂହିତା ସଂଶୋଧନ ଦ୍ୱାରା ସମଲିଙ୍ଗୀ ଦମ୍ପତିଙ୍କ ପାଇଁ ପୁରୁଷ ଏବଂ ସ୍ତ୍ରୀ, ସ୍ୱାମୀ-ସ୍ତ୍ରୀ ଶବ୍ଦ ବ୍ୟକ୍ତି ଏବଂ ବିବାହ ସାଥୀ ଭାବେ ପରିବର୍ତ୍ତନ କରାଯିବ ।
ସେ କହିଛନ୍ତି ଏହା ସମଲିଙ୍ଗୀ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରି ପରିବାର ଗଠନ କରିବାର ଅଧିକାର ଗ୍ୟାରେଣ୍ଟି ଦେବ । ସମଲିଙ୍ଗୀ ଦମ୍ପତିଙ୍କୁ ମଧ୍ୟ ସ୍ୱୀକୃତି ଦେବା ପାଇଁ ପେନସ୍ନ ପାଣ୍ଠି ଆଇନରେ ସଂଶୋଧନ କରାଯିବ ବୋଲି ସେ କହିଛନ୍ତି । ଡିସେମ୍ବର ୧୨ ରେ ସଂସଦରେ ଆଇନର ଡ୍ରାଫ୍ଟ ପ୍ରସ୍ତାବ ଆଗତ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ ଗଣମାଧ୍ୟମକୁ କହିଛନ୍ତି । ସଂସଦର ଅନୁମୋଦନ ଏବଂ ରାଜା ମହା ଭାଜିରାଲୋଙ୍ଗକର୍ନଙ୍କ ସମର୍ଥନ ପରେ ଯଦି ଏହା ଆଇନରେ ପରିଣତ ହୁଏ, ତେବେ ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ତାଇୱାନ ଏବଂ ନେପାଳ ପରେ ଥାଇଲାଣ୍ଡ ଏସିଆରେ ତୃତୀୟ ଦେଶ ହେବ ।