ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ବୁଧବାର ଦିନ ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଏଠାରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ, ନବସୃଜନ, ଦକ୍ଷତା ବିକାଶ ଓ ଗବେଷଣା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଦେଖିଥିଲେ । ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି ଉପସ୍ଥିତ ଥିଲେ I
ପରିଦର୍ଶନ ସମୟରେ ରାଜ୍ୟପାଳ ପାରମ୍ପରିକ ଓ ପ୍ରଯୁକ୍ତିବିଦ୍ୟା ଇଣ୍ଟରଫେସ୍ ଲର୍ଣ୍ଣିଙ୍ଗ ଲ୍ୟାବ ଉଦଘାଟନ କରିଥିଲେ। ଏହା ସହିତ ମହାଭାରତ ଓ ରାମାୟଣ ଉପରେ ଆଧାରିତ ଭିତ୍ତିଚିତ୍ର ଲୋକାର୍ପଣ କରିବା ସହ ଶିଳ୍ପୀମାନଙ୍କ ସହ ଭାବ ବିନିମୟ କରିଥିଲେ।
ଏହା ପରେ ରାଜ୍ୟପାଳ ବାୟୋ-ଏଞ୍ଜାଇମ ଓ ବାୟୋ-ଚାର ୟୁନିଟ, ୱାଇଲ୍ଡ ଅର୍କିଡ ଲ୍ୟାବ, ଟିସ୍ୟୁ କଲଚର ସୁବିଧା ଏବଂ ଇଣ୍ଡଷ୍ଟ୍ରି ୫.୦ – ସେଣ୍ଟର ଫର କ୍ରିଏଟିଭିଟି, କ୍ୟୁରିଓସିଟି ଆଣ୍ଡ କମ୍ପିଟେନ୍ସି ଲ୍ୟାବ ସମେତ ବିଭିନ୍ନ ବିକାଶ କେନ୍ଦ୍ର ପରିଦର୍ଶନ କରିଥିଲେ।
ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ପବ୍ଲିକ୍ ସେକ୍ଟର୍ ବ୍ୟବହାର ପାଇଁ ନିର୍ମିତ କଷ୍ଟମାଇଜ୍ଡ୍ ବୈଦ୍ୟୁତିକ ଯାନ ମଧ୍ୟ ରାଜ୍ୟପାଳ ଦେଖିଥିଲେ।
ପରିଦର୍ଶନ ସମୟରେ ରାଜ୍ୟପାଳ ସ୍ୱଦେଶୀ ପ୍ରଜାତିର ପ୍ରଜାପତି ବିଶ୍ୱବିଦ୍ୟାଳୟର ପ୍ରଜାପତି ଉଦ୍ୟାନରେ ବିଚରଣ ପାଇଁ ଛାଡିଥିଲେ I ଏତତବ୍ୟତୀତ ବିକଶିତ କୋଇ ମାଛ ଯାଆଁଳ ଛାଡିବା ସହିତ ଉଦ୍ଧାର କରାଯାଇଥିବା ପାରାମାନଙ୍କୁ ମୁକ୍ତ ବିହରଣ ନିମନ୍ତେ ଛାଡିଥିଲେ। ଏହା ପରେ ବବଲ ଅକ୍ସିଜେନେସନ ଏରେସନ ସଷ୍ଟେନେବଲ ଟେକ୍ନୋଲୋଜି (ବୋଷ୍ଟ) କାର୍ଯ୍ୟକ୍ରମ ଏବଂ ଉଚ୍ଚ ମୂଲ୍ୟର କୃଷି ପାଇଁ ଆଇଓଟି-ଆଧାରିତ “ଭ୍ୟାଙ୍କ୍ୱିସିଙ୍ଗ୍ ଭ୍ୟାନିଲା ଭାଇନ୍ସ” ଟ୍ରେଲିସ ସିଷ୍ଟମ ମଧ୍ୟ ଦେଖିଥିଲେ।
ଏହି ଅବସରରେ ସ୍ୱଦେଶୀ ସ୍ଥାନୀୟ କ୍ରୀଡା ସମ୍ପର୍କରେ ଡିଜିଟାଲ ପ୍ରେଜେଣ୍ଟେସନ ମାଧ୍ୟମରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା ଏବଂ ବିଶ୍ୱବିଦ୍ୟାଳୟ ଦ୍ୱାରା କମ ଖର୍ଚ୍ଚରେ ବିକଶିତ କ୍ଷୁଦ୍ର ଆକାରର ଟିସ୍ୟୁ କଲ୍ଚର ପ୍ରଯୁକ୍ତିର ଭରଚୁଆଲ ଅନୁଭୂତି ନେଇଥିଲେ ରାଜ୍ୟପାଳ।
ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟର “ଶ୍ରାଇନ ଅଫ୍ ସୋଲ, ପିସ ଆଣ୍ଡ ସ୍ପିରିଚୁଆଲିଟି” ପରିସରରେ ସ୍ମାରକୀ ଭାବେ ଦୁଇଟି ଧଳା ଚନ୍ଦନ ଚାରା ରୋପଣ କରିଥିଲେ। ଏହା ପରେ ଫାର୍ମାସି ଆଣ୍ଡ ଲାଇଫ ସାଇନ୍ସେସ ଓ ବାୟୋଟେକ୍ନୋଲୋଜି ସ୍କୁଲ ଦ୍ୱାରା ବିକଶିତ ପ୍ରାକୃତିକ ସ୍କିନ୍କେୟାର ଉତ୍ପାଦକୁ ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ପ୍ରଥମ ମହିଳାଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା। ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ ଏବଂ ସେମାନଙ୍କ ଦ୍ୱାରା ବିକଶିତ ଉତ୍ପାଦକୁ ପରୀକ୍ଷାଗାରରୁ ବଜାରକୁ ନେବା ଦିଗରେ ବିଶ୍ୱବିଦ୍ୟାଳୟର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭର କରିବା ସହ ଅନ୍ୟମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଶିକ୍ଷାକୁ ବ୍ୟବହାରିକ ଦକ୍ଷତା ଓ ଉଦ୍ୟୋଗୀକରଣ ସହ ଯୋଡିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।









