ମାଲକାନଗିରି: ମାଲକାନଗିରି ସଦର ମହକୁମା ହସପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି । ଜିଲ୍ଲା ହସପିଟାଲରେ ଡାକ୍ତରଙ୍କର ଅବହେଳା ଯୋଗୁଁ ଜଣେ ନାବାଳକର ମୃତ୍ୟୁ ହୋଇଥିବାରୁ ଡାକ୍ତରଙ୍କୁ ଭର୍ତ୍ସନା କରାଯିବା ସହ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ମେଡାକାଲ ରାସ୍ତାକୁ ଅବରୋଧ ମଧ୍ୟ କରାଯାଇଛି । ସୂଚନା ଅନୁଯାୟୀ, ମାଲକାନଗିରି ବ୍ଲକର ତଣ୍ଡକି ପଞ୍ଚାୟତ ସଦର ମହକୁମାର ପୂର୍ଣ୍ଣ ଚନ୍ଦ୍ର ଦାସଙ୍କ ଦୁଇ ପୁଅ କାଳୁ ଦାସ(୮) ଏବଂ ସିପୁନ ଦାସ(୩) ଗତ ବୁଧବାର ରାତ୍ରିରେ ଅଚାନକ ଗୁରୁତର ହୋଇଯାଇଥିଲେ । ପରିବାର ଲୋକେ ତୁରନ୍ତ ମାଲକାନଗିରି ମେଡିକାଲକୁ ସେମାନଙ୍କୁ ଆଣିଥିଲେ । ତେବେ ଗୁରୁବାର ଡାକ୍ତର ଦେଖିବା ପରେ କିଛି କହିନଥିଲେ । ଠିକ ଥିବା କହି ଚିକିତ୍ସା କରିଥିଲେ । କିନ୍ତୁ ଆଜି ହଠାତ କାଳୁ ଗୁରୁତର ହେବାରୁ ଡାକ୍ତର ତୁରନ୍ତ କୋରାପୁଟ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ । ପରିବାର ଲୋକେ କାଳୁକୁ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ତାର ମୃତ୍ୟୁ ହୋଇଯାଇଥିଲା । ସେହିପରି ସାନ ଭାଇ ସିପୁନ ମଧ୍ୟ ଏବେ ଗୁରୁତର ରହିଛି । ଡାକ୍ତର ସିପୁନକୁ ମଧ୍ୟ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଡାକ୍ତରଙ୍କର ଅବହେଳା ଯୋଗୁଁ ହିଁ ପୁଅ କାଳୁର ମୃତ୍ୟୁ ହୋଇଥିବା ବାପା ଏବଂ ପରିବାର ଲୋକେ ଅଭିଯୋଗ କରି ଡାକ୍ତରଖାନାରେ ପାଟିତୁଣ୍ଡ କରିଥିଲେ । ଏଥିସହ ମେଡିକାଲ ରାସ୍ତାକୁ ସଂପୂର୍ଣ୍ଣ ଅବରୋଧ କରିବା ସହ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । କିନ୍ତୁ ଡାକ୍ତରମାନଙ୍କ କହିବା ହେଲା ଦୁଇ ପିଲାଙ୍କୁ ଖାଦ୍ୟ ବିଷଜନିତ ହୋଇଯାଇଥିଲା । କାରଣ ସେମାନଙ୍କର ପେଟ ଫୁଲିଯାଇଥିଲା । ତେବେ ସେ ଗୁରୁବାର ଭଲ ଥିବାରୁ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ନକରିବା ପାଇଁ କୁହାଯାଇଥିଲା । କିନ୍ତୁ ଆଜି ସେ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଅନ୍ୟ ମେଡିକାଲକୁ ନେବାକୁ କୁହାଯାଇଥିବା ଡାକ୍ତର କହିଥିଲେ । ତେବେ ଡାକ୍ତରମାନଙ୍କର ଚିକିତ୍ସାରେ ଅବହେଳା ଯୋଗୁଁ ହିଁ ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।