19.1 C
Bhubaneswar
Sunday, November 24, 2024
Homeଓଡିଶାଝାଟିମାଟି ଘରେ ଦିନ କାଟୁଛନ୍ତି ସରପଞ୍ଚ

ଝାଟିମାଟି ଘରେ ଦିନ କାଟୁଛନ୍ତି ସରପଞ୍ଚ

ଗଞ୍ଜାମ : ଖଲ୍ଲିକୋଟ ବ୍ଲକର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ବାଦପଲ୍ଲୀ । ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ହରିଜନ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିଲା । ପଞ୍ଚାୟତରେ କେବଳ ଗୋଟିଏ ପରିବାର ହରିଜନ ବର୍ଗର ହୋଇଥିବାରୁ ସେହି ପରିବାର ର ହେମ ନାୟକ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଏବଂ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ସେ ଏକ ଝାଟିମାଟି ଘରେ ଦିନ କାଟୁଥିବାବେଳେ ପଞ୍ଚାୟତରେ କ’ଣ ହେଉଛି, କେତେ କାମ ଆସୁଛି, କେତେ ଟଙ୍କା ଆସୁଛି ତାଙ୍କ ପାଖରେ ଖବର ନାହିଁ । କେବଳ ନାମକୁ ମାତ୍ର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ଏଠାରେ ଚାଲିଛି ଅଫିସର୍‌ଙ୍କ ରାଜ୍ ।

ସରପଞ୍ଚଙ୍କ ବିନା ଦସ୍ତଖତରେ ଏଠାରେ ଉନ୍ନୟନମୂଳକ କାମର ବିଲ୍ ହୋଇଯାଉଛି । ସରପଞ୍ଚ ହେମ ନାୟକଙ୍କ ବୟସ ପାଖାପାଖି ୬୦ ହେଲାଣି । ଶିକ୍ଷାଗତ ଯୋଗ୍ୟତା ନ କହିଲେ ଭଲ । ସେ ସରପଞ୍ଚ ହେବାର ପାଞ୍ଚ ବର୍ଷ ଭିତରେ କେବଳ ୪ରୁ ୫ ଥର ପଞ୍ଚାୟତ ଅଫିସ ମୁହଁ ଦେଖିଛନ୍ତି । ବ୍ଲକକୁ ସେ କେବେ ଆସିଛନ୍ତି ତାଙ୍କର ମନେନାହିଁ । ଖାଲି ସେତିକି ନୁହେଁ, ବର୍ତ୍ତମାନ ବ୍ଲକରେ କିଏ ବିଡିଓ ଅଛନ୍ତି ସେ ଜାଣିନାହାନ୍ତି । ତାଙ୍କୁ ସରପଞ୍ଚ ଦରମା କେତେ ମିଲୁଛି ସେ ତାହା ବି ଜାଣିନାହାନ୍ତି । ପଞ୍ଚାୟତରେ ହେମଙ୍କ ସ୍ୱାମୀ ପିଅନ ଥିବାରୁ ସେ ଦରମା ଟଙ୍କା ଉଠାଇ ଆଣନ୍ତି ବୋଲି କହିଛନ୍ତି ହେମ । ପଞ୍ଚାୟତରେ ଯାହାସବୁ ଉନ୍ନୟନମୂଳକ କାମ ହୁଏ ପଞ୍ଚାୟତ କର୍ମଚାରୀମାନେ କରନ୍ତି । ମାତ୍ର ତାହା ସମ୍ପର୍କରେ ସରପଞ୍ଚ କିଛି ଜାଣନ୍ତିନି । ସରପଞ୍ଚଙ୍କ ଦସ୍ତଖତ ଆବଶ୍ୟକ ହେଲେ କେବେ ଦସ୍ତଖତ ନିଅନ୍ତି ତ ଆଉ କେତେବେଳେ ନିଅନ୍ତିନି । ପଞ୍ଚାୟତରେ କେବଳ ନାମକୁ ମାତ୍ର ସରପଞ୍ଚ କରି ହେମଙ୍କ ପରିବାରକୁ ଡରାଇ ସବୁ କରାଯାଉଥିବା ତାଙ୍କ ପୁଅ ସୁଶାନ୍ତ ନାୟକ କହିଛନ୍ତି ।

ସୁଶାନ୍ତ ଗ୍ରାମରେ ମାଟି କାମ କରୁଥିବାବେଳେ ତାଙ୍କ ବଡ଼ଭାଇ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । ହେମଙ୍କ ସ୍ୱାମୀ ବାଦପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଅଛନ୍ତି । ଏବେ ସରପଞ୍ଚ ଅବଧି ସରିବାକୁ ଆସିଥିଲେ ମଧ୍ୟ ଏକ ଭଙ୍ଗା କୁଡ଼ିଆରେ ଦୁଇ ପୁଅ, ଦୁଇ ବୋହୂ,  ହେମ ଓ ତାଙ୍କ ସ୍ୱାମୀ ରହନ୍ତି । ତେବେ ହେମ ସରପଞ୍ଚ ହିସାବରେ ତାଙ୍କ ପାଖରେ ନା କୌଣସି କାମର ଖବର ରହେ ନା ତାଙ୍କୁ କୌଣସି କାମ ବିଷୟରେ ଅବଗତ କରାଯାଏ । କେବଳ ବେଳେବେଳେ ଦସ୍ତଖତ ସମୟରେ ହେମଙ୍କୁ ମନେ ପକାଯାଏ । ସରପଞ୍ଚ କିଛି ଜାଣୁନଥିବାରୁ ପଞ୍ଚାୟତରେ ଅଫିସର୍‌ଙ୍କ ରାଜ୍ ଚାଲିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ଡାନିଆଲ ଶବର । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଏହି ପଞ୍ଚାୟତରେ ହେଉଥିବା ଉନ୍ନୟନମୂଳକ କାମ ଉପରେ ଅନୁଧ୍ୟାନ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking