ନୂଆଦିଲ୍ଲୀ: ମାସାଧିକାଳ ଧରି ରୁଷ୍-ୟୁକ୍ରେନ୍ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନ୍ରେ ଡାକ୍ତରୀ ପାଠ୍ୟକ୍ରମ ପଢୁଥିବା ପ୍ରାୟ ୧୮ ହଜାର ଭାରତୀୟ ଛାତ୍ରଛାତ୍ରୀ ଇତିମଧ୍ୟରେ ସ୍ୱଦେଶ ଫେରିଆସିଛନ୍ତି । ଯୁଦ୍ଧ କେବେ ବନ୍ଦ ହେବ, ସେମାନଙ୍କର ଶିକ୍ଷାନୁଷ୍ଠାନର ସ୍ଥିତି କ’ଣ ରହିଛି, ଯୁଦ୍ଧ ବନ୍ଦ ହେଲେ ସୁଦ୍ଧା ପାଠପଢା ଆରମ୍ଭ ହେବ କି ନାହିଁ, ଏସବୁ ପ୍ରସଙ୍ଗ ଏବେମଧ୍ୟ ଅସ୍ପଷ୍ଟ । ଏହି ପରିପ୍ରେକ୍ଷୀରେ ଏହି ସେମାନଙ୍କ ଭବିଷ୍ୟତକୁ ନେଇ ସଂପୃକ୍ତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ କେନ୍ଦ୍ର ସରକାର ସମପରିମାଣରେ ଚିନ୍ତିତ ହୋଇପଡିଛନ୍ତି । ଏହି ସ୍ଥିତିରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ୟୁକ୍ରେନ୍ର ଏକାଧିକ ପଡୋଶୀ ରାଷ୍ଟ୍ର ଯଥା ହଙ୍ଗେରୀ, ପୋଲାଣ୍ଡ, ରୋମାନିଆ, ଚେକ୍ ରିପବ୍ଲିକ୍ ଓ କାଜାଖ୍ସ୍ତାନ ସରକାରଙ୍କ ସହ ଆଲୋଚନା କରାଯାଉଛି ବୋଲି ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ବୁଧବାର ଲୋକସଭାରେ ସୂଚନା ଦେଇଛନ୍ତି । କାରଣ ଏହି ସବୁ ରାଷ୍ଟ୍ରରେ ଡାକ୍ତରୀ ପାଠ୍ୟକ୍ରମର ଢାଞ୍ଚା ୟୁକ୍ରେନ୍ ଭଳି ସମାନ ହୋଇଥିବାରୁ ଭାରତୀୟ ଛାତ୍ରଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ଜୟଶଙ୍କର କହିଛନ୍ତି । ସୂଚନାଯୋଗ୍ୟ ଯୁଦ୍ଧ ଲାଗିବାପରେ ଭାରତ ସରକାର ‘ବନ୍ଦେ ଭାରତ’ ଅଭିଯାନ ଅନୁଯାୟୀ ୟୁକ୍ରେନ୍ର ବିଭିନ୍ନ ସହରରେ ଅଧ୍ୟୟନରତ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଉପରୋକ୍ତ ରାଷ୍ଟ୍ରଗୁଡିକର ସୀମାରୁ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଫେରାଇ ଆଣିଥିଲେ । ତେବେ ବିରୋଧୀ ଦଳଗୁଡିକ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରୁଛନ୍ତି । ସ୍ୱଦେଶ ଫେରାଇ ଆଣି ସରକାର ନିଜର ରାଜନୈତିକ ଭାବମୂର୍ତ୍ତିକୁ ଊର୍ଦ୍ଧ୍ୱଗାମୀ କରିଥିବାବେଳେ ସେମାନଙ୍କର ଭବିଷ୍ୟତ ପ୍ରତି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ଉଠିଛି । ଏହି ପରିପ୍ରେକ୍ଷୀରେ ଜୟଶଙ୍କର ଲୋକସଭାରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।