18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଫୁମିଓ କିଶିଦା

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଫୁମିଓ କିଶିଦା

ଟୋକିଓ:  ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି । କିଶିଦା କହିଛନ୍ତି, ସେ ଆସନ୍ତା ସେପ୍ଟେମ୍ବରରେ ଇସ୍ତଫା ଦେବେ । ସେହିପରି ସେପ୍ଟେମ୍ବରରେ ଶାସକ ଦଳର ଲିବେରାଲ ଡେମୋକ୍ରାଟିକ୍ (ଏଲ୍‌ଡିପି)ର ସଭାପତି ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ସେ ମନା କରିଦେଇଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ଆଉ କେବେ ବି ନିର୍ବାଚନ ନଲଢ଼ିବାକୁ ଶପଥ ମଧ୍ୟ ନେଇଛନ୍ତି । ତେବେ ଏହି ସମୟ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବେ । ଏଥିସହ ଏହି ସମୟ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ୩ ବର୍ଷର କାର୍ଯ୍ୟକାଳ ମଧ୍ୟ ଶେଷ ହେବ । ଜାପାନର ସରକାରୀ ଟିଭି ଚ୍ୟାନେଲ୍ ଏହା ନିଶ୍ଚିତ କରିଛି ।
ଚଳିତ ବର୍ଷ ଅକ୍ଟୋବରରେ ଜାପାନରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାପୂର୍ବରୁ କିଶିଦା ପ୍ରଧାନମନ୍ତ୍ରୀ ପଦ ଛାଡିବାର ମୁଖ୍ୟ କାରଣ ଦଳ ମଧ୍ୟରେ ଚାଲିଥିବା ଅନ୍ତର୍ବିବାଦ ବୋଲି କୁହାଯାଉଛି ।
ନିଜ ଦଳର କିଛି ନେତା କିଶିଦା ଏବଂ ତାଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ନେଇ କିଶିଦା ରାଜନୀତି ପ୍ରତି ବିତସ୍ପୃହ ହୋଇପଡିଥିବା କୁହାଯାଉଛି । ଏସବୁ ମଧ୍ୟରେ ଦଳର କିଛି ବିଦ୍ରୋହୀ ନେତା ଖୁଲମଖୁଲ୍ଲା ଭାବେ କହିବୁଲୁଛନ୍ତି ଯେ, ଯଦି କିଶିଦାଙ୍କ ନେତୃତ୍ୱରେ ଦଳ ଆଗାମୀ ନିର୍ବାଚନ ଲଢ଼େ ତେବେ ଦଳ ପାଇଁ ଜିତିବା କଷ୍ଟସାଧ୍ୟ ହୋଇପଡିବ, କାରଣ ଆଜିକାଲି ଜାପାନ ପାର୍ଟି ବିବାଦ ଘେରରେ ରହିଛି । ୟୁନିଫିକେସନ ଚର୍ଚ୍ଚ ସହିତ ଏହାର ଲିଙ୍କ୍ ରହିଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ଏବଂ ଡିସେମ୍ବରରେ ରାଜନୈତିକ ଅର୍ଥକୁ ନେଇ ବିବାଦ ଯୋଗୁ ଦଳ ବହୁ କ୍ଷତି ସହିଛି । ଅନ୍ୟପକ୍ଷେ କିଶିଦାଙ୍କ କ୍ୟାବିନେଟର ଅନୁମୋଦନ ମୂଲ୍ୟାୟନ ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି, ଏହା ମଧ୍ୟ ଏକ ପ୍ରମୁଖ କାରଣ ବୋଲି ବିବେଚନା କରାଯାଉଛି । କେବଳ ସେତିକି ନୁହେଁ, କିଶିଦାଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ଦଳର ଅନେକ ନେତାଙ୍କ ଦୁର୍ନୀତି ଏବଂ ଘୋଟାଲାରେ ଜଡିତ ହେବା ମଧ୍ୟ ସାମ୍ନାକୁ ଆସିଛି । ଏଥିପାଇଁ ତାଙ୍କର ଲୋକପ୍ରିୟତା ୨୦%ରୁ ମଧ୍ୟ କମ୍ ହୋଇଯାଇଛି । ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କିଶିଦା, ନିଜ ଇସ୍ତଫା ଏବଂ ଆଗାମୀ ନିର୍ବାଚନ ନଲଢ଼ିବା ନେଇ ଘୋଷଣା କରିଥାଇପାରନ୍ତି ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଅକ୍ଟୋବର ୨୦୨୧ରେ ଫୁମିଓ କିଶଦା ଜାପାନର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking