ବେଙ୍ଗାଲୁର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ରେ କାର୍ଯ୍ୟରତ ବୈଜ୍ଞାନିକ ଭି.ଆର.ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଲିଜନ୍ ଡି’ ଅନର’ରେ ପୁରସ୍କୃତ କରାଯାଇଛି । ଭାରତ ଓ ଫ୍ରାନ୍ସ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରସଙ୍ଗ ନେଇ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏଭଳି ସମ୍ମାନ ମିଳିଥିବା କୁହାଯାଇଛି । ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଥିଏରୀ ମାଥୌ ମଙ୍ଗଳବାର ଲଲିଥାମ୍ବିକାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ପିଏସଏଲଭି (ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେହିକିଲ)ରେ ଦକ୍ଷତା ହାସଲ କରିଥିବା ଲଳିଥାମ୍ବିକା ୨୦୧୮ରେ ଗଗନଯାନ ପ୍ରକଳ୍ପ ପାଇଁ ଫ୍ରାନ୍ସର ମହାକାଶ ଗବେଷଣା ସଂସ୍ଥା ଓ ଇସ୍ରୋ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ପ୍ରଶଂସିତ ହୋଇଥିଲେ । ଏଭଳି ପୁରସ୍କାର ମିଳିଥିବାରୁ ଭାରତର ମହିଳା ମହାକାଶ ବିଜ୍ଞାନୀମାନେ ପ୍ରେରଣାଲାଭ କରିବେ ବୋଲି ଲଲିଥାମ୍ବିକା କହିଛନ୍ତି ।