କିଏଭ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ସୋମବାର ସୁଦ୍ଧା ଉଣେଇଶ ଦିନରେ ପହଞ୍ଚିଛି । ଗୋଟିଏପଟେ ଯୁଦ୍ଧ ବନ୍ଦ ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ମଧ୍ୟରେ ଚତୁର୍ଥ ରାଉଣ୍ଡ ଆଲୋଚନା ଚାଲିଥିବାବେଳେ ଅନ୍ୟପଟରେ ୟୁକ୍ରେନ୍ର ରାଜଧାନୀ କିଏଭ୍ ଅକ୍ତିଆର କରିବାକୁ ରୁଷ୍ ସେନା ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି । ସୋମବାର ରୁଷ୍ର ଯୁଦ୍ଧବିମାନଗୁଡିକ କିଏଭ୍ ସହରରେ ପ୍ରଚଣ୍ଡ ବୋମାମାଡ କରିଥିବାବେଳେ ୟୁକ୍ରେନ୍ର ୨ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୩ ଜଣ ଆହତ ହୋଇଥିବା ଜଣାପଡିଛି । ରୁଷ୍ ପକ୍ଷରୁ ଜନବସତି ଅଞ୍ଚଳକୁ ଟାର୍ଗେଟ କରାଯାଉଥିବାରୁ ୟୁକ୍ରେନ୍ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆକ୍ରମଣରେ କିଏଭ୍ସ୍ଥିତ ଆଣ୍ଟୋନୋଭ୍ ବିମାନ ନିର୍ମାଣକାରୀ କମ୍ପାନୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ରୁଷ୍ ସେନା କିଏଭ୍ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥାନ କରୁଥିଲେ ସୁଦ୍ଧା ଏହା ଭିତରକୁ ପ୍ରବେଶ କରିପାରୁୁନାହାନ୍ତି । ୟୁକ୍ରେନ୍ ସେନାର ପ୍ରବଳ ପ୍ରତିରୋଧ ଯୋଗୁଁ ରୁଷ୍ ଏହି ଲକ୍ଷ୍ୟକୁ ସହଜରେ ହାସଲ କରିପାରୁନାହିଁ । କେବଳ ବିମାନରୁ ବୋମାବର୍ଷଣ ସମେତ କ୍ଷେପଣାସ୍ତ୍ର ମାଡ ଜାରି ରଖିଛି । ଏଥିଯୋଗୁଁ କିଏଭ୍ର ଏକାଧିକ ଅଟ୍ଟାଳିକା ଧରାଶାୟୀ ହେବାରେ ଲାଗିଛି । ସହରବାସୀଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅପହଞ୍ଚ ହୋଇପଡିଛି । ସ୍ୱାସ୍ଥ୍ୟସେବା ମଧ୍ୟ ଏକପ୍ରକାର ଠପ୍ ହୋଇଯାଇଛି । ରୁଷ୍ ସେନା ପକ୍ଷରୁ ରବିବାର ଏଲ୍ଭିଭ୍ ସହରରେ ଥିବା ଏକ ସାମରିକ ଘାଟିକୁ ଟାର୍ଗେଟ କରାଯାଇଥିବାବେଳେ ୩୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୩୦ ସାଧାରଣ ଲୋକ ଆହତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ୟୁକ୍ରେନ୍କୁ ତୁରନ୍ତ ‘ନୋ ଫ୍ଲାଏ ଜୋନ୍’ ଘୋଷଣା କରିବାକୁ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍ସ୍କି ପୁଣି ଥରେ ନାଟୋ ରାଷ୍ଟ୍ରସମୂହକୁ ଅନୁରୋଧ କରିଛନ୍ତି । ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ ୟୁକ୍ରେନ୍କୁ ‘ନୋ ଫ୍ଲାଏ ଜୋନ୍’ ଘୋଷଣା କରାଗଲେ, ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବାକୁ ବେଶି ଦିନ ଲାଗିବ ନାହିଁ । ଇତିମଧ୍ୟରେ ନାଟୋ ଓ ୟୁରୋପୀୟ ସଂଘ ପକ୍ଷରୁ ୟୁକ୍ରେନ୍କୁ ସାମରିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଉଥିଲେ ସୁଦ୍ଧା ଏହା ୟୁକ୍ରେନ୍ର ଆବଶ୍ୟକତାକୁ ପୂରଣ କରିପାରୁନାହିଁ । ଯୁଦ୍ଧ ଲାଗିବା ପରଠାରୁ ରୁଷ୍ ସେନା ଆକ୍ରମଣରେ ୟୁକ୍ରେନ୍ର ୨୧୮୭ ନାଗରିକ ପ୍ରାଣ ହରାଇଥିବାବେଳେ ସହସ୍ରାଧିକ ଆହତ ହୋଇଛନ୍ତି । ଇତିମଧ୍ୟରେ ୟୁକ୍ରେନ୍ର ପ୍ରାୟ ୨୮ ଲକ୍ଷ ନାଗରିକ ଶରଣାର୍ଥୀଭାବେ ଏକାଧିକ ପଡୋଶୀ ରାଷ୍ଟ୍ରକୁ ଚାଲିଗଲେଣି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି ।