କଟକ: ଲକ୍ଷାଧିକ ଟଙ୍କାର ଠକେଇ ମାମଲାରେ କ୍ରାଇମ୍ବ୍ରାଞ୍ଚ୍ର ଅପରାଧିକ ଶାଖା ପକ୍ଷରୁ ଗିରଫ ଆନ୍ଧ୍ରର ପୂର୍ବତନ ଏମ୍ଏଲ୍ଏ ମଲ୍ଲ ବିଜୟ ପ୍ରସାଦ (ଏମ୍.ଭି.ପ୍ରସାଦ)କୁ ଏହି ମାମଲାରେ ଅଧିକ ତଥ୍ୟ ହାସଲ କରିବା ପାଇଁ କ୍ରାଇମ୍ବ୍ରାଞ୍ଚ୍ ରିମାଣ୍ଡ୍ରେ ନେବ । ଏ ସମ୍ପର୍କରେ ଆଜି କ୍ରାଇମ୍ବ୍ରାଞ୍ଚ୍ ଏ.ଡି.ଜି ସଞ୍ଜୀବ୍ ପଣ୍ଡା ସୂଚନା ଦେଇଛନ୍ତି । ମଙ୍ଗଳବାର ଦିନ ଏମ୍.ଭି ପ୍ରସାଦଙ୍କୁ କଟକର ସ୍ୱତନ୍ତ୍ର ଚିଟ୍ଫଣ୍ଡ କୋର୍ଟରେ ହାଜର କରାଯିବା ପରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଏମ୍.ଭି.ପ୍ରସାଦକୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଆସନ୍ତା ସୋମବାର ଦିନ ତାଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ହେବ । ୨୦୧୯ ମସିହା ଚିଟ୍ଫଣ୍ଡ ମାମଲାରେ କ୍ରାଇମ୍ବ୍ରାଞ୍ଚ୍ର ଅପରାଧିକ ଶାଖା ଏମ୍.ଭି.ପ୍ରସାଦକୁ ଗିରଫ କରିଛି । ତା ନାମରେ ୩୫ଲକ୍ଷରୁ ୪୦ ଲକ୍ଷ ଟଙ୍କାର ଅଭିଯୋଗ ରହିଛି ।
ସେ ୱେଲ୍ଫେୟାର୍ ଗୃପ୍ ଅଫ୍ କମ୍ପାନୀର ଅତ୍ୟତମ ଶାଖା ୱେଲ୍ଫେୟାର୍ ଡେଭେଲପ୍ମେଣ୍ଟ୍ ଏଣ୍ଡ୍ ବିଲଡିଂ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ପଦବୀରେ ଅଛନ୍ତି । ଆନ୍ଧ୍ରପ୍ରଦେଶର ଏହି ସଂସ୍ଥା ଓଡିଶା, ଛତିଶଗଡ, ତେଲେଙ୍ଗାନା ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଶଖା କାର୍ଯ୍ୟାଳୟ ଖୋଲି ଲୋକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିଛି ବୋଲି ଅଭିଯୋଗ ହୋଇଥିଲା । ସଂସ୍ଥା ବିଭିନ୍ନ ସ୍କିମ୍ ଯୋଜନାରେ ଲୋକଙ୍କ ଟଙ୍କାକୁ ଦୁଇଗୁଣା କରିବା ଲୋଭ ଦେଖାଇ ଏପରି ଠକି ନେଇଥିଲା । ତେବେ ଯେଉଁମାନେ ଟଙ୍କା ନ ନେବେ ସେମାନଙ୍କୁ ବିଶାଖାପାଟଣାରେ ସ୍ୱଳ୍ପ ମୂଲ୍ୟରେ ଜମି ଦେବାର ପ୍ରତିଶୃତି ଦେଇଥିଲା । ଲୋକଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ସଂସ୍ଥା ପକ୍ଷରୁ ପ୍ରଥମେ କିଛି ଲୋକଙ୍କୁ ସେମାନଙ୍କ ଟଙ୍କା ଡେରାଇ ଦିଆଯାଇଥିଲା । ସେହିପରି କିଛି ଲୋକଙ୍କୁ ଚେକ୍ ମଧ୍ୟ ଦିଆଯାଇଥିଲା ।
ମାତ୍ର ଉକ୍ତ ଚେକ୍ ବାଉନସ୍ ହୋଇଥିଲା । ଏ ନେଇ କ୍ରାଇମ୍ବ୍ରାଞ୍ଚ୍ରେ ଲିଖିତ ଅଭିଯୋଗ ହୋଇଥିଲା । କ୍ରାଇମ୍ବ୍ରାଞ୍ଚ୍ର ଅପରାଧିକ ଶାଖା ଏକାଧିକ ଏତଲା ଆଧାରରେ ତାଙ୍କୁ ଆଇପିସିର ୪୨୦/୪୦୬/୪୬୭/୪୭୧/୧୨୦(ବି) ଏବଂ ଓପିଆଇଡି ଆକ୍ଟ୍ ୨୦୧୧ର ୪/୫/୬ ଦଫାରେ ଗିରଫ କରିଛି । ୫୨ ବର୍ଷୀୟ ଶ୍ରୀ ପ୍ରସାଦ ଆନ୍ଧ୍ରପ୍ରଦେଶ ଏଜୁକେଶନ୍ ଏଣ୍ଡ୍ ୱେଲ୍ଫେୟାର୍ ଡେଭେଲପ୍ମେଣ୍ଟ୍ କର୍ପୋରେସନ୍ର ଅଧ୍ୟକ୍ଷ ପଦରେ ଅଛନ୍ତି । ଗତ ୨୦୧୬ ମସିହାରେ ସିବିଆଇ ପ୍ରସାଦର କାର୍ଯ୍ୟାଳୟ ତନଖି କରିଥିଲା । ଏହି ସମୟରେ ତାର ବାସଗୃହରୁ ୪୪.୯ ଲକ୍ଷ ଟଙ୍କା ଜବତ କରିଥିଲା ।