33.1 C
Bhubaneswar
Tuesday, May 28, 2024
Homeଓଡିଶାଗ୍ରାମାଞ୍ଚଳରେ ହକି ପ୍ରତିଭା ଅନ୍ୱେଷଣ; ୫୦୦୦ ଯୁବ ଖେଳାଳିଙ୍କୁ ହକି ଷ୍ଟିକ୍‌, ଆନୁଷଙ୍ଗିକ କ୍ରୀଡ଼ା ଉପକରଣ...

ଗ୍ରାମାଞ୍ଚଳରେ ହକି ପ୍ରତିଭା ଅନ୍ୱେଷଣ; ୫୦୦୦ ଯୁବ ଖେଳାଳିଙ୍କୁ ହକି ଷ୍ଟିକ୍‌, ଆନୁଷଙ୍ଗିକ କ୍ରୀଡ଼ା ଉପକରଣ ବଣ୍ଟନ

ଭୁବନେଶ୍ୱର: ଓଡ଼ିଶା ସରକାର ହକି ସହ ବିଭିନ୍ନ ଖେଳକୁ ପ୍ରୋତ୍ସାହନ ଦେଉଛନ୍ତି । ଏଥିପାଇଁ ଉତ୍ସାହୀ ଯୁବକ ଯୁବତୀ ଅନୁପ୍ରାଣିତ ହୋଇଛନ୍ତି । ଗ୍ରାମାଞ୍ଚଳରେ ହକି ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ ନେଇ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ମେଗା କାର୍ଯ୍ୟକ୍ରମ ‘ଗୋଟିଏ ପାଦ ଆଗକୁ’ ତା’ଭିତରୁ ଗୋଟିଏ । ଏହା ତୃଣମୂଳ ସ୍ତରରେ ହକିକୁ ଆହୁରି ମଜବୁତ୍ କରିବ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍‌ରେ ମେଗା କାର୍ଯ୍ୟକ୍ରମ ‘ଗୋଟିଏ ପାଦ ଆଗକୁ’ ଭର୍ଚୁଆଲ ମୋଡ୍‌ରେ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ତୃଣମୁଳ ସ୍ତରରେ ଜେଏସ୍‌ପି ଫାଉଣ୍ଡେସନ ଏବଂ ଦିଲୀପ୍ ତିର୍କୀ ସ୍ପୋର୍ଟସ୍ ରିସର୍ଚ୍ଚ ଆଣ୍ଡ୍ ଡେଭେଲ୍‌ପମେଣ୍ଟ ବା ଡିଟିଏସ୍‌ଆର୍‌ଡିଏଫ୍ ମିଳିତ ହୋଇ କାର୍ଯ୍ୟ କରିବେ । ଏହି କାର୍ଯ୍ୟକ୍ରମରେ ୨୧୫ଟି ଗାଁରୁ ୧୫ବର୍ଷରୁ କମ୍ ୫୦୦୦ରୁ ଅଧିକ ଖେଳାଳି ଯୋଗ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ହକି ଷ୍ଟିକ୍‌, ଆନୁଷଙ୍ଗିକ କ୍ରୀଡ଼ା ଉପକରଣ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ହକି ପ୍ରତିଭା ଅନ୍ୱେଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଉଭୟ ସଂସ୍ଥାକୁ ପ୍ରଶଂସା କରିଛନ୍ତି ।

କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ଦକ୍ଷତା ବିକାଶ ଓବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଡିଟିଏସ୍‌ଆରଡିଏଫ୍ ଅଧ୍ୟକ୍ଷ ପଦ୍ମଶ୍ରୀ ଡକ୍ଟର ଦିଲିପ୍ ତିର୍କୀ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଜିନ୍ଦଲ୍ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ୍ ତୃଣମୂଳ ହକିକୁ ସମର୍ଥନ କରିବା ଓ ହକିର ଭବିଷ୍ୟତ ଗଠନ ପାଇଁ ଏହି ପଦକ୍ଷେପକୁ ରୂପାନ୍ତର କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଜେଏସ୍‌ପି ଫାଉଣ୍ଡେସନର ଚେୟାରମ୍ୟାନ୍ ଶାଲୁ ଜିନ୍ଦଲ୍ କହିଛନ୍ତି ଯେ ‘ଯଦି ପିଲାମାନଙ୍କୁ ସଠିକ୍ ବୟସରେ ଖେଳିବା ପାଇଁ ଉପଯୁକ୍ତ ତାଲିମ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଶିକ୍ଷଣ ପରିବେଶ ଯୋଗାଇ ଦିଆଯାଏ, ତହାଲେ ଓଡ଼ିିଶା ହକି ବହୁତ ଆଗକୁ ଯାଇପାରିବ । ଆମେ ଗାଁରେ ଯୁବ ହକି ପ୍ରତିଭା ଅନ୍ୱେଷଣ ଓ ପୋଷଣ ପାଇଁ ପ୍ରତିବଦ୍ଧ । ଜେଏସ୍‌ପି ଫାଉଣ୍ଡେସନ୍ ଓ ଡିଟିଏସଆରଡିଏଫ୍‌ର ମିଳିତ ପ୍ରୟାସରେ ଆମେ ରାଜ୍ୟରେ ତୃଣମୂଳ ସ୍ତରର ହକିର ଗୁଣବତ୍ତା ପରିବର୍ତ୍ତନ କରିବୁ । ଏହା ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ଆନ୍ଦୋଳନ । ହକି କ୍ଷେତ୍ରରେ ଏକ ବୃହତ୍ତ ପରିବର୍ତ୍ତନର ଆରମ୍ଭ ।

ପଦ୍ମଶ୍ରୀ ଡକ୍ଟର ଦିଲିପ ତିର୍କୀ କହିଛନ୍ତି ଯେ ତୃଣମୂଳ ସ୍ତରରେ ହକି ହେଉଛି ଭିତ୍ତିପ୍ରସ୍ତର । ଯଦି ଆମେ ଏହାକୁ ମଜବୁତ୍ କରିବା, ତେବେ ଆମେ କେବେ ପଛକୁ ଫେରି ଚାହିଁବୁନାହିଁ । ଆମର ପ୍ରଥମ ଦାୟିତ୍ୱ ସଠିକ୍ ପ୍ରତିଭା ଖୋଜିବା ଏବଂ ସେମାନଙ୍କୁ ସଠିକ୍ ଭାବେ ତାଲିମ ଦେବା । ତୃଣମୂଳ ହକିକୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ସୁନ୍ଦରଗଡ଼ର ପ୍ରତ୍ୟେକ ରାଜସ୍ୱ ବ୍ଲକ୍‌ରେ ଆଷ୍ଟ୍ରୋଟର୍ଫ୍ ନିର୍ମାଣ କରିଛନ୍ତି । ଡିଟିଏସଆରଡିଏଫ୍ ତୃଣମୂଳ ସ୍ତରରେ ପ୍ରତିଭାମାନଙ୍କୁ ଏକତ୍ର କରି ଚିହ୍ନଟ କରିଥିବା ବେଳେ ଜେଏସ୍‌ପି ଫାଉଣ୍ଡେସନ ଜିଲ୍ଲାର ୧୦ଟି ରାଜସ୍ୱ ବ୍ଲକ୍‌ରେ ୫୦୦୦ ଉଦୀୟମାନ ହକି ଖେଳାଳିଙ୍କୁ ହକି କିଟ୍‌, ହକି ଷ୍ଟିକ୍ସ, ବଲ୍ ଏବଂ ଜର୍ସି ପ୍ରଦାନ କରିଛି ।

ବିଧାୟକ ସୁବ୍ରତ ତରାଇ, ସୁନ୍ଦରଗଡ଼ ଏସ୍‌ଡିସି ଚେୟାରମ୍ୟାନ୍ ବିନୟ ଟପ୍ପୋ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ, ଅଲିମ୍ପିଆନ୍ ତଥା ହକି କିମ୍ବଦନ୍ତୀ ଅଶୋକ କୁମାର, ବୀରେନ୍ଦ୍ର ଲାକ୍ରା, ଇଗ୍ନେଶ ତିର୍କୀ, ପୂର୍ବତନ ହକି ପ୍ରଶିକ୍ଷକ ଦ୍ରୋଣାଚାର୍ଯ୍ୟ ଅଜୟ ବଂଶଲ, ମହିଳା ହକି ତାରକା ସୁଭଦ୍ରା ପ୍ରଧାନ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ଗ୍ରାମାଞ୍ଚଳର ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବା ଏବଂ ୧୩ ଜଣ ଆନ୍ତର୍ଜାତୀୟ ହକି ଖେଳାଳି ସୃଷ୍ଚି କରିଥିବା ଡୋମିନିକ୍ ଟପ୍ପୋଙ୍କୁ ହକି ପ୍ରତି ତାଙ୍କର ଆଜୀବନ ଯୋଗଦାନ ପାଇଁ ଜେଏସ୍‌ପି ଫାଉଣ୍ଡେସନ ପକ୍ଷରୁ ୨୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking