ଲୌସେନ୍: ଆସନ୍ତା ଡିସେମ୍ବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ସ୍ପେନ୍ର ଭାଲେନ୍ସିଆଠାରେ ଏଫ୍ଆଇଏଚ୍ ନେସନ୍ସ କପ୍ ଖେଳାଯିବ । ଏଥିରେ ଭାଗ ନେବାକୁ ଥିବା ଭାରତୀୟ ମହିଳା ଦଳୂ ତା’ର ଅଭିଯାନ କାନାଡ଼ା ବିପକ୍ଷରୁ ଆରମ୍ଭ କରିବ । ଉଦ୍ଘାଟନୀ ଦିବସରେ ଦଳ ଏହି ମ୍ୟାଚ୍ଟି ଖେଳିବ । ପ୍ରତିଯୋଗିତାରେ ଭାରତ ପୁଲ୍-ବି’ରେ ସ୍ଥାନ ପାଇଥିବା ବେଳେ ଏଥିରେ କାନାଡ଼ା ବ୍ୟତୀତ ଜାପାନ ଓ ସାଉଥ୍ ଆଫ୍ରିକା ରହିଛନ୍ତି । ଏଫ୍ଆଇଏଚ୍ ପ୍ରୋ ଲିଗ୍ର ଆଗାମୀ ସିଜନ୍ ପାଇଁ ଏହି କ୍ୱାଲିଫାୟର୍ ଇଭେଣ୍ଟ୍ରେ ମୋଟ ୮ଟି ଦେଶ ଅଂଶଗ୍ରହଣ କରିବେ । ସେହିପରି ପୁଲ୍-ଏ’ରେ ଆୟୋଜକ ସ୍ପେନ୍ ସହ କୋରିଆ, ଇଟାଲୀ ଓ ଆୟର୍ଲାଣ୍ଡ୍ ରହିଛନ୍ତି । ଭାରତ କାନାଡ଼ା ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ ଖେଳିବା ପରେ ଡିସେମ୍ବର ୧୨ ତାରିଖରେ ଦ୍ୱିତୀୟ ମ୍ୟାଚ୍ରେ ଜାପାନକୁ ଭେଟିବ ।
ସେହିପରି ଲିଗ୍ ପର୍ଯ୍ୟାୟରେ ଦଳ ତା’ର ଅନ୍ତିମ ମ୍ୟାଚ୍ଟି ସାଉଥ୍ ଆଫ୍ରିକା ବିପକ୍ଷରେ ଡିସେମ୍ବର ୧୪ ତାରିଖରେ ଖେଳିବ । ଦୁଇଟି ପୁଲ୍ରୁ ଦୁଇଟି ଲେଖାଏଁ ଶୀର୍ଷ ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ, ଯାହାକି ଆସନ୍ତା ଡିସେମ୍ବର ୧୬ ତାରିଖରୁ ଖେଳାଯିବ। ଏହାପରେ ଡିସେମ୍ବର ୧୭ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଗତ ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୧-୨୨ ସିଜନ୍ରେ ପ୍ରଥମ ଥର ପାଇଁ ଭାଗ ନେଇଥିବା ଭାରତୀୟ ମହିଳା ଦଳ ତୃତୀୟ ସ୍ଥାନରେ ରହି ସମସ୍ତଙ୍କୁ ପ୍ରଭାବିତ କରିଥିଲା । ସେହିପରି ଉକ୍ତ ସିଜନ୍ରେ ଦଳ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଚତୁର୍ଥ ସ୍ଥାନରେ ରହିବା ସହ ଗତ ମାସରେ ବର୍ମିଂହାମ୍ଠାରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦଳ ବ୍ରୋଞ୍ଜ୍ ପଦକ ହାସଲ କରିଛି ।