ମୁମ୍ବାଇ: ମହାରାଷ୍ଟ୍ରରେ ଜଘନ୍ୟ ହତ୍ୟାକାଣ୍ଡ । ରକ୍ଷକ ସାଜିଲେ ହତ୍ୟାକାରୀ । ସୁରକ୍ଷା ଦେବା ବଦଳରେ ଜୀବନ ନେଇଗଲେ ପୋଲିସ ବାବୁ । ସ୍ତ୍ରୀ ଓ ପୁତୁରାକୁ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରିବା ପରେ ଜୀବନ ହାରିଲେ ଏସିପି । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ସହରରେ । ହତ୍ୟା ପରେ ଜୀବନ ହାରିଥିବା ପୋଲିସ ବାବୁ ଜଣଙ୍କ ଅମରାବତୀ ପୋଲିସ ଫୋର୍ସର ଏସିପି ଭରତ ଗାଏକୱାଡ । ଜୁଲାଇ ୨୪ ତାରିଖ ଭୋର ୪ଟା ସମୟରେ ଏହି ଘଟଣା ଘଟିଥିଲା । ଅନ୍ୟ ଦୁଇ ମୃତକ ହେଉଛନ୍ତି ଏସିପିଙ୍କ ପତ୍ନୀ ମୋନି ଗାଏକୱାଡ ଓ ତାଙ୍କ ପୁତୁରା ଦୀପକ ଗାଏକୱାଡ । ଏନେଇ ଚାଟୁ-ଶ୍ରୀଙ୍ଗୀ ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଇନ୍ସପେକ୍ଟର କହିଛନ୍ତି ଯେ, ସୋମବାର ଭୋର ସମୟରେ ଅମରାବତୀ ପୋଲିସ ଫୋର୍ସର ଏସିପି ତାଙ୍କ ସ୍ତ୍ରୀ ମୋନିଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରିଥିଲେ । ଏହି ସମୟରେ ତାଙ୍କ ପାଖରେ ଥିବା ପୁଅ ଓ ପୁତୁରା ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଗୁଳି ଆସି ପୁତୁରାଙ୍କ ଛାତିରେ ବାଜିଥିଲା ।
ଶେଷରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ନିଜକୁ ଗୁଳି କରିଥିଲେ । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ କରୁଛି । ତେବେ କେଉଁ କାରଣରୁ ପୋଲିସରେ କାର୍ଯ୍ୟରତ ଜଣେ ଏସିପି ଏପରି ହତ୍ୟାକାଣ୍ଡ ଭିଆଇବା ପରେ ନିଜ ଜୀବନ ହାରିଲେ ତାହା ଅସ୍ପଷ୍ଟ ରହିଛି । ଏହା ପଛରେ କଣ ରହିଛି ରହସ୍ୟ, ପାରିବାରିକ ସମସ୍ୟା ନା ଆଉ କିଛି । ପୋଲିସର ତଦନ୍ତ ପରେ ସତ ସାମ୍ନାକୁ ଆସିବ । ମୃତକ ସହାୟକ ପୋଲିସ କମିଶନର ଭାରତ ଗାଏକୱାଡ ଜୁଲାଇ ୧୫ ତାରିଖରେ ଛୁଟିରେ ଅମରାବତିରୁ ପୁନେ ଆସିଥିଲେ । ଘଟଣା ଦିନ ରାତିରେ ଏସିପି ଓ ତାଙ୍କ ସ୍ତ୍ରୀ ଗୋଟିଏ ରୁମରେ ଶୋଇଥିଲେ । ପରିବାର ଅନ୍ୟ ସଦସ୍ୟ ଆଉ ଏକ ରୁମରେ ଶୋଇଥିଲେ । ହଠାର ଭାରତ ତାଙ୍କ ସ୍ତ୍ରୀଙ୍କୁ ଶୋଇଥିବା ଅବସ୍ଥାରେ ଗୁଳି ଚଳାଇଥିଲେ । ଘରର ଅନ୍ୟ ସଦସ୍ୟମାନେ ଗୁଳି ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ପୁତୁରା ଉପରକୁ ଗୁଳି ଚଳାଇଥିଲେ ଭରତ । ପରେ ତାଙ୍କ ଶାଶୁ ଓ ପୁଅ ଉପରକୁ ଗୁଳି ଚଳାଇବା ଧମକ ଦେଇ ନିଜ ସର୍ଭିସ ରିଭଲର୍ବରରେ ନିଜେ ନିଜକୁ ସୁଟ୍ କରିଦେଇଥିଲେ ।