ନୂଆଦିଲ୍ଲୀ: ଏମିତି ବି ଆସେ ମୃତ୍ୟୁ । ଚାହୁଁଚାହୁଁ ଚାଲିଗଲା ଅକାଳରେ ୪ ଜୀବନ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । କାହିଁକିନା ଆଉ କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ , ମେଲୋଡି ପାର୍ଟିର ଏହି ୧୨ରୁ ଅଧିକ ସଦସ୍ୟ । କିନ୍ତୁ ବାଟରୁ ଜମ ନେଇଗଲା ଜୀବନ । ଏହି ମର୍ମନ୍ତୁଦ ସଡଦ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆହତଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । ତାମିଲନାଡୁର ନେଗେରକୋଲି ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତେବେ, ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନି ।
ସୂଚନା ଅନୁସାରେ, ଏକ ମେଲୋଡି ପାର୍ଟିର ୧୨ରୁ ଅଧିକ ଲୋକେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାରି ଏକ କାରରେ ଗୁରୁବାର ରାତିରେ ତାମିଲନାଡୁରୁ ଫେରୁଥିଲେ। ଅପ୍ପ କିଛି ସମୟ ପରେ ସମସ୍ତେ ନିଜ ନିଜ ଘରେ ପହଞ୍ଚି ଥାଆନ୍ତେ । କିନ୍ତୁ ତାହା ସମ୍ଭବ ହେଲା ନାହିଁ କାହିଁକିନା ରାସ୍ତାରେ ଛକି ବସିଥିଲା ଜମ । କାରଟି ନେଗେରକୋଲି ଅଞ୍ଚଳରେ ଥିବା ଲାୟମ୍ ଜଙ୍କସନ ନିକଟରେ ପହଞ୍ଚିବା ବେଳେ ହଠାତ୍ ଆଗରେ ଯାଉଥିବା ଏକ ବସକୁ ପଛପଟୁ ଧକ୍କା ଦେଇଥିଲା କାର୍। ଫଳରେ କାରଟି ଓଲଟି ପଡିଥିଲା।
ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। କିନ୍ତୁ ମେଡିକାଲ ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଛି । ତେବେ, ଏହି ଭୟଙ୍କର ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ତେବେ, ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସନେଇ ଛାନଭିନ୍ ଜାରି ରଖିଛି ପୋଲିସ ।