ପୁରୀ – ୨୦୦୬ ମସିହାରୁ ନିଜର ସର୍ବସ୍ବ ହରାଇ ଦୀର୍ଘ ୧୭ ବର୍ଷର ସଂଗ୍ରାମ ପରେ ଶେଷରେ ମାନ୍ୟବର ସୁପ୍ରିମକୋର୍ଟ ନ୍ୟାୟିକ ଶୁଣାଣୀ କରି ଦେଇଥିବା ରାୟ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିକୁ ଆଶ୍ବସ୍ତି ଦେଇଛି । ମାତ୍ର ନିଜର ଭିଟାମାଟି ଠାରୁ ଆରମ୍ଭ କରି ଚାଷଜମି କିପରି ଫେରିପାଇବେ, ସେନେଇ ବାଇଶିମୌଜା ଅଞ୍ଚଳର ଜମିହରା ପ୍ରଜାମାନେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ବୈଠକରେ ସାମିଲ ହୋଇ ବିଚାର ବିମର୍ଷ କରୁଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ଏହି ମାମଲାରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ମାତ୍ରାଧିକ ଅଧିଗ୍ରହଣ ଜମି ଓ ବିଭ୍ରାନ୍ତିକର ସର୍ତ୍ତାବଳୀକୁ ବେଆଇନ ଦର୍ଶାଇ ୫ ଲକ୍ଷ ଟଙ୍କା ଜରିମାନା କରିଥିବା ବେଳେ ଏହି ଜମି ଅଧିଗ୍ରହଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ଭର୍ତ୍ସନା କରିଛନ୍ତି । ବେଦାନ୍ତ ବିଶ୍ବବିଦ୍ୟାଳୟ ଆଳରେ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି, ଗୋଚର ଜମି ଓ ବାଇଶିମୌଜା ଅଞ୍ଚଳର ସମସ୍ତ ଚାଷଜମି କିପରି ପୂର୍ବ ମାଲିକାନା ସ୍ବତ୍ବକୁ ଫେରିବ ସେ ନେଇ କଣ୍ଟାଶୀଳ ଗ୍ରାମରେ ଏକ ସଚେତନ ସଭା ତଥା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ସମ୍ପାଦକ ଦାମୋଦର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସଂଘର୍ଷ ସମିତିର ଆବାହକ ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ, ବିଷ୍ଣୁ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମନ୍ତରାୟ, ସାମ୍ବାଦିକ ଦେବୀପ୍ରସାଦ ପୃଷ୍ଟି, କୈଳାସ ଚନ୍ଦ୍ର ସ୍ବାଇଁ, ହରପ୍ରସାଦ ଜେନା, ଲକ୍ଷ୍ମଣ ପ୍ରଧାନ, ଉଦୟନାଥ ପ୍ରଧାନ, ହରିହର ପ୍ରଧାନ, ଚିତ୍ରସେନ ପ୍ରଧାନ, ଦାମୋଦର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ଗ୍ରାମବାସୀ ଓ ଚାଷୀମାନେ ବେଆଇନ ଭାବେ ନିଜ ଭିଟାମାଟି ଓ ଚାଷଜମି ହରାଇ ଦୀର୍ଘ ୧୫ ବର୍ଷର ଯନ୍ତ୍ରଣା ବଖାଣି ଥିଲେ । ଫସଲ ହାନୀ ଠୁଁ ନେଇ ଚାଷ ଋଣ ନପାଇ କି ପ୍ରକାର ହଇରାଣ ହରକତ ହୋଇଛନ୍ତି ତାହା ଜଣଙ୍କ ପରେ ଜଣେ କହିଥିଲେ । ଦୀର୍ଘ ୧୭ ବର୍ଷର ଆଇନଗତ ଲଢେ଼ଇ ପରେ ମାନ୍ୟବର ସୁପ୍ରିମକୋର୍ଟ ଏହି ଜମି ଅଧିଗ୍ରହଣକୁ ବେଆଇନ କହିଛନ୍ତି । ନିଜ ଜମି ଫେରିପାଇବା ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ କହି ସଂଘର୍ଷ ସମିତିର ଆବାହକ ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ଏହା ଧର୍ମର ବିଜୟ ହୋଇଛି ବୋଲି କହିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଦାବିପତ୍ର ଦିଆଯିବ, ଏହାପରେ ସରକାରଙ୍କ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିବା ପାଇଁ ଶ୍ରୀରଥ ଆହ୍ବାନ ଦେଇଥିଲେ । ଚାଷୀମାନଙ୍କ ଚାଷଜମିକୁ ଗୋଟିଏ ସରକାର ଅତି ଚଞ୍ଚକତା କରି ନେଇଯିବା ଓ ମାନ୍ୟବର ସୁପ୍ରିମକୋର୍ଟ ଏହାକୁ ବେଆଇନ କହି ଭର୍ତ୍ସନା କରିବା ଘଟଣା ସମଗ୍ର ଦେଶରେ ଏହା ଏକ ଉଦାହରଣ ପାଲଟିଛି ବୋଲି ଶ୍ରୀରଥ ଉପସ୍ଥିତ ଚାଷୀ ଓ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଆଭିମୁଖ୍ଯ ସ୍ଥିର ରଖିଥିବାରୁ ଏହି ଆନ୍ଦୋଳନକୁ ପଲ୍ଲୀ ଠୁଁ ଦିଲ୍ଲୀ ଯାଏ ନେବା ଓ ଶେଷରେ ଆମର ବିଜୟ ହେବା ମାନେ ଏହା ଆମର ନୁହେଁ, ସ୍ବୟଂ ଶ୍ରୀଜଗନ୍ନାଥଙ୍କର ବିଜୟ ହୋଇଛି ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ । ଆଗାମୀ ଦିନରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଏହି ଐତିହାସିକ ବିଜୟକୁ ନେଇ ଏକ ବିଜୟ ଉତ୍ସବ ହେବ । ଏହି ଅବସରରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ସ୍ୱର୍ଗୀୟ ସଭାପତି ବେଣୁଧର ପ୍ରଧାନ ଓ ଦିବଙ୍ଗତ ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଏହି ମାମଲାରେ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିବା ମାନ୍ୟବର ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୁଷଣ ଓ ବିଶିଷ୍ଟ ସମାଜସେବୀ ମେଧା ପାଟେକରଙ୍କୁ ସମ୍ମାନିତ କରାଯିବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି ।