ଢେଙ୍କାନାଳ: ଢେଙ୍କାନାଳ ସହର ମଧ୍ୟରେ ଥିବା ଗୋପବନ୍ଧୁ ଟାଉନ୍ ହଲ୍ଠାରେ ନବ ନିର୍ମାଣ କୃଷକ ସଂଗଠନର ସଭାପତି ଶ୍ରୀଯୁକ୍ତ ବିପ୍ରବର ସାହୁଙ୍କ ସଭାପତିତ୍ୱରେ ସମଗ୍ର ଜିଲ୍ଲାର ୮ ଗୋଟି ବ୍ଲକ୍ରୁ ୨୫୦ ରୁ ଅଧିକ ଚାଷୀ ତଥା ପ୍ରତିନିଧିମାନଙ୍କୁ ନେଇ ଚାଷୀ ଜାଗରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏବଂ ରାଜ୍ୟ ବରିଷ୍ଠ ସଦସ୍ୟ ଶଶାଙ୍କ ଶେଖର ରଥ ଉଦ୍ଘାଟକ ଭାବେ ଏବଂ ରାଜକୁମାର ରାଜୀବ ଲୋଚନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଦେଶରେ ସଂଯୁକ୍ତ କିଶାନ ମୋର୍ଚ୍ଚା ଦୀର୍ଘ ୭ମାସ ଧରି ୩ଗୋଟି କଳା କୃଷି ଆଇନ୍ ବାତିଲ୍ ଦାବୀରେ ଦିଲ୍ଲୀ ସିମାନ୍ତରେ ଦୁଃଖ ଦୁର୍ଦ୍ଦଶାରେ ସମ୍ମୁଖୀନ ହୋଇ ପଡିରହିଛନ୍ତି । ୫୦୦ରୁ ଉର୍ଦ୍ଧ୍ୱ ଚାଷୀ ମରିଗଲେଣି । ସେଥି ପାଇଁ ଚଳିତ ମାସ ୨୭ ତାରିଖରେ ସାରା ଭାରତ ବର୍ଷରେ ବନ୍ଦ ପାଳନ କରାଯିବର ନିଷ୍ପତି ନିଆଯାଇଛି । ଏହାକୁ ଜାତୀୟ କଂଗ୍ରେସ ଦଳ ଦୃଢ ସମର୍ଥନ ଜଣାଇଛି ।
ସେଥିପାଇଁ ଢେଙ୍କାନାଳ ଜିଲ୍ଲାରେ ପ୍ରତ୍ୟେକ ବ୍ଲକ୍ରେ ଏହା ପାଳନ କରାଯିବ । ଜିଲ୍ଲାରେ ମରୁଡି ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବା ବେଳେ ଶହ ଶହ ଏକର ଜମି ଜଳ ଅଭାବରୁ ପଡିଆ ପଡିରହିଛି । କାଭାଁ ଜମିଚାଷ ହେଲେ ମଧ୍ୟ ଜମି ଫାଟି ଆଁ କରି ରହିଛି । ତଳି ବୁଢା ହେଲାଣି । ପାଣି ଅଭାବରୁ ଧାନରୁଆ ହୋଇ ପାରିଲା ନାହିଁ । ବିଳମ୍ବରେ ବର୍ଷା ହେଲେ ମଧ୍ୟ ମଲା ମୁହଁରେ ପାଣି ଢାଳିଲା ସଦୃଶ୍ୟ ଅଟେ । ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟରେ ସାରର ଘୋର ଅଭାବ ଯୋଗୁଁ ଧାନ ଫସଲ ଉଜୁଡିଗଲାଣି । ବିଜୁଳି ବିଲ୍ ଯେଉଁଭଳି ଭାବେ ବଢିଲାଣି ଗ୍ରାହକ ଓ ଚାଷୀ ବିଲ୍ ଦେଇପାରିବେ ନାହିଁ । ବିଭିନ୍ନ ସଙ୍ଗଠନ ତଥା ଆଇନ୍ଜୀବୀ ସଙ୍ଗଠନ ଦାବୀ କଲେ ମଧ୍ୟ ବିଜୁଳି କମ୍ପାନୀ ନିରବ ରହୁଛି । ସହରାଂଚଳରେ ଚାଷୀ ଥାଇ ମଧ୍ୟ କାଳିଆ ଟଙ୍କାରୁ ବଂଚିତ ହେଉଛନ୍ତି । ସରକାରୀ କର୍ମଚାରୀ, ମିଲର ଓ ଦଲାଲ୍ମାନେ ମଣ୍ଡିରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ନଜିର ହେଉଛି ।
ଉକ୍ତ ବୈଠକରେ ସଙ୍ଗଠନର ସମ୍ମାନିତ ଅତିଥି ଆଇନ୍ଜୀବୀ କୃଷ୍ଣଚନ୍ଦ୍ର ଦ୍ୱିବେଦୀ, ବରିଷ୍ଠ କଂଗ୍ରେସ୍ ନେତା ତଥା ଜିଲ୍ଲା କିଶାନ୍ କଂଗ୍ରେସ୍ର ମୁଖ୍ୟ ଉପଦେଷ୍ଟା ରବିନାରାୟଣ ମହାନ୍ତି, ଡମ୍ବରୁଧର ସେଠୀ ସ୍ଥାନୀୟ ସମସ୍ୟା ଉପରେ ଆଲୋଚନା କରିଥିଲେ । ଉପଦେଷ୍ଟା କୈଳାସ ଚନ୍ଦ୍ର ରାଉତ, ସହ-ସଂଯୋଜକ ପ୍ରହଲ୍ଲାଦ ସାହୁ, ସୁଶାନ୍ତ ସ୍ୱାଇଁ, ଗୋପାଳ ଚନ୍ଦ୍ର ରାଉତ, ଅରବିନ୍ଦ ବରାଳ, ନକୂଳ ରାଉତ, ରଥ ସେଠୀ, ଶ୍ରୀନିବାସ ସାହୁ, ତ୍ରୀନାଥ ପଣ୍ଡା, ବିମ୍ବାଧର ମାଝି, ଘନଶ୍ୟାମ ମାଝି, ହେମନ୍ତ ବେହେରା, କାର୍ତିକେଶ୍ୱର ସାହୁ ପ୍ରମୁଖ ଆଲୋଚନା କରିଥିଲେ । ସୁରେନ୍ଦ୍ର କୁମାର ପୃଷ୍ଟି ଉଦ୍ଯାପନୀ ସଙ୍ଗୀତ ଗାନ କରି ଧନ୍ୟବାଦ ଅର୍ପଣ କରିଥିଲେ ।