ବରଗଡ : ବର୍ତ୍ତମାନ ସ୍ଥିତିରେ ଧାନ କ୍ଷେତ ପାଇଁ ଆବଶ୍ୟକତା ଥିବା ୟୁରିଆ ସାରର ଅଭାବକୁ ନେଇ ଚାଷୀକୂଳ ଚିନ୍ତିତ ହୋଇପଡିଛି । ଅପରପକ୍ଷେ କୃଷି ବିଭାଗ ତରଫରୁ ସାର କଳାବଜାରୀ ରୋକିବା ପାଇଁ ବ୍ୟାପକ ଚଢ଼ଉ କରାଯାଇ ଅସାଧୁ ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ତା ସତ୍ୱେ ମଧ୍ୟ ଚାଷୀମାନେ ଚଢ଼ା ଦରରେ ସାର କିଣିବାକୁ ବାଧ୍ୟ ହେଉଥିବା ବେଳେ ତୁରନ୍ତ ଏଥିପ୍ରତି ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି ।
କୃଷି ପ୍ରଧାନ ବରଗଡ଼ ଜିଲ୍ଲାର ଚାଷୀକୁ ବର୍ତ୍ତମାନ ପରିସ୍ଥିତିରେ ୟୁରିଆ ସାରର ଅଧିକ ଆବଶ୍ୟକତା ରହୁଥିବା ସମୟରେ ଏହାର ଅଭାବ ପରିଲକ୍ଷିତ ହେଉଛି । ଜିଲ୍ଲାର ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳ ଆବଶ୍ୟକ ପରିମାଣରେ ୟୁରିଆ ସାର ମିଳିପାରୁ ନାହିଁ । ଯଦ୍ୱାରା ଚାଷୀମାନେ ଅଧିକ ଦରରେ ୟୁରଆ ସାର କିଣିବାକୁ ବାଧ୍ୟ ହେଉଛନ୍ତି । ସରକାରୀ ଭାବରେ ୟୁରିଆ ସାର ବସ୍ତାପ୍ରତି ୨୬୭ ଟଙ୍କା ରହିଥିବା ବେଳେ ସାରର ଅଭାବ ଯୋଗୁଁ ଅସାଧୁ ବ୍ୟବସାୟୀ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । କଳାବଜାରରେ ବର୍ତ୍ତମାନ ୟୁରିଆ ସାର ୩୪୦ ରୁ ୫୦୦ ଟଙ୍କା ବିକ୍ରୀ ହେଉଥିବା ବେଳେ ଚାଷୀମାନେ ଚଢ଼ା ଦରରେ ତାହା କିଣିବାକୁ ବାଧ୍ୟ ହୋଇ ଶୋଷଣର ଶିକାର ହେଉଛନ୍ତି । ଅପରପକ୍ଷେ କୃଷି ବିଭାଗ ତରଫରୁ ବାରମ୍ବାର ଚଢ଼ଉ ସତ୍ୱେ ସାର କଳାବଜାରୀରେ ଅଙ୍କୁଶ ଲାଗି ପାରି ନ ଥିବା ପରିଲକ୍ଷିତ ହେଉଛି । ବର୍ତ୍ତମାନ ସୁଦ୍ଧା କୃଷି ବିଭାଗ ତରଫରୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୫ ଜଣଙ୍କ ଲାଇସେନ୍ସ ରଦ୍ଧ କରାଯାଇଥିବା ବେଳେ ତିନୋଟି ସୋସାଇଟିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
ସୂଚନା ଯୋଗ୍ୟ, ଜିଲ୍ଲାରେ ୨୪ ହଜାର ୩ ଶହ ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୭ ହଜାର ୪ ଶହ ମେଟ୍ରିକ ସାର ପହଞ୍ଚିଛି । ନୂଆଁଖାଇ ପାଇଁ ଆଉ ଅଧିକ ସାର ଆସି ପାରୁ ନ ଥିବା ବେଳେ ଆଗାମୀ ୨୭ ତାରିଖ ମଧ୍ୟରେ ଆଉ ୨୬୦୦ ମେଟ୍ରିକ ସାର ପହଞ୍ଚିବ ବୋଲି ସୂଚନା ମିଳିଛି । ଉକ୍ତ ସାର ପହଞ୍ଚି ଯିବା ପରେ ଜିଲ୍ଲାରେ ଆଉ ୟୁରିଆ ସାରର ଅଭାବ ରହିବ ନାହିଁ ବୋଲି କୃଷିବିଭାଗ ତରଫରୁ ସୂଚନା ଦିଆଯାଇଛି । ଏବେ ଚାଷୀମାନଙ୍କୁ ସୋସାଇଟି ଏବଂ ଖୋଲା ବଜାରରେ ଅନ୍ଲାଇନ୍ ଜରିଆରେ ସାର ବିକ୍ରୟ କରାଯାଉଛି ଏବଂ କଳାବଜାରୀ ରୋକିବା ପାଇଁ କୃଷିବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ଚାଷୀମାନଙ୍କୁ ସାର ଯୋଗାଣ ପଦକ୍ଷେପ ନିଆଯାଉଥିବା କୃଷି ଉପନିର୍ଦ୍ଦେଶକ ଦୀନବନ୍ଧୁ ଗାନ୍ଧୀ ସୂଚନା ଦେଇଛନ୍ତି ।