କୃଷ୍ଣପ୍ରସାଦ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଚିଲିକା ନୂଆପଡ଼ାର ଚାଷ ଜମିରେ ଚିଙ୍ଗୁଡ଼ି ଚାଷକୁ ବିରୋଧ କରି ଚାଷୀମାନେ ବୁଧବାର ରାଜରାସ୍ତାକୁ ଓହ୍ଲାଇଛନ୍ତି । ଚିଲିକା ଉପକୂଳରେ ଚିଙ୍ଗୁଡ଼ି ଚାଷ କଲେ ପରିବେଶ ନଷ୍ଟ ହେବା ସହ ଧାନ ଫସଲ ନଷ୍ଟ ହେବା ଯୋଗୁଁ ଚିଙ୍ଗୁଡ଼ି ଚାଷକୁ ବେଆଇନ ଘୋଷଣା କରାଯାଇଥିବା ବେଳେ ଚିଲିକା ନୂଆପଡ଼ାରେ ଧାନ ଜମିରେ ଚିଙ୍ଗୁଡ଼ି ଚାଷ କରାଯାଉଥିବା ଦେଖିବାକୁ ମିଳୁଛି। ଏହାଦ୍ୱାରା ନିକଟ ଚାଷ ଜମି ପ୍ରଭାବିତ ହେବା ସହ ଜମିରେ ଫସଲ ଆଦୌ ହେବ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ତେଣୁ ଏହାକୁ ବିରୋଧ କରି ଚାଷୀମାନେ ବ୍ଳକ୍ସ୍ତରରୁ ରାଜ୍ୟସ୍ତର ଯାଏଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ବାରମ୍ବାର କୃଷକ ସଂଘ ଦାବି କରିଆସୁଥିଲେ ମଧ୍ୟ କିଛି ଫଳ ମିଳୁନାହିଁ । ବ୍ଲକ୍ରେ ଚାଷ କ୍ଷେତ୍ରରେ ବାରମ୍ବାର କ୍ଷତି ପରେ ଚାଷୀମାନେ ଦାଦନ ଶ୍ରମିକ ଭାବେ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲିଯାଇଥିଲେ ।
ଏବେ କରୋନା ମହାମାରୀ ଯୋଗୁଁ କିଛି କାମ ନପାଇ ନିଜ ଭିଟାମାଟିକୁ ସେମାନେ ଫେରିଆସିଛନ୍ତି । ବାଧ୍ୟ ହୋଇ ପୁଣିଥରେ ଚାଷ କାର୍ଯ୍ୟକୁ ଆପଣେଇବା ବେଳେ ଧାନ ଜମିରେ ବେନାମୀ ଚିଙ୍ଗୁଡ଼ି ଚାଷ, ଧାନ ଚାଷ ପ୍ରତି ବିପଦ ସାଜିଛି । ତେଣୁ ଏହାକୁ ବିରୋଧ କରି ବାଧ୍ୟ ହୋଇ ଚାଷୀମାନେ ବ୍ଲକ୍ର ମୁଖ୍ୟରାସ୍ତା ଚିଲିକା ନୂଆପଡ଼ା ଛକରେ ଧାରଣାରେ ବସି ରାସ୍ତାରୋକ କରିଛନ୍ତି । ସକାଳ ୮ଟାରୁ ଧାରଣାରେ ଶହ ଶହ କୃଷକ ବସିବା ପରେ ସ୍ଥାନୀୟ ତହସିଲଦାର ଜିତେନ୍ଦ୍ର କୁମାର ନାୟକ ଧାରଣାସ୍ଥଳରେ ପହଞ୍ଚିଥିଲେ । କରୋନା ମହାମାରୀ ଚାଲିଥିବାରୁ କୌଣସି ଉଚ୍ଛେଦ କାର୍ଯ୍ୟ ହୋଇପାରିବ ନାହିଁ କହିବାରୁ ଉତ୍ତେଜନା ଲାଗିରହିଥିଲା । ଫଳରେ ମତ ବଦଳାଇ ଘେରି କରିଥିବା ଜାଲ ବାଡ଼କୁ ଖୁବ୍ଶୀଘ୍ର ଉଚ୍ଛେଦ କରାଯିବା ସହିତ ଚିଙ୍ଗୁଡି ଚାଷ ହେଉଥିବା ଜମିରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ ।
ପରେ ଚାଷୀମାନେ ଧାରଣାରୁ ଓହରିଥିଲେ । ଏହା ସହିତ ବେନାମୀ ଚିଙ୍ଗୁଡି ଚାଷ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ୍ କରାଯିବ ଓ ଏ ଦିଗରେ ପୁଲିସ ଓ ପ୍ରଶାସନ କଡ଼ା ନଜର ରଖିବ ବୋଲି ତହସିଲଦାର ପ୍ରକାଶ କରିଥିଲେ । ପ୍ରଶାସନ ନିଜର ପ୍ରତିଶ୍ରୁତିକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ନକଲେ ପୁନର୍ବାର ଆନ୍ଦୋଳନ ହେବ ବୋଲି କହିଛନ୍ତି ରବୀନ୍ଦ୍ର ନାଥ ସାହୁ । ଶାନ୍ତିଶୃଙ୍ଖଳା ନିମନ୍ତେ ନୂଆପଡ଼ା ଫାଣ୍ଡି ଅଧିକାରୀ କ୍ଷେମେନ୍ଦ୍ର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।