ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଜାଲ ସାର୍ଟିଫିକେଟ୍ ରାକେଟ୍ର ଚେର ଲମ୍ବିବାରେ ଲାଗିଛି । ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଶିକ୍ଷକଙ୍କ ନା’ ଗୋଟିଏ ପରେ ଗୋଟିଏ ଆସିବାରେ ଲାଗିଛି । ପୁଣି ୧୨ ଜଣ ଶିକ୍ଷକ ଓଟିଇଟି ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲାରେ ୨୦୧୯ ମସିହାରେ ଜାଲ ଓଟିଇଟି ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଥିଲେ । ଏହା ଜଣାପଡିବା ପରେ କଟକସ୍ଥିତ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍କୁ ଯାଞ୍ଚ ନିମନ୍ତେ କଳାହାଣ୍ଡି ଶିକ୍ଷା ବିଭାଗ ପଠାଇଥିଲା । ୧୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ସୌଦାମିନୀ ମିଶ୍ର, ରମେଶଚନ୍ଦ୍ର ଶତପଥି, ରଞ୍ଜିତା ମାଝୀ, ମଞ୍ଜୁକଳା ମାଝୀ, ରୋମାଞ୍ଚଳ ହଂସ, ଜିତେନ୍ଦ୍ର ନାଗ, ସନକା ମହାନନ୍ଦ, ହିମାଂଶୁ ସାହୁ, ଜଳନ୍ଦର ଜାନୀ, ଗଦାଧର ସ୍ୱାଇଁ, ତପନ ଟକରିଆ ଓ ଦୈତାରୀ ନାଏକଙ୍କ ଓଟିଇଟି ସାର୍ଟିଫିକେଟ୍ ଜାଲ୍ ଥିବା ପ୍ରମାଣିତ ହେବାରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ଏହି ଶିକ୍ଷକମାନେ ନିଜର ସାର୍ଟିଫିକେଟ୍ ଦାଖଲ କରିବା ସହିତ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିଥିଲେ । ଏହାପରେ କଳାହାଣ୍ଡି ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛି । ତେଣୁ ନକଲି ଶିକ୍ଷକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।