ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ମୌସୁମୀ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଳାରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ଆସନ୍ତା କାଲି ସକାଳ ସୁଦ୍ଧା ୨୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ସେଗୁଡ଼ିକ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୁରଭଞ୍ଜରେ ଅତି ପ୍ରବଳ ବର୍ଷାର ଆଶଙ୍କା । ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏଥିସହିତ ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୬ ତାରିଖ ପରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏବେ ସୁଦ୍ଧା ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୩୫ଡିଗ୍ରି ସେଲସିୟସ ରହିଥିବା ବେଳେ ଫୁଲବାୁଣୀରେ ସର୍ବନିମ୍ନ ୧୯ଡିଗ୍ରି ତାପମାତ୍ରା ରହିଛି।
ଅନ୍ୟପକ୍ଷେ, ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟରେ ଅଧିକ ସକ୍ରିୟ ହେବା ସହ ଗତକାଲି ଆଉ କିଛି ଜିଲ୍ଲାକୁ ଛୁଇଁ ସାରିଛି। ଏହାର ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, କୋରାପୁଟ ଓ ନବରଙ୍ଗପୁର ପାଇଁ ୱେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ବଜ୍ରପାତ ସହ ବର୍ଷା ନେଇ ୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗଞ୍ଜାମ, ପୁରୀ, ନୟାଗଡ଼, ଗଜପତି, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି। ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।