ସମ୍ବଲପୁର : ପରକୀୟା ପ୍ରୀତି କରୁଥିବା ମହିଳା ହୁଅନ୍ତୁ ବା ପୁରୁଷ, ସାବଧାନ ହୋଇଯାନ୍ତୁ । ସମ୍ବଲପୁର ସହରର ଜଣେ ବିବାହିତା ମହିଳା ଏବେ ଏଭଳି ଏକ ଜାଲରେ ଛନ୍ଦି ହୋଇଯାଇଛନ୍ତି । ଯେଉଁ ଜାଲରୁ ବାହାରିବା ପାଇଁ ତାଙ୍କୁ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ିଛି । ପରକୀୟା ପ୍ରୀତି ପରେ ଫେସ୍ବୁକ୍ରେ ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ହେବାପରେ ତାଙ୍କର ଅକଲ ଗୁଡୁମ୍ ହୋଇଯାଇଛି । ଶେଷରେ ଏ ନେଇ ଯୁବତୀ ଜଣକ ସମ୍ବଲପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ସମ୍ବଲପୁର ସହରର ଯୁବତୀଙ୍କର ବିବାହ ହୋଇଥିଲା ଜଣଙ୍କ ସହ, ବିବାହ ପରେ ପ୍ରେମ ହେଲା ସମ୍ବଲପୁରରେ ରହୁଥିବା ଆଉ ଜଣେ ସହପାଠୀଙ୍କ ସହ । ସ୍ୱାମୀଙ୍କ ଅନୁପସ୍ଥିତିରେ ଉକ୍ତ ଯୁବକଙ୍କ ସହ ସବୁ ପ୍ରକାର ସମ୍ପର୍କ ଆରମ୍ଭ ହୋଇଗଲା । ସବୁଠାରୁ ବଡ଼ କଥା ହେଲା ଯାହା ସହ ଯୁବତୀ ଜଣକ ପରକୀୟା ପ୍ରୀତି କରିଥିଲେ ଉକ୍ତ ଯୁବକ ଜଣକ ମଧ୍ୟ ବିବାହିତ ଥିଲେ । ଏସବୁ ଭିତରେ ଯୁବକ ଜଣକଙ୍କର ମୁମ୍ବାଇର ଏକ ଘରୋଇ କମ୍ପାନିରେ ଚାକିରି ହେବାରୁ ସେ ସେଠାକୁ ଚାଲିଗଲେ । ତା’ପରେ ଉଭୟେ ଭିଡିଓ କଲିଂ ମାଧ୍ୟମରେ ସମ୍ପର୍କ ବଢ଼ାଇ ଚାଲିଲେ । ବାଥ୍ରୁମ୍ ଭିଡିଓ କଲିଂ ଉଭୟଙ୍କ ପାଇଁ ନିତିଦିନିଆ ହୋଇଗଲା । ଯୁବକ ଜଣକ କିଛି କିଛି ସ୍କ୍ରିନ୍ ରେକର୍ଡିଂ ମଧ୍ୟ ନିଜ ଫୋନ୍ରେ ରଖିଲେ । ଦିନେ ହଠାତ୍ ଯୁବକଙ୍କ ସ୍ତ୍ରୀଙ୍କ ହାବୁଡ଼ରେ ତାଙ୍କ ମୋବାଇଲ୍ଟି ପଡ଼ିଲା । ତାଙ୍କ ସ୍ତ୍ରୀ ସେଥିରେ ଥିବା ଫଟୋ ଓ ଭିଡିଓ ସବୁ ଦେଖିଦେଲେ । ଯୁବକଙ୍କ ସ୍ତ୍ରୀ ଏସବୁ ଦେଖିବା ପରେ ଅସଲ କାହାଣୀ ଆରମ୍ଭ ହେଲା । ଯୁବକଙ୍କର ସ୍ତ୍ରୀ ସହିତ ମଧ୍ୟ ପରକୀୟା ପ୍ରୀତି ଆଉଜଣେ ଯୁବକଙ୍କ ସହ ଚାଲିଥିଲା । ତା ପାଖକୁ ଅନ୍ତରଙ୍ଗ ଭିଡିଓ ଓ ଫଟୋଗୁଡ଼ିକ ପ୍ରଥମ ଯୁବକଙ୍କ ସ୍ତ୍ରୀ ପଠାଇ ଦେଲେ । ଦ୍ୱିତୀୟ ଯୁବକ ଜଣକ ତାପରେ ଫେସ୍ବୁକ୍ରେ ଏକ ଫେକ୍ ଆଇଡି ତିଆରି କରି ସମ୍ବଲପୁର ସହରର ଯୁବତୀଙ୍କର ଅନ୍ତରଙ୍ଗ ଭିଡିଓ ଓ ଫଟୋଗୁଡିକୁ ଗୋଟିଏ ପରେ ଗୋଟିଏ ଅପ୍ଲୋଡ୍ କରିଚାଲିଲେ । ଏ ନେଇ ଯୁବତୀ ଜଣକ ଜାଣିବା ପରେ ଫଟୋ ଡିଲିଟ୍ କରିବା ପାଇଁ ଉକ୍ତ ଯୁବକଙ୍କୁ ଅନୁରୋଧ କଲେ । କିଛି ଲାଭ ନମିଳିବାରୁ ଶେଷରେ ସମ୍ବଲପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।