ମୋଗାଦିସୁ : ସୋମାଲିଆ ରାଜଧାନୀ ମୋଗାଦିସୁର ଶିକ୍ଷା ମନ୍ତ୍ରଣାଳୟ ବାହାରେ ଶନିବାର ଦୁଇଟି କାର୍ରେ ବିସ୍ଫୋରଣ ଘଟିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୦୦ ଲୋକ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଏବଂ ବୟସ୍କ ବ୍ୟକ୍ତିଙ୍କ ସମେତ କେତେକ ଶିଶୁ ସାମିଲ ଥିବା ବେଳେ ଜଣେ ସାମ୍ବାଦିକ ମହମ୍ମଦ ଇସା କୋନା ମଧ୍ୟ ପ୍ରାଣ ହରାଇଛନ୍ତି । କୌଣସି ସଂଗଠନ ବିସ୍ଫୋରଣର ଦାୟିତ୍ୱ ନେଇ ନଥିବା ବେଳେ ରାଷ୍ଟ୍ରପତି ହସନ୍ ଶେଖ୍ ମହମ୍ମଦ ଇସ୍ଲାମିକ୍ ଆତଙ୍କୀ ଗୋଷ୍ଠୀ ଅଲ୍-ଶବାବ୍କୁ ବିସ୍ଫୋରଣ ପାଇଁ ଦାୟୀ କରିଛନ୍ତି ।
ପୁଲିସ ଅଧିକାରୀ ନୁର୍ ଫରାହି କହିଛନ୍ତି, ପ୍ରଥମ ବିସ୍ଫୋରଣ ମନ୍ତ୍ରଣାଳୟ ବାହାରେ ଛିଡ଼ା ହୋଇଥିବା ଏକ କାର୍ରେ ହୋଇଥିଲା । ସହାୟତା ପାଇଁ ଆଖପାଖରେ ଥିବା ଲୋକମାନେ ଏକତ୍ର ହୋଇଥିଲେ । ସୂଚନା ପାଇ ଆମ୍ବୁଲାନ୍ସ ଏବଂ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଦ୍ୱିତୀୟ କାର୍ରେ ବିସ୍ଫୋରଣ ଘଟିଥିଲା । ଦ୍ୱିତୀୟ ବିସ୍ଫୋରଣ ହେବାପରେ ଆକାଶରେ ପ୍ରବଳ ଧୂଆଁ ଦେଖିବାକୁ ମିଳିଥିଲା । କିଛି ସମୟ ପରେ ସଡ଼କରେ ଶବ ବିଛାଇହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ୨୦୧୭ରେ ଯେଉଁ ସ୍ଥାନରେ ସବୁଠୁ ବିପଜ୍ଜନକ ବିସ୍ଫୋରଣ ଘଟିଥିଲା ସେହିଠାରେ ହିଁ ଏହି ବିସ୍ଫୋରଣ ହୋଇଥିଲା । ୨୦୧୭ରେ ଏକ ହୋଟେଲ୍ ନିକଟରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ୫୦୦ ଲୋକ ପ୍ରାଣ ହରାଇବା ସହ ଆଖପାଖରେ ଥିବା ଅଫିସ୍, ରେସ୍ତୋରାଁ ଧ୍ୱଂସ ହୋଇଯାଇଥିଲା ।