ମଣ୍ଡି: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟଜନିତ ଏକ ପୋଷ୍ଟ’ ପାଇଁ ବଲିଉଡ୍ ଅଭିନେତ୍ରୀ ତଥା ହିମାଚଳପ୍ରଦେଶର ମଣ୍ଡି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସାଜିଥିବା କଙ୍ଗନା ରାଣାୱତ୍ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି । ରିପୋର୍ଟ ଅନୁସାରେ କଙ୍ଗନାଙ୍କୁ ଆଜି ମଣ୍ଡି ଲୋକସଭା ପ୍ରାନ୍ତରେ ତୀବ୍ର ବିରୋଧାଭାସର ସମ୍ମୁଖୀନ ହେବାକୁ ପଡିଛି । କଙ୍ଗନା ଆଜି ନିର୍ବାଚନୀ ପ୍ରଚାର ଉଦ୍ଦେଶ୍ୟରେ ଏହି ଅଞ୍ଚଳକୁ ଆସିଥିବା ବେଳେ କଂଗ୍ରେସ କର୍ମୀଙ୍କ ସହ ମିଶି ସ୍ଥାନୀୟ ଅଞ୍ଚଳର ଲୋକମାନେ କଙ୍ଗନା ଗୋ-ବ୍ୟାକ୍ ନାରାବାଜି କରିଥିଲେ । କଙ୍ଗନା ଆମ ପାଇଁ କାମ କରିପାରିବେ ନାହିଁ ବୋଲି ସ୍ଥାନୀୟ ଲୋକେ ଦାବି କରିବା ମଧ୍ୟ ଦେଖିବାକୁ ମିଳିଛି । ହିମାଚଳର ମଣ୍ଡିରୁ ପ୍ରାର୍ଥୀ ହୋଇଥିବା କଙ୍ଗନାଙ୍କୁ ସ୍ଥାନୀୟ ଲୋକ ଓ କଂଗ୍ରେସ କର୍ମୀମାନେ ଲାହାଉଲ ଏବଂ କାଜା ଠାରେ କଳା ପତାକା ପ୍ରଦର୍ଶିତ କରିଛନ୍ତି । ଏପରିକି ଆଜି କଙ୍ଗନାଙ୍କ କାରକେଡ୍ ଉପରକୁ ମଧ୍ୟ ପଥର ମାଡ଼ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।
ପ୍ରକାଶ, ଗତବର୍ଷ ଏପ୍ରିଲ ମାସରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ସମ୍ପର୍କରେ କଙ୍ଗନା କରିଥିବା ପୋଷ୍ଟ ପାଇଁ ତାଙ୍କୁ ଏବେ କାଜା ଠାରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । କଙ୍ଗନା ଗତବର୍ଷ ଦଲାଇଲାମାଙ୍କ ଏକ ବ୍ୟଙ୍ଗାତ୍ମକ ଫଟୋକୁ ଶେୟାର କରି ଏଥିରେ ଲେଖିଥିଲେ, “ହ୍ୱାଇଟ୍ହାଉସରେ ଦଲାଇଲାମାଙ୍କୁ ଭବ୍ୟ ସ୍ୱାଗତ ।” ତେବେ ଦଲାଇଲାମାଙ୍କ ଉକ୍ତ ଫଟୋକୁ ଫଟୋସପ୍ ଆପ୍ଲିକେସନ୍୍ ଦ୍ୱାରା ତିଆରି କରାଯାଇଥିଲା । ଏଥିରେ ଦଲାଇଲାମା ନିଜ ଜିଭ ବାହରକୁ କାଢ଼ିଥିବାର ଦେଖିବାକୁ ମିଳିଥିଲା । ଫଟୋରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ମଧ୍ୟ ଦର୍ଶାଯାଇଥିଲା । ଭିଡିଓକୁ ଅପଲୋଡ୍ କରିଥିବା ବ୍ୟକ୍ତିଜଣକ ଏଥିରେ କ୍ୟାପସନ୍ ଲେଖିଥିଲେ ଯେ, ଉଭୟଙ୍କର (ଦଲାଇଲାମା ଏବଂ ବାଇଡେନ୍) ସମାନ ରୋଗ ରହିଛି । ନିଶ୍ଚିତ ଭାବେ ଏମାନେ ଦୁଇ ଜଣ ବନ୍ଧୁ ।
ଘଟଣା ପରେ ବୌଦ୍ଧ ଧର୍ମାବଲମ୍ବୀମାନେ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସ ବାହାରେ ବିକ୍ଷୋଭ କରିଥିଲେ । ବିବାଦ ବଢ଼ିବାରୁ କଙ୍ଗନାଙ୍କୁ କ୍ଷମା ମାଗିବାକୁ ମଧ୍ୟ ପଡ଼ିଥିଲା । ହେଲେ ଏବେ ଉକ୍ତ ପ୍ରସଙ୍ଗ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ତେବେ ଆଜିର ବିରୋଧ ସମୟରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ କଙ୍ଗନାଙ୍କ ସହ କାଜାରେ ରହିଥିଲେ । ଆଜିର ଏପ୍ରକାର ଘଟଣା ଘଟିବା ପଛରେ କଂଗ୍ରେସର ହାତ ଥିବା ଜୟରାମ୍ ଠାକୁର କହିଛନ୍ତି ।