ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଗତ ୫ ଦିନ ହେଲା ପ୍ରବଳ ବର୍ଷା ହେବା ଯୋଗୁଁ ସ୍ଥାନୀୟ କଙ୍କିଳି ଗ୍ରାମର ୪୦ଟି ପରିବାର ପାଣି ଘେରରେ ଅଛନ୍ତି । ଘର ଭିତରେ ଓ ବାହାରେ ସବୁଆଡେ ପାଣି ଜମି ରହିଛି । ଘର ଭିତରେ ପାଣି ପଶିବା ଯୋଗୁଁ ଆସବାବପତ୍ର ଓ ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ପତ୍ରଗୁଡିକ ଭାସୁଛି । ପରିବାର ଲୋକ ରୋଷେଇ ମଧ୍ୟ କରିପାରୁ ନାହାନ୍ତି । ବସିବା ଓ ଶୋଇବା କଷ୍ଟ ଆହୁରି ବଢ଼ି ଯାଉଛି । କିଛି ପରିବାର ଲୋକ ଘର ଭିତରୁ ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ କରୁଥିଲେ ମଧ୍ୟ କିଛି ସମୟ ପରେ ପୁଣି ପାଣି ଘର ଭିତରେ ପଶି ଆସୁଛି । ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରତ୍ୟେକ ବର୍ଷ ଲଗାଣ ବର୍ଷା ହେଲେ ଏହି ଅଞ୍ଚଳରେ ବର୍ଷା ପାଣି ଜମି ରହି ଏଭଳି ଅବସ୍ଥା ଭୋଗିବାକୁ ପଡୁଛି । ବର୍ଷା ଦିନ ଆସିଲେ ଏଠାରେ ଥିବା ଅଧିବାସୀଙ୍କ ଦୁଃଖ ବଢ଼ି ଯାଉଛି । ପରିବାରର ଛୋଟ ପିଲାମାନେ ପାଣି ଘର ଭିତରେ ପଶିବାରୁ ଘର ବାହାରକୁ ବାହାରି ପାରୁ ନାହାନ୍ତି । ବାହାର ପାଣି ଘର ଭିତେର ପଶିବା ଯୋଗୁଁ ବିଭିନ୍ନ ପ୍ରକାର ସରିସୃପ ଘର ଭିତରକୁ ପଶି ଆସୁଥିବା ପରିବାର ଲୋକ କହୁଛନ୍ତି । ସୂଚନାଯୋଗ୍ୟ, ଏହି ୪୦ଟି ପରିବାର ଏଠାରେ ଦୀର୍ଘ ବର୍ଷ ହେଲା ରହିଆସୁଛନ୍ତି । ଉକ୍ତ ଅଂଚଳଟି ଅନ୍ୟ ସାହି ଠାରୁ ସାମାନ୍ୟ ଟିକେ ତଳେ ଥିବାରୁ ଏପରି ବର୍ଷା ପାଣି ଜମି ରହୁଛି । ପ୍ରଶାସନକୁ ଏହି ସମସ୍ୟା ବିଷୟରେ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି । ଯଥା ଶୀଘ୍ର ଜଳ ନିଷ୍କାସନ କରିବା ପାଇଁ ସାଧାରଣରେ ଦାବି ହେଉଛି । ସୂଚନାଯୋଗ୍ୟ, ଗତକାଲି ତାଳଚେରରେ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।