ପିପିଲି : ପିପିଲିରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାହାତୀ ଏବେ ପିପିଲି ପାର ହୋଇ ଭୁବନେଶ୍ବର ଉପକଣ୍ଠ ପାତ୍ରପଡାର ଭେଷଜ ଉଦ୍ୟାନ ନିକଟରେ ଅଛି ବୋଲି ସୂଚନା ମିଳିଛି। ସେଠାରେ ଆଜି ତାକୁ ଟ୍ରାଙ୍କୱାଲାଇଜ କରାଯିବ ବୋଲି ଜଣାପଡିଛି।ତେବେ ଭୁବନେଶ୍ବରର ପାତ୍ରପଡାରେ ହାତୀ ସୋମବାର ସକାଳୁ ଜଣେ ମହିଳାଙ୍କୁ ଦଳି ଗୁରୁତର କରିଛି। ମହିଳା ଜଣଙ୍କ ଏବେ ଏମ୍ସରେ ଭର୍ତି ହୋଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଦନ୍ତା ହାତୀ ଆକ୍ରମଣରେ ରବିବାର ପୁରୀ ଜିଲାର ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ପିପିଲି ବ୍ଲକର ୩ଜଣ ଓ ନିମାପଡ଼ା ବ୍ଲକର ଜଣେ ଥିବା ଜଣାପଡ଼ିଛି। ବଳଙ୍ଗା ଥାନା ଅନ୍ତର୍ଗତ ନିମାପଡ଼ା ବ୍ଲକ ଗୋପୀନାଥପୁର ଗ୍ରାମର ଯୁଗଳ କିଶୋର ଭଟ୍ଟ , ପିପିଲି ବ୍ଲକ ଚନ୍ଦ୍ରାଦେଈପୁର ମାଟିସାହିର ମକର ପଲେଇ , ସଁପୁର ପଞ୍ଚାୟତ ଅନ୍ତର୍ଗତ ରାଜତେଇ ଗ୍ରାମର ଚୈତନ୍ୟ ସାହୁ ଓ ଦୁର୍ଗାଦାସପୁର ପଞ୍ଚାୟତ ଅନ୍ତର୍ଗତ ଜମାଲପୁର ଗ୍ରାମର ଅଜୟ କୁମାର ନାୟକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଆହତଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଗତ ୨ଦିନ ହେଲା ଡେଲାଙ୍ଗ ଅଞ୍ଚଳରେ ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଥିଲା। ଶନିବାର ସନ୍ଧ୍ୟାରେ ଉକ୍ତ ହାତୀକୁ ବନ ବିଭାଗ ପକ୍ଷରୁ ସୁରକ୍ଷିତ ଭାବେ ଜଙ୍ଗଲ ଅଭିମୁଖେ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଇଥିଲା। ହାତୀଟି ସୁନାମୁଇଁ ଓ ପାଣିଦୋଳ ଜଙ୍ଗଲ ଦେଇ ରାତି ୧୧ଟା ସୁଦ୍ଧା ଦୟାନଦୀ କୂଳରେ କଣାସ ଅଭିମୁଖେ ଯାଉଥିବାବେଳେ ଡେଲାଙ୍ଗ ବେନୁପଡ଼ା ମଠ ନିକଟରୁ ଦିଗ ପରିବର୍ତ୍ତନ କରିଥିଲା। ସେଠାରୁ ଏହି ହାତୀଟି ପୁନର୍ବାର ସୁନାମୁଇଁ ଦେଇ ପିପିଲିର ବାଜପୋଇ ଛକ, ଦାଣ୍ଡମୁକୁନ୍ଦପୁର ନିକଟ ତେଇସିମାଇଲି ଛକ ଦେଇ ଜାତୀୟ ରାଜପଥ ଅତିକ୍ରମ କରି ସଠସ, ଜୁଣୁପଡ଼ିଆ, ରାଜତେଇ, ଚନ୍ଦ୍ରାଦେଈପୁର ଦେଇ ଭାର୍ଗବୀ ନଦୀ ପାର ହୋଇ ଆଜି ଭୋର ସମୟରେ ଗୋପୀନାଥପୁର ଗ୍ରାମର ଜଙ୍ଗଲିଆ ସ୍ଥାନରେ ପହଞ୍ଚିଥିଲା। କେନାଲ ବନ୍ଧକୁ ଶୌଚ ହେବାକୁ ଯାଇଥିବା ଉକ୍ତ ଗ୍ରାମର ଯୁଗଳ କିଶୋର ଭଟ୍ଟଙ୍କୁ ହାତୀ ସେଠାରେ ଦଳି ମାରି ଦେଇଥିଲା। ସେଠାରେ ଏକ ଘଣ୍ଟାକାଳ ହାତୀଟି ଆତଙ୍କ ସୃଷ୍ଟି କରିଥିଲା। ହାତୀକୁ ଘଉଡ଼ାଇବା ପରେ ହାତୀଟି ନିକଟବର୍ତ୍ତୀ ରାଜତେଇ ଗ୍ରାମର ଗହୀର ବିଲ ମଧ୍ୟରେ ଥିବା ଜଙ୍ଗଲିଆ ସ୍ଥାନକୁ ଚାଲି ଆସିଥିଲା।
ରାଜତେଇ ଗ୍ରାମର ଚୈତନ୍ୟ ସାହୁ ନିଜ ଘର ପଛପଟ ବାରିକୁ ଯାଇଥିବାବେଳେ ହାତୀଟି ତାଙ୍କୁ ଆକ୍ରମଣ କରି ତଳେ କଚାଡ଼ି ଦେବା ସହ ପାଦରେ ତାଙ୍କୁ ଦଳି ଦେଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ୨ ଘଣ୍ଟା ମଧ୍ୟରେ ହାତୀଟି ୩ଜଣଙ୍କୁ ମାରି ଦେଇଥିଲା। ହାତୀ ଆକ୍ରମଣରେ ଚନ୍ଦ୍ରାଦେଇପୁର ଗ୍ରାମର କାଳନ୍ଦୀ ବେହେରା ଓ ରାଜତେଇ ଗ୍ରାମର ବଳଭଦ୍ର ବେହେରା ଗୁରୁତର ଆହତ ହୋଇଥିଲେ।ହାତୀଟିକୁ ସନ୍ଧ୍ୟା ପରେ ବନ ବିଭାଗ ପକ୍ଷରୁ ରାଜତେଇ ଜଙ୍ଗଲରୁ ଘଉଡ଼ାଇବାକୁ ଉଦ୍ୟମ କରାଯାଇଥିଲା। ହାତୀଟି ସଁପୁର, ସଠସ, କାହ୍ନପୁର, ନଡ଼ିଆବନ୍ଧ ଗ୍ରାମ ଦେଇ ପିପିଲି ବାଇପାସ୍ ରାସ୍ତାର ତରାକାଜ ଓଭରବ୍ରିଜ୍ ନିକଟରେ ଜାତୀୟ ରାଜପଥ ଅତିକ୍ରମ କରି ପିପିଲି ପୌରାଞ୍ଚଳ ମଧ୍ୟକୁ ପ୍ରବେଶ କରିଥିଲା। ହାତୀକୁ କାବୁ କରିବାରେ ବନ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ତୁରନ୍ତ ତାକୁ ଟ୍ରାଙ୍କୁଲାଇଜ କରାଯାଇ କାବୁ କରାଯିବାକୁ ଦାବି ହୋଇଛି। ହାତୀ ଆତଙ୍କ ଯୋଗୁଁ ରବିବାର ସନ୍ଧ୍ୟାରୁ ରାତି ୧୧ଟା ପର୍ଯ୍ୟନ୍ତ ସମଗ୍ର ପିପିଲି ଏନ୍ଏସି, ମଙ୍ଗଳପୁର ଓ ଦାଣ୍ଡମୁକୁନ୍ଦପୁର ଫିଡରରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବାବେଳେ ଶହେରୁ ଅଧିକ ଗ୍ରାମ ସମ୍ପୂର୍ଣ୍ଣ ଅନ୍ଧକାର ରହିଥିଲା। ଲୋକେ ଭୟରେ ପଦାକୁ ବାହାରି ନଥିବା ବେଳେ ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା।