ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ତାରାସିଂ ବନାଞ୍ଚଳରେ ବୁଧବାର ରାତିରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି । ଗୁରୁବାର ସକାଳେ ତାରସିଂ ସେକ୍ସନର ମାଣପୁରୁ ଗାଁ ନିକଟ ଏକ ପରିବା କ୍ଷେତ ପାଖରେ ହାତୀଟି ମରି ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଓ ସ୍ଥାନୀୟ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ପହଞ୍ଚିଥିଲେ । ହାତୀ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଘଟଣାର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି । ଭୁବନେଶ୍ୱରରୁ ଓୟୁଏଟି ଟିମ୍ ଆସି ପହଞ୍ଚିବା ପରେ ମୃତ ହାତୀର ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବାର୍ହା ଶିକାର ପାଇଁ ଲାଗିଥିବା ବିଦ୍ୟୁତ ତାରରେ ଛନ୍ଦି ହୋଇ ହାତୀର ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । କିନ୍ତୁ ବନବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ କରାଯାଇନାହିଁ । ବନବିଭାଗ ପକ୍ଷରୁ ପରୋକ୍ଷରେ କୁହାଯାଉଛି ଯେ ବାର୍ଦ୍ଧକ୍ୟ ଜନିତ କିମ୍ବା ଅସୁସ୍ଥତା କାରଣରୁ ହାତୀର ମୃତ୍ୟୁ ହୋଇଥାଇପାରେ । ଅନ୍ୟପକ୍ଷରେ ଏଲିଫ୍ୟାଣ୍ଟ୍ ଟ୍ରାକିଂ ବ୍ୟବସ୍ଥା ଥିବା ସତ୍ତ୍ୱେ ସ୍ଥାନୀୟ ଅଞ୍ଚଳରେ ହାତୀର ଉପସ୍ଥିତିକୁ ବନକର୍ମଚାରୀମାନେ କିଭଳି ଜାଣି ପାରିଲେ ନାହିଁ ବୋଲି ଆଲୋଚନା ହେଉଛି । ଗତ କିଛି ମାସ ମଧ୍ୟରେ ଏହି ବନଖଣ୍ଡରେ ୩ଟି ହାତୀଙ୍କ ମୃତ୍ୟୁ ହୋଇସାରିଲାଣି । ବାରମ୍ବାର ହୀତୀ ମୃତ୍ୟୁ ଘଟଣାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଏବଂ ସମାଜସେବୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଏକ ବଡ଼ ଧରଣର ଆନ୍ଦୋଳନ କରିବା ପାଇଁ ଏକ ସାମାଜିକ ସଂଗଠନ ଚେତାବନୀ ଦେଇଛି ।