ଗୋଛାପଡା: ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଦୀର୍ଘ ମାସେହେଲା ଅନ୍ଧାରରେ ୮୦ରୁ ଊର୍ଦ୍ଧ୍ୱ ପରିବାର । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କେଳାପଡା ପଞ୍ଚାୟତ ଅଧୀନରେ ଥିବା ବିଶିସାହି ଠାରେ । ଗତ ଲଗାଣବର୍ଷା ଯୋଗୁଁ ବିଶିସାହି ଠାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡି ଯାଇଥିବା ବେଳେ ମାସେ ହେଲା ଅନ୍ଧାରରେ ୮୦ରୁ ଅଧିକ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାହି ପାଖକୁ ଜଙ୍ଗଲ ଲାଗି ରହିଥିବା ବେଳେ ରାତିରେ କେହି ଘରୁ ବାହାରକୁ ବାହାରି ପାରୁନାହାନ୍ତି। ବିଶେଷକରି ଛାତ୍ରଛାତ୍ରୀଙ୍କ ପାଠପଢା ଠପ୍ ହୋଇଯାଇଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଅଭିଭାବକମାନେ ଅଭିଯୋଗ କରଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ସାହିବାସିନ୍ଦାମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି । ଅନ୍ୟପଟେ ବିଦ୍ୟୁତ ବିଭାଗର ଅବହେଳାକୁ ସାହି ବାସିନ୍ଦା ଦାୟୀ କରିବା ସହିତ ଏନେଇ କେଳାପଡା ସରପଞ୍ଚ ସ୍ୱର୍ଣ୍ଣଲତା ପ୍ରଧାନଙ୍କୁ ମଧ୍ୟ ଅବଗତ କରିଛନ୍ତି ।
ସରପଞ୍ଚ ତୁରନ୍ତ ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଏହି ଘଟଣା ବିଷୟରେ ଫିରିଙ୍ଗିଆ ବିଦ୍ୟୁତ ବିଭାଗ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଜୟଦେବ ସାହୁଙ୍କୁ ଯୋଗେଯାଗ କରିବାକୁ ଚେଷ୍ଟା କରିବାରୁ ତାଙ୍କ ଫୋନ ବନ୍ଦ ହୋଇଥବାରୁ ଯୋଗାଯୋଗ ହୋଇପାରିନଥିବା ବେଳେ ଫିରିଙ୍ଗିଆ ବିଦ୍ୟୁତ ବିଭାଗ ଦାୟିତ୍ୱରେ ଥିବା ସୁପରଭାଇଜର ସୁଶାନ୍ତ କୁମାର ପ୍ରଧାନ କହିଛନ୍ତି ଯେ ଜିଲ୍ଲା କାର୍ଯ୍ୟାଳୟରେ ଟ୍ରାନ୍ସଫର୍ମର ମହଜୁଦ ନାହିଁ । ଅଳ୍ପଦିନ ମଧ୍ୟରେ ଟ୍ରାନ୍ସଫର୍ମର ଆସିଲେ ଲଗାଯିବ ବୋଲି ପ୍ରକାଶ କହଛନ୍ତି । ଅନ୍ୟପଟେ ଆଗାମୀ ଦୁଇଦିନ ମଧ୍ୟରେ ଟ୍ରାନ୍ସଫର୍ମର ନଲାଗିଲେ ସାହିବାସିନ୍ଦା ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ସାହିର କେଦାର ଭୁକ୍ତା, ଗୋପିନାଥ ଭୁକ୍ତା, ବିଜୟ ବିସୋୟୀ, ଈଶ୍ୱର ମାହାରା, ଲକ୍ଷ୍ମୀଧର ପ୍ରଧାନ, ଶ୍ୟାମଘନ ମାହାରା, ସୁନିଲ ନାୟକ, କୁନା ସାହୁ, ବିଷ୍ନୁ ନାୟକ, ବୃଷବ ମୁଖୀଙ୍କ ସହ ଅନ୍ୟମାନେ ଚେତାବନୀ ଦେଇଛନ୍ତି ।