25.1 C
Bhubaneswar
Wednesday, March 26, 2025
Homeଓଡିଶାବିଦ୍ୟୁତ ଉପଭୋକ୍ତା ହନ୍ତସନ୍ତ, ସରକାର ନିଦାବିଷ୍ଣୁ : ବିଜେଡି

ବିଦ୍ୟୁତ ଉପଭୋକ୍ତା ହନ୍ତସନ୍ତ, ସରକାର ନିଦାବିଷ୍ଣୁ : ବିଜେଡି

– ପ୍ରତିଶ୍ରୁତି ଅନୁଯାୟୀ ୩୦୦ ୟୁନିଟ ମାଗଣା ବିଜୁଳି ତୁରନ୍ତ ଲାଗୁ କର
– ପ୍ରସ୍ତାବିତ ବିଦ୍ୟୁତ ଦରବୃଦ୍ଧିକୁ ପ୍ରତ୍ୟାହାର କର
– ପ୍ରତିଘରେ ସ୍ମାର୍ଟ ମିଟର ଲଗାଇବା ନିଷ୍ପତ୍ତିକୁ ତୁରନ୍ତ ବାତିଲ କର

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ବିଜୁଳି ସମସ୍ୟା ଉତ୍କଟ ହେବାରେ ଲାଗିଛି। ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ଓ ଓଇଆରସି ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନେ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯିବା ସହିତ ଆସନ୍ତା କାଲି ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଙ୍ଘ ଦ୍ୱାରା ଲୋୟର ପିଏମଜି ଠାରେ ହେବାକୁ ଥିବା ଗଣ ବିକ୍ଷୋଭକୁ ସମର୍ଥନ ଘୋଷଣା କରିଛି।

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ବିଜେଡି ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର ଓ ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଟାଟା ପାୱାର କମ୍ପାନୀର ଉପଭୋକ୍ତା ଶୋଷଣ ନୀତି ଓ ଏହାକୁ ରାଜ୍ୟ ସରକାରଙ୍କ ନିରବ ସମର୍ଥନ ବିରୋଧରେ ବର୍ଷିଥିଲେ। ଶ୍ରୀ ବକ୍ସିପାତ୍ର କହିଥିଲେ, ରାଜ୍ୟରେ ବିଦ୍ୟୁତ ବିତରଣ ପାଇଁ ଚୁକ୍ତିବଦ୍ଧ ହୋଇଥିବା ଟାଟା ପାୱାର କମ୍ପାନୀ ଗତ କିଛି ମାସ ହେଲା ଚୁକ୍ତି ଖିଲାପ କରି ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଶୋଷଣ କରୁଛନ୍ତି। ରାଜ୍ୟରେ ପ୍ରତ୍ୟେକ ଉପଭୋକ୍ତାଙ୍କ ଘରେ ଟାଟା ପାୱାର ଦ୍ୱାରା ଜୋର ଜବରଦସ୍ତ ସ୍ମାର୍ଟ ମିଟର ଲଗା ଯାଉଛି। ଏହି ସ୍ମାର୍ଟ ମିଟର ମାଧ୍ୟମରେ ରାଜ୍ୟରେ ପ୍ରି ପେଡ ସିଷ୍ଟମ ଲାଗୁ କରାଯିବ। ମୋବାଇଲରେ ପଇସା ସରିଗଲେ ସେବା ବନ୍ଦ ହୋଇ ଯାଉଥିବା ପରି ସ୍ମାର୍ଟ ମିଟର ଲାଗିଥିବା ଉପଭୋକ୍ତା ମାନଙ୍କର ପଇସା ସରିଗଲେ, ବିଜୁଳି ସେବା ବନ୍ଦ ହୋଇଯିବ। ଏପରି ଅଦ୍ଭୁତ ବ୍ୟବସ୍ଥା ସମଗ୍ର ଭାରତ ବର୍ଷରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି। ବିଦ୍ୟୁତ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ଥିବା ଓଇଆରସି, ଉପଭୋକ୍ତା ମାନଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ କରୁନାହାନ୍ତି। ଓଇଆରସିର ଅଧ୍ୟକ୍ଷ ପଦ ଖାଲି ପଡିଛି। ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଟାଟା ପାୱାର ଓ ଓଇଆରସି ମଧ୍ୟରେ ମଧୁ ଚନ୍ଦ୍ରିକା ଲାଗି ରହିଛି, ଉପଭୋକ୍ତା ମାନେ ଦୁର୍ଦ୍ଦଶା ଭୋଗୁଛନ୍ତି, ରାଜ୍ୟ ସରକାର ଗଭୀର ନିଦରେ ଶୋଇଛନ୍ତି।

ସେହିପରି ଡ଼ ମହାନ୍ତି କହିଥିଲେ, ବିଦ୍ୟୁତ ଉପଭୋକ୍ତା ମାନଙ୍କ ସମସ୍ୟା ଗୁଡିକର ସମାଧାନ ପାଇଁ ଓଡିଶା ଉପଭୋକ୍ତା ମହାସଙ୍ଘ ତରଫରୁ ଆସନ୍ତା କାଲି ଏକ ଗଣ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାର ସଫଳ ଆୟୋଜନ ପାଇଁ ଆୟୋଜକ ମାନେ ଏକ ସର୍ବଦଳୀୟ ବୈଠକ ଆହ୍ୱାନ କରିଥିଲେ। ଏଥିରେ ବିଜୁ ଜନତା ଦଳ ଯୋଗ ଦେଇ ଏହି ଗଣ ବିକ୍ଷୋଭ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସମର୍ଥନ ଜଣାଇଛି। ଉପଭୋକ୍ତା ମହାସଙ୍ଘ ତରଫରୁ ରାଜ୍ୟ ସରକାରଙ୍କ ସମ୍ମୁଖରେ ବିଭିନ୍ନ ଦାବୀ ରଖା ଯାଇଛି। ରାଜ୍ୟରେ ପ୍ରସ୍ତାବିତ ବିଜୁଳି ଦର ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର ପ୍ରମୁଖ ଦାବୀ ରହିଥିବା ବେଳେ ସ୍ମାର୍ଟ ମିଟର ବାତିଲ ହେଉ, ପାୱାରକଟ ବନ୍ଦ କରାଯାଉ, ବିଜେପିର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ୩୦୦ ୟୁନିଟ ବିଜୁଳି ମାଗଣା ପ୍ରଦାନ କରାଯାଉ ଇତ୍ୟାଦି ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking