ଯାଜପୁର: କୋରେଇ ଅଞ୍ଚଳରେ ବିଦ୍ୟୁତ୍ ବିଭାଗର ଜୁଲମ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ମାସର ଧାର୍ୟ୍ୟଲକ୍ଷ ପୂରଣ କରିବା ଆଳରେ ବିଦ୍ୟୁତ୍ ବିଭାଗ ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ନେଇ ଉପଭୋକ୍ତାଙ୍କ ଉପରେ ଜୁଲମ କରୁଥିବାର ଅଭିଯୋଗ ହୋଇଛି । କରୋନା ମାଡ଼ରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ବକେୟା ବିଲ୍ ଆଦାୟ ପାଇଁ ବିଦ୍ୟୁତ୍ ବିଭାଗର କର୍ମଚାରୀ ଏବେ ଗାଁ ଗାଁରେ ବୁଲି ବିଲ୍ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି । ଏପରିକି କେତେକ ସ୍ଥାନରେ ପୁଲିସ୍ର ସହାୟତାରେ ଲୋକଙ୍କୁ ଭୟଭିତ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି । ଏଭଳଳି କିଛି ଘଟଣା ଏବେ କୋରେଇ ଅଞ୍ଚଳରେ ଉପଭୋକ୍ତାଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧୁଥିବା ଜାଣିବାକୁ ମିଳିଛି ।
କିଛିଦିନ ହେବ କୋରେଇ ବ୍ଲକ୍ ପାଣିକୋଇଲି ବିଦ୍ୟୁତ୍ ସରବରାହ ଅଧିନରେ ଥିବା ପାଣିକୋଇଲି, କରଦା, ମୂଳାପାଳ, ପଥରପଦା, ସାଳକଣା ବିଦ୍ୟୁତ୍ ସରବରାହ ଅଧିନରେ ଥିବା ସାଦକପୁର, ହଳଦିଗଡିଆ, ତାରାକୋଟ, ବରୁଣ୍ଡାଇ, ବନ୍ଦାଳୋ ଆଦି ପଞ୍ଚାୟତରେ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ଚାଲିଛି । କେତେକ ଉପଭୋକ୍ତାଙ୍କର କରୋନା କାଳରେ ବିଲ୍ ବକେୟା ଥିବାବେଳେ ବିଦ୍ୟୁତ୍ କର୍ମଚାରୀମାନେ ଗତକାଲି ତାରାକୋଟ ଗ୍ରାମରେ ଟଙ୍କା ଆଦାୟ ପାଇଁ ଯାଇଥିଲେ । ବକେୟା ଟଙ୍କା ନଦେବାରୁ ଉପଭୋକ୍ତାଙ୍କୁ ବିଦ୍ୟୁତ୍ କର୍ମଚାରୀମାନେ ଗାଳିଗୁଲଜ କରିବା ସହିତ ଅସାଦାଚରଣ ବ୍ୟବହାର କରି ଲାଇନ୍ କାଟି ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଏନେଇ ଅଞ୍ଚଳର ବରିଷ୍ଠ ନାଗରିକ ତଥା କଂଗ୍ରେସ ନେତା ହରେକୃଷ୍ନ ସାହୁ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରି ରାଜ୍ୟ ସରକାର ବିଦ୍ୟୁତ ନିଗମ ସଂସ୍ଥାକୁ ଘରୋଇ କରଣକରି ଜନସାଧାରଣଙ୍କ ପ୍ରତି କୁଠାରଘାତ କରୁଛନ୍ତି । କରୋନା ମହାମାରୀ ଦୀର୍ଘ ୩ ବର୍ଷଧରି ସଂକ୍ରମିତ କରି ରଖିଥିବା ବେଳେ ମଧ୍ୟବିତ ଓ ନିମ୍ନମଧ୍ୟବିତ ପରିବାରଙ୍କ ଆର୍ଥିକ ମାନଦଣ୍ଡ ଭୁଷୁଡି ପଡିଛି । ଏହା ଉପରେ କୋରେଇ ଅଞ୍ଚଳରେ ଚଳିତ ବର୍ଷ ଧାନଫସଲ ଉଜୁଡି ଯାଇଛି । କରୋନା ମହାମାରୀ, ମରୁଡି ଓ ବାତ୍ୟା ପରି ମହାବିର୍ଯ୍ୟୟର କୋରେଇବାସୀ ସମ୍ମୁଖିନ ହୋଇଥିବା ବେଳେ ଟାଟା ପାୱାର ବହୁବର୍ଷର ବକେୟା ବିଲ ଆଦାୟ ଲାଗି ଲୋକଙ୍କ ଉପରେ ଜୁଲମ କରୁଛନ୍ତି । ବକେୟା ବିଲରେ ସୁଧ ଯୋଡିବା, ମିଟର ଓ ସେବାଚାର୍ଜ ଭଳି ଜିଜିଆ କର ବସାଇବା ସହିତ କମ୍ପ୍ୟୁଟରର ତ୍ରୁଟିପୂର୍ଣ୍ଣ ବିଲ୍ ଧରି ଉପଭୋକ୍ତଙ୍କ ନିକଟରେ ଆକ୍ରମଣାତ୍ମକ ଢଙ୍ଗରେ ସ୍କାଡ୍ ଧରି ପହଞ୍ଚି ଯାଉଛନ୍ତି କର୍ମଚାରୀ । ଟଙ୍କା ଆଦାୟର ତରିକା ମଧ୍ୟ ଇଂରେଜ ସରକାରଙ୍କ ମେରିରାୟ ନୀତିଠାରୁ ବଳି ପଡୁଛି । ଟାଟା ପାୱାର କର୍ତୃପକ୍ଷ ସମସ୍ତ ସମସ୍ୟାର ତୁରନ୍ତ ସମାଧନ ନକଲେ ଲକ୍ଷାଧିକ ଉପଭୋକ୍ତା ରାଜରାସ୍ତାକୁ ଓହ୍ଲାଇବାକୁ ଚେତେଇ ଦେଇଛନ୍ତି ।