ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ସମୟ ବାକି ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ୩ଜଣିଆ କେନ୍ଦ୍ର ନିର୍ବାଚନ ଆୟୋଗରେ ୨ଟି ଆସନ ଖାଲି ହୋଇଯାଇଛି । ରିପୋର୍ଟ ଅନୁସାରେ ଆସନ୍ତା ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିବେ ବୋଲି ଅନୁମାନ କରାଯାଉଥିବା ବେଳେ ଆଜି ଆଶ୍ଚର୍ଯ୍ୟଜନକ ଭାବେ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ୍ । ସେ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ବେଳେ ରାଷ୍ଟ୍ରପତି ମଧ୍ୟ ଏହାକୁ ସ୍ୱୀକାର କରିନେଇଛନ୍ତି । ପ୍ରକାଶ, ଲୋକସଭା ନିର୍ବାଚନ ପୂର୍ବରୁ ଇସ୍ତଫା ନଦେବା ପାଇଁ ଅରୁଣ ଗୋଏଲଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲା । ଏମିତିରେ ବି ତାଙ୍କ କାର୍ଯ୍ୟକାଳ ପୂରଣ ହେବା ପାଇଁ ଆଉ କିଛି ମାସର ଅବଧି ବାକି ରହିଥିଲା । କିନ୍ତୁ ଆଜି ସେ ହଠାତ୍ ଇସ୍ତଫା ଦେଇଛନ୍ତି । ତେବେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିବା ଦର୍ଶାଇଥିଲେ ମଧ୍ୟ ବାସ୍ତବ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ପ୍ରକାଶ, ନିୟମ ଅନୁସାରେ ଆୟୋଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ବାଦ୍ ଦେଲେ ଅନ୍ୟ ୨ଜଣ ନିର୍ବାଚନ ଆୟୁକ୍ତ ରହିବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ୨ଟି ଆସନ ଖାଲି ହୋଇଛି । ଅରୁଣ ଗୋଏଲଙ୍କ ଇସ୍ତଫା ଦେବା ପୂର୍ବରୁ ଗୋଟିଏ ଆସନ ଖାଲି ରହିଥିଲା । ନିର୍ବାଚନ ଆୟୋଗର ୩ୟ ଆୟୁକ୍ତ ଭାବେ କାର୍ଯ୍ୟ କରିଆସୁଥିବା ଅନୁୂପ ଚନ୍ଦ୍ର ପାଣ୍ଡେ ଫେବ୍ରୁଆରୀ ୧୪ରେ ଅବସର ଗ୍ରହଣ କରିଥିଲେ । ସେବେଠାରୁ ନିର୍ବାଚନ ଆୟୋଗରେ ଗୋଟିଏ ଆସନ ଖାଲି ରହିଥିଲା । ସୁତରାଂ ଲୋକସଭା ନିର୍ବାଚନର ତ।।ରିଖ ଘୋଷଣା ହେବା ପୂର୍ବରୁ ଏହି ଖାଲି ସ୍ଥାନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟତମ ଆୟୁକ୍ତଙ୍କୁ ନିଯୁକ୍ତି ମିଳିବା ନେଇ ଅନୁମାନ କରାଯାଉଥିଲା । କାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦେଶବ୍ୟାପୀ ନିର୍ବଚାନ ଆଚରଣ ବିଧି ଲାଗୁ ହୋଇଯିବ ।
୨ଜଣିଆ ଆୟୋଗଙ୍କ ପକ୍ଷେ ଏତେ ବଡ଼ ନିର୍ବାଚନୀ ପ୍ରକ୍ରିୟାକୁ ସୁଚାରୁରୂପେ ତୁଲାଇବା ଯଥେଷ୍ଟ କଷ୍ଟକର ହୋଇପଡିବ ବୋଲି ମତପ୍ରକାଶ ପାଇଆସୁଥିଲା । ତେବେ ଏବେ ୨ଟି ଖାଲି ଆସନ ସହ ନିର୍ବାଚନ ଆୟୋଗଙ୍କ ପକ୍ଷେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ପରିଚାଳନା କରିବା କଷ୍ଟକର ହୋଇପଡିବ । ଏପରିସ୍ଥିତିରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ଆଉ କିଛି ଦିନ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ନିର୍ବାଚନ ଆୟୋଗରେ ଖାଲି ହୋଇଥିବା ୨ଟି ଯାକ ଆସନ ପାଇଁ ୨ଜଣ ନିର୍ବାଚନ କମିଶନରଙ୍କ ନାମ ସୁପାରିଶ କରିବାକୁ ହେବ । ରାଷ୍ଟ୍ରପତି ଏମାନଙ୍କ ନାମକୁ ସ୍ୱୀକୃତି ଦେବା ପରେ ଏମାନେ ନିର୍ବାଚନ ଆୟୋଗରେ କମିଶନର ଭାବେ ନିଯୁକ୍ତି ପାଇବେ ।