ସମ୍ବଲପୁର : ସମ୍ବଲପୁର ସହର ଧନୁପାଲି ଥାନା ସାକ୍ଷୀପଡ଼ା ହନୁମାନ କଲୋନୀ ଗଳିରେ ଗତ ୧୫ ତାରିଖ ରାତିରେ କୁନି ନାୟକ (୨୦) ଓରଫ୍ ବିଜୟଙ୍କୁ ହତ୍ୟା ମାମଲାରେ ପୁଲିସ ଜଣେ ନାବାଳକଙ୍କ ସମେତ ୬ ଜଣଙ୍କୁ ରବିବାର କୋର୍ଟଚାଲାଣ କରିଛି । ନାବାଳକଙ୍କ ବ୍ୟତୀତ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ସାକ୍ଷୀପଡ଼ା ବାହାଲପଡ଼ାର ଆକାଶ ଭୋଇ (୨୧), ସାକ୍ଷୀପଡ଼ା ହନୁମାନ କଲୋନୀର ସୁଦାମ ସାହା (୨୦), ଅବିନାଶ ଦାସ (୩୦), ସାକ୍ଷୀପଡ଼ା ଆଦିବାସୀ କ୍ଲବ ପାଖର ସୁରେନ୍ଦ୍ର ବିଶ୍ୱାଳ (୩୫), ସାକ୍ଷୀପଡ଼ା ଚର୍ଚ୍ଚ ନିକଟସ୍ଥ ବାବୁଲୁ ନାଏକ (୩୦) । ଅଭିଯୁକ୍ତମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଛିଟାଥିବା ବେସବଲ ବ୍ୟାଟ ଓ ଠେଙ୍ଗା ଜବତ ହୋଇଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବାହାଲପଡ଼ାର ଗୋବିନ୍ଦ ନାଗଙ୍କ ସମେତ ଫେରାର ଥିବା ୪ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଚାଲିଥିବା ଅତିରିକ୍ତ ଏସପି ଅମରେଶ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ମୃତ ବିଜୟଙ୍କ ସାଙ୍ଗ ସନି ଓରାମଙ୍କ ବାପା ରାଜେଶ ଓ ଘଟଣାର ଫେରାର ଅଭିଯୁକ୍ତ ବାହାଲପଡ଼ାର ଗୋବିନ୍ଦ ନାଗଙ୍କ ସାଇକେଲ ଧକ୍କା ହୋଇଥିଲା । ଏହାକୁ ନେଇ ପୂର୍ବରୁ ସନି ଓ ଗୋବିନ୍ଦଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ଘଟଣା ଦିନ ରାତି ସାଢ଼େ ୭ଟାରେ ବିଜୟ ଓ ସନି ସାକ୍ଷୀପଡ଼ା ଆଡ଼କୁ ଯାଉଥିବାବେଳେ ହନୁମାନ କଲୋନୀ ଟ୍ରାନ୍ସଫର୍ମର ନିକଟରେ ପୂର୍ବରୁ ଛକି ରହିଥିବା ଅଭିଯୁକ୍ତମାନେ ଉଭୟଙ୍କୁ ବେସବଲ ବ୍ୟାଟ ଓ ଲାଠିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ବିଜୟ ଗୁରୁତର ହୋଇଥିବାବେଳେ ସନି ମଧ୍ୟ ଆଘାତ ପାଇଥିଲେ । ସ୍ଥାନୀୟ ଲୋକେ ପହଞ୍ଚିଯିବାରୁ ଗୋବିନ୍ଦ ଓ ତାଙ୍କ ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ବିଜୟଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ଜିଲ୍ଲା ସଦର ଡାକ୍ତରଖାନା ଓ ସେଠାରୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ଡାକ୍ତର ବିଜୟଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଧନୁପାଲି ଥାନା ପୁଲିସ ମାମଲା ରୁଜୁ ପୂର୍ବକ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତମାନଙ୍କୁ ଧରିବାକୁ ଜିଲ୍ଲା ପୁଲିସର ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ଗିରଫ ଆକାଶ ଓ ନାବାଳକ ଅଭିଯୁକ୍ତଙ୍କୁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରୁ ଗିରଫ କରାଯାଇଥିଲା । ଅନ୍ୟ ଅଭିଯୁକ୍ତମାନେ ସମ୍ବଲପୁରରୁ ହିଁ ଗିରଫ ହୋଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ତପନ ମହାନ୍ତି, ଧନୁପାଲି ଥାନା ଆଇଆଇସି ପ୍ରଶାନ୍ତ ସାମଲ, ଅଇଁଠାପାଲି ଥାନା ଆଇଆଇସି ଯୋଗେଶ ପଣ୍ଡା ଉପସ୍ଥିତ ଥିଲେ ।