ନୂଆଦିଲ୍ଲୀ : ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି । ଗତ ଏକ ବର୍ଷ ମଧ୍ୟରେ ଦେଶରେ ଅଣ୍ଡାର ଦାମ ପ୍ରାୟ ୩୫-୪୦% ବଢ଼ିସାରିଛି । ଆସନ୍ତା କିଛି ମାସରେ ଏହା ଆହୁରି ମହଙ୍ଗା ହେବାର ସମ୍ଭାବନା ରହିଛି । ନ୍ୟାଶନାଲ ଏଗ କୋଅର୍ଡିନେସନ କମିଟିର ତଥ୍ୟ ଅନୁସାରେ, ବର୍ତ୍ତମାନ ଫାର୍ମରେ ଗୋଟିଏ ଅଣ୍ଡାର ଦାମ ପ୍ରାୟ ୭ ଟଙ୍କା ରହିଛି। ଅନ୍ୟପକ୍ଷରେ, ଅନେକ ବଜାରରେ ଏହାର ଖୁଚୁରା ଦାମ ୮.୫୦ ଟଙ୍କାରୁ ୯ ଟଙ୍କା ମଧ୍ୟରେ ରହିଛି। ଏବେ ପୋଲ୍ଟ୍ରି ଶିଳ୍ପ ଓ ବଜାର ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଚଳିତ ବର୍ଷ ଶୀତ ଋତୁରେ ଅଣ୍ଡାର ଦାମ ପ୍ରତିଟି ୨୦-୨୫ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ତେବେ ଏହି ରେକର୍ଡ ଦାମ ମୁଖ୍ୟତଃ ବ୍ରାଣ୍ଡେଡ, ପ୍ରିମିୟମ ଓ ସ୍ପେଶାଲିଟି ଅଣ୍ଡା କ୍ଷେତ୍ରରେ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ଯେପରି ପୂର୍ବରୁ କୁହାଯାଇଛି, ଅଣ୍ଡା ଦାମରେ ରେକର୍ଡ ସ୍ତରର ଏହି ବୃଦ୍ଧି କେବଳ କିଛି ବିଶେଷ ପ୍ରିମିୟମ କିମ୍ବା ସ୍ପେଶାଲ ବ୍ରାଣ୍ଡର ଅଣ୍ଡାରେ ଦେଖିବାକୁ ମିଳିବ। ସାଧାରଣ ମାନର ଅଣ୍ଡା ପାଇଁ ଏତେ ଅଧିକ ଦାମ ଦେବାକୁ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି।










