-ନବରାତ୍ରୀ,ନଅ ଦିନ ପୂଜାରେ ନଅ ରଙ୍ଗର କଲର କୋଡ଼ ଅନୁଯାୟୀ ଶାଢ଼ୀ ପିନ୍ଧିବେ ବୋଲି, ଏବର୍ଷ ଆମ ମିସେସ ମାନେ ଏ ପୂଜାରେ ମିଶିଛନ୍ତି।ଯେଉଁ କଲର ଶାଢ଼ୀ ନଥିବ ତାହା କିଣା ହେବ।ଏସବୁ ଆମକୁ ଫସାଇବାର ଏକ ସୁଚିନ୍ତିତ ଚାଲ।”
ସହକର୍ମୀ ଦୁଃଶାସନ ବାବୁଙ୍କ କଥା ଶୁଣି କାନ ଭାଁ ଭାଁ ହୋଇଗଲା ମନୋଜ’ର।
ସହଧର୍ମିଣୀ ଆରତୀ’ର ନବରାତ୍ରୀ ବ୍ରତ ପାଳନ କରିବାର ଜିଦି ର ଅସଲ ରହସ୍ୟ ଉନ୍ମୋଚିତ ହେଉଥିଲା ଏବେ ମନୋଜ ସାମ୍ନାରେ।
ମନୋଜ ମନେପକାଉ ଥିଲା ଗତ କାଲି ସନ୍ଧ୍ୟାରେ ସ୍ତ୍ରୀ କହିଥିବା କଥା ସବୁ।
– ଏବର୍ଷ ମୁଁ ଓ ବୋଉ, ନବରାତ୍ରୀ ବ୍ରତ କରିବୁ।ଶରତ ନବରାତ୍ରୀ।”
ଆରତୀ କଥା ଶୁଣି ମନୋଜ ଚିଡିଯାଇ କହିଲା,
– ଆଜି ଯାଏଁ ତ କରୁ ନଥିଲ, ଏବର୍ଷ କାହିଁକି ?ତା ଛଡା ଦଶହରାରେ ଆମ ଓଡ଼ିଆଙ୍କର ତ କେବଳ ଅଷ୍ଟମୀ ବ୍ରତ କରାଯାଏ।ଏଇ ବ୍ରତ ବୋଧେ ନର୍ଥ ଇଣ୍ଡିଆନ ମାନେ କରନ୍ତି।ତମେ…
– ଖାଲି ଉତ୍ତର ଭାରତୀୟ ନୁହେଁ,ଦକ୍ଷିଣ ଭାରତୀୟ ମାନେ ବି ନବରାତ୍ରୀ କରନ୍ତି।ମିସେସ ପେରୁମଲ,ମିସେସ ରେଡ୍ଡୀ ବି କରୁଛନ୍ତି।ତାଛଡା ପୂଜା ବ୍ରତ ହେଉଛି ବିଶ୍ବାସ,ଭକ୍ତି କଥା,ସେଥିରେ ଉତ୍ତର ଦକ୍ଷିଣ କଣ ?ନଅ ଦିନ ଦେବୀ ଦୁର୍ଗାଙ୍କର ନଅ ଅଵତାରଙ୍କ ପୂଜା ହୁଏ।ଏବର୍ଷ ଆମ କ୍ଲବରେ ଆମେ ନିଷ୍ପତ୍ତି ନେଇଛୁ କି ସମସ୍ତେ ମିଶିକି ପୂଜା କରିବୁ ଓ ପ୍ରତ୍ୟେକ ଦିନ ଜଣେ ଜଣେ ମହିଳା ତାଙ୍କ ଘରେ ପୂଜା ବନ୍ଦୋବସ୍ତ କରିବେ ଓ ଅନ୍ୟମାନେ ସମସ୍ତେ ତାଙ୍କ ଘରକୁ ଯିବେ।ମୋ ଭାଗରେ ନବମୀ ଦିନ ପଡିଛି।ଏଇ ନଅ ଦିନ ଘରେ ଆଇଁଷ ହେବନି କି ତମେ ବାହାରେ ଆଇଁଷ ଖାଇବନି।ଘରେ ପିଆଜ ରସୁଣ ବି ବନ୍ଦ। ”
ଟିକେ ବିରକ୍ତ ହୋଇ ମନୋଜ କହିଲା,
– ଓହୋ, ତମେ ଓପାସ କରିବ ବୋଲି ଆମେ କାହିଁକି ଆଇଁଷ ଛାଡ଼ିବୁ ?”
ଏଇ ସମୟରେ ପ୍ରିୟମ୍ବଦା ଘର ଭିତରୁ ବାହାରି ଆସି ପଚାରିଲେ,
-“କିରେ ପାଟି କାହିଁକି କରୁଛୁ ?”
ମନୋଜ କିଛି କହିବା ପୂର୍ବରୁ ଆରତୀ ଶାଶୁଙ୍କୁ ଅଭିଯୋଗ କରି କହିଲା
-“ବୋଉ,ଏବର୍ଷ ଆମେ ଦୁହେଁ ନବରାତ୍ରୀ ଓପାସ କରିବା ଓ ସେଥିପାଇଁ ଘରେ ଆଇଁଷ ପଶିବନି ବୋଲି କହିଁବାରୁ ୟାଙ୍କର ରାଗ।ଏସବୁ ଆମେ ଓଡ଼ିଆ ଲୋକ କାହିଁକି କରୁଛୁ ବୋଲି କହୁଛନ୍ତି।”
ମୁହଁକୁ ମୋଡି ପ୍ରିୟମ୍ବଦା କହିଲେ,
-“ପୁରା ତୋ ଶଶୁରଙ୍କ ଗୁଣ ।ସବୁ ପୂଜା ପର୍ବାଣୀରେ ସେ ବି ବଞ୍ଚିଥିଲା ବେଳେ ମୋ ସହିତ ଲଗାନ୍ତି,ଘରକୁ ଜିଦି କରି ଆଇଁଷ ଆଣନ୍ତି ।”
ତାପରେ ମନୋଜ ଆଡ଼କୁ ଅନାଇ କହିଲେ,
-“ହଇରେ, ପୂଜା ,ବ୍ରତ ମୋ ବୋହୁ କରିବ ବୋଲି କହିବାରୁ ମନା କରୁଛୁ ?ଚୁପ ଚାପ ସେ ଯାହା କହୁଛି ସବୁ ଆଣିକି ଦେ।”
ଛେପ ଢୋକିଲା ମନୋଜ।ଶାଶୁ ,ବୋହୁ ଦୁହେଁ ଯେଉଁଠି ଏକାଠି,ସେଠି ପାଟି ଚୁପ କରିବା ହିଁ ଶ୍ରେୟଃଷ୍କର।ଏଇ ନଅ ଦିନ ପାଟି ଅରୁଚି ହୋଇଯିବ ।
– କଣ ଭାବୁଛନ୍ତି ମନୋଜ ବାବୁ ?”ଦୁଃଶାସନ ବାବୁଙ୍କ ପାଟି ଶୁଣି ଭାବନା ରାଜ୍ୟରୁ ଫେରି ଆସିଲା ମନୋଜ।
– ଅଷ୍ଟମୀରେ ଆମର ଖଣ୍ଡେ ନୂଆ ପିନ୍ଧୁଥିଲେ।ଏବେ ନଅ ଦିନରେ ନଅ ରଙ୍ଗର ଦାମୀ ଶାଢ଼ୀ ?ହେ ଭଗବାନ!ଠାକୁରାଣୀ କଣ ଏମିତି କହିଛନ୍ତି ?କିଏ ଏସବୁ ନିୟମ କଲା ?” ମନୋଜ ପାଟିରୁ ବାହାରି ପଡ଼ିଲା।
– ମନୋଜ ବାବୁ ,ଚିନ୍ତା କରନ୍ତୁ ;ଭାଗ୍ୟ ଭଲ ଏ ବ୍ରତ ଆମ କାର୍ତ୍ତିକ ମାସ ଭଳି ଗୋଟେ ମାସ ହେଉନି।”
ଚମକି ପଡ଼ିଲା ମନୋଜ।ସତେତ !ତା ଘରେ ପୁଣି ଦୁଇ ଜଣ ପୂଜା କରିବେ।ଅଠର ଟା ଶାଢ଼ୀ ?ମଲା ମଣିଷ।ଅବଶ୍ୟ ବାପା ଚାଲିଯିବା ପରେ ବୋଉ ତ ରଙ୍ଗୀନ ଶାଢ଼ୀ ଆଉ ପିନ୍ଧୁନି।ଆରତୀ ଯାହା ଝଡେଇବ।
ଘରକୁ ଯାଇ ଆରତୀକୁ ପଚାରିବାରୁ ହସିଦେଇ ସେ କହିଲା,
-“ନଅ ଦିନ ରେ ମା’ଙ୍କ ନଅ ରୂପ।ପ୍ରତିପଦା ରେ ଶୈଳପୁତ୍ରୀ(କମଳା ରଙ୍ଗ), ଦ୍ଵିତୀୟାରେ ବ୍ରହ୍ମଚାରିଣୀ(ଧଳା ରଙ୍ଗ), ତୃତୀୟା ରେ ଚଂଦ୍ରକାନ୍ତା(ଲାଲ),ଚତୁର୍ଥୀରେ
କୁଷ୍ମାଣ୍ଡ(ଗାଢ଼ ନୀଳ),ପଞ୍ଚମୀରେ ସ୍କନ୍ଧ ମାତା(ହଳଦିଆ),ଷଷ୍ଠୀ ରେ କାତ୍ୟାୟନୀ(ସବୁଜ), ସପ୍ତମୀରେ କାଳରାତ୍ରୀ(ପାଉଁଶିଆ),ଅଷ୍ଟମୀ ରେ ମହାଗୌରୀ(ବାଇଗିଣୀ),ନବମୀରେ ସିଦ୍ଧିଦାତ୍ରୀ(ମୟୁରକଣ୍ଠିଆ) ଙ୍କ ପୂଜା ଓ ସେଇ ରଙ୍ଗ।ଆଉ ଦଶହରା ଦିନ ସରପ୍ରାଇଜ ଅଛି।ଆମ ଘରେ ନବମୀ ଦିନ ପୂଜା ହେବ।ସମସ୍ତେ ଖାଇବେ ଆମ ଘରେ।
– ଦେଖ ସରପ୍ରାଇଜ ଯାହା ଥାଉ,ନଅ ରଙ୍ଗର ନୂଆ ଦାମୀ ପାଟ ଶାଢ଼ୀ ପାଇଁ କହିବନି।
-କିଛି ନୂଆ ଶାଢ଼ୀ ତ ତମକୁ ଆଣିବାକୁ ହିଁ ପଡିବ “କହି ମନୋଜ କାନରେ ଆରତୀ ଯାହା କହିଲା,ତା ଶୁଣି ମନୋଜ ପାଟିରୁ କଥା ବାହାରିଲା ନାହିଁ।ତଥାପି ସେ ବିଶ୍ବାସ କରୁନଥିଲା ଆରତୀ କଥାକୁ।
ମାର୍କେଟରୁ ଅଳ୍ପ କିଛି ନୂଆ ଶାଢ଼ୀ କିଣିଲାବେଳେ ବାରମ୍ବାର ମନେ ପଡୁଥିଲା ଆରତୀ କଥା।
ଘରେ ବିନା ପିଆଜ ରସୁଣ ରେ ନିରାମିଷ ଖାଇବା,ସବୁଦିନ ବିଭିନ୍ନ ଲୋକଙ୍କ ଘରେ ପୂଜା ଓ ନବମୀରେ ନିଜ ଘରେ ପୂଜା।ବଡ଼ ହଲ ରେ ସବୁ ମହିଳା ମାନେ ପୂଜା ସାରି ,ହିନ୍ଦୀ ଗୀତ ଲଗାଇ ଗରବା ନୃତ୍ୟ ଅଭ୍ୟାସ କରୁଥିଲେ।
ପାଖରେ ବସିଥିବା ଦୁଃଶାସନ ବାବୁ ପଚାରିଲେ,
-“ମନୋଜ ବାବୁ, ଦେଖିଲେ ?ମୁଁ କହୁ ନଥିଲି ,ଏସବୁ ଖାଲି ମଉଜ ମସ୍ତି କରି ଶାଢ଼ୀ ପିନ୍ଧିବାର ବାହାନା ବୋଲି ?କେତେ ଚୁନ ଲାଗିଲା ଆପଣଙ୍କୁ ?”
ଦୀର୍ଘ ନିଶ୍ବାସ ଛାଡି ମୁହଁରେ ସ୍ମିତ ହସ ଖେଳାଇ ମନୋଜ କହିଲା,
-“କେବଳ ନିଜ ସ୍ତ୍ରୀ,ମା ଙ୍କ ଛଡା କିଏ ଆମ ଦୀର୍ଘ ଜୀବନ,ଖୁସି ପାଇଁ କଷ୍ଟ କରି ବ୍ରତ ଉପାସ ରଖେ ?ଦେବୀଙ୍କୁ ଫଟରେ ଦେଖୁ,ହେଲେ ଭୁଲି ଯାଉ ଜୀବନ୍ତ ଦେବୀମାନେ ଆମ ପାଖରେ ରହିଥାନ୍ତି।ଛୋଟ ମୋଟ ଝଗଡା,
ମନାନ୍ତର ହୁଏ ; ହେଲେ ସତ କଥା ହେଲା ଫଟ,ମୂର୍ତ୍ତି ରୂପରେ ଥିବା ଦେବୀଙ୍କ ଆଶୀର୍ବାଦ ଅପେକ୍ଷା ଆମ ଘରେ ଥିବା ଜୀବନ୍ତ ଦେବୀଙ୍କ ପୁଣ୍ୟବଳ ଯୋଗୁଁ ଆମ ନିଶ୍ବାସ ଚାଲିଛି।”
ଦୁଃଶାସନ ବାବୁ ବୋଧେ ଏଭଳି ଉତ୍ତର ଆଶା କରିନଥିଲେ।
ମନୋଜ ପୁଣି କହିଲା,
-“ଜାଣିଛନ୍ତି ଏ ବର୍ଷ ମୋ ପାଇଁ ନବରାତ୍ରୀ ପୂଜାର ସିକ୍ରେଟ ?ଘରେ ଥିବା ନିଜ ଶାଢ଼ୀରେ କାମ ଚଳାଇଛନ୍ତି ଶାଶୁ ବୋହୁ।ଅଳ୍ପ କିଛି କମ ଦାମର ଶାଢ଼ୀ କିଣା ହୋଇଛି।ଆରତୀ କିନ୍ତୁ ଏଇ ପୂଜା ବାହାନାରେ ବୋଉକୁ ରଙ୍ଗୀନ ଶାଢ଼ୀ ପିନ୍ଧାଇବାରେ ସଫଳ ହୋଇଛି।ଫିକା ରଙ୍ଗ ଛାଡି,ଗାଢ଼ ରଙ୍ଗ ଶାଢ଼ୀ ପିନ୍ଧିଛି ବୋଉ।ଆମ କଲୋନୀର ଅନ୍ୟ କିଛି ବିଧବା ମହିଳା ବି ଧଳା ରଙ୍ଗ ଛାଡି ନ ରଙ୍ଗ ଶାଢ଼ୀ ପିନ୍ଧିଛନ୍ତି,ପୂଜା କରୁଛନ୍ତି ।ଅନ୍ୟମାନଙ୍କ ସହ ମନ ଖୁସିରେ ଗରବା ନାଚ ନାଚୁଛି ମୋ ବୋଉ।କାଲି ଦଶହରାରେ ପେଣ୍ଡାଲରେ ନାଚିବେ ସମସ୍ତେ।ନବରାତ୍ରୀ ର
ନଅ ରଙ୍ଗରେ ରଙ୍ଗେଇ ଯାଇଛି ମୋ ବୋଉ।ଇନ୍ଦ୍ରଧନୁ ବି ଈର୍ଷା କରିଥିବ ମୋ ବୋଉକୁ।ଏହାଠୁ ବଡ଼ ଖୁସି ମୋ ପାଇଁ ଆଉ କଣ ହୋଇପାରେ ?ଚମତ୍କାର ଏଇ ନବରାତ୍ରୀ।”
ଦୁଇ ଆଖି ଛଳଛଳ ହୋଇଯାଉଥିଲା ମନୋଜ’ର।
(©ଅରବିନ୍ଦଦାସ)