ଭୁବନେଶ୍ୱର : ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ସାମ୍ରାଜ୍ୟର ରାଜା ଖ୍ରୀ:ପୂ ୩୦୦ରେ ଦୁର୍ଗାପୂଜା ଆରମ୍ଭ କରିଥିଲେ। କିନ୍ତୁ ଐତିହାସିକ ଉଦାହରଣରୁ ଜାଣି ବାକୁ ମିଳେ ଚୈତନ୍ୟ ମହାପ୍ରଭୁ ପ୍ରାୟ ୪୦୦ ବର୍ଷ ପୂର୍ବେ କଟକରେ ଏହି ପୂଜା ଆରମ୍ଭ କରିଥିଲେ। ଚୈତନ୍ୟଦେବ ନଦିଆଠାରୁ ବାହାରି ବାଟରେ ରହି ରହି ଆସୁଥିଲେ। କଟକ ରହଣି କାଳରେ ସେ ସ୍ଥାନୀୟ ବିନୋଦବିହାରୀ ପୀଠରେ ରହି ୧୫୦୯ ମସିହାରେ ପ୍ରଥମେ ମା’ଙ୍କ ଘଟପୂଜା ଆରମ୍ଭ କରିଥିଲେ। ଚୈତନ୍ୟ ଦେବଙ୍କ ସହିତ ଆସିଥିବା ଅନୁଗାମୀମାନଙ୍କ ମଧରୁ କେତେଜଣ ଏହି ପୂଜାକୁ ସାର୍ବଜନୀନ କରିବା ପାଇଁ ମା’ଙ୍କ ମୂର୍ତ୍ତି ପୂଜା ଆରମ୍ଭ କଲେ। ୧୮୩୨ ମସିହାରେ କାଜିବଜାରର କେତେକ ଓଡ଼ିଆ ଓ ବେଙ୍ଗଲୀ କର୍ମଜୀବୀ ଯେଉଁମାନେ ଇଂରେଜ ସରକାରଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀରେ କାମ କରୁଥିଲେ ସାର୍ବଜନୀନ ଭାବେ ମା’ ଙ୍କ ମୂର୍ତ୍ତି ପୂଜାକଲେ। ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗା ପୂଜାକୁ ବିଜୟାଦଶମୀ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣ ରେ ଦଶହରା।
ଭଗବତୀ ପୀଠ
ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ଙ୍କର ଶାରଦୀୟ ଦୁର୍ଗାତ୍ସବର ପୀଠ ରୀତିନୀତି ଅତୀବ ରହସ୍ୟମୟ। ଭଗବତୀ ସଂସ୍କୃତିରେ ଉଭୟ ବନଦୁର୍ଗା ଏବଂ କନକଦୁର୍ଗାଙ୍କ ଚଳନ୍ତି ପ୍ରତିମାଙ୍କର ଉପାସନା କରାଯାଏ। ମୂଳାଷ୍ଟମୀ ଠାରୁ ପର୍ବ ଆରମ୍ଭ ହେଇ ଦଶହରାରେ ସମାପ୍ତ ହୁଏ । ସପ୍ତମୀ, ଅଷ୍ଟମୀ ଓ ନବମୀ ରେ ତ୍ରିକାଳ ପୂଜା କରାଯାଏ। ଏଥିରେ ପୂର୍ବାହ୍ନରେ ଫଳମୂଳ ଓ ଅପରାହ୍ନରେ ଏବଂ ରାତ୍ରିରେ ସଙ୍ଖୁଡି ପୂଜା କରାଯାଏ। ମହାନବମୀ ଦିନ ଏକ ଦିନାତ୍ମକ ପୂଜା କରାଯାଏ।
ଭଗବତୀ ପୀଠର ବିଶେଷତ୍ଵ ଯେ ସେହି ଏକଦିନାତ୍ମକ ମହାନବମୀ ପୂଜାରେ ମଧ୍ୟରାତ୍ରରେ ମହିଷ ବଳି ସହିତ ଇନ୍ଦ୍ର ଓ ଇନ୍ଦ୍ରାଣି ପୂଜା ହୁଏ । ଭଗବତୀଙ୍କର ପୃଷ୍ଠଦେଶରେ ଥିବା ମନ୍ଦିର ବାହ୍ୟ ପାର୍ଶ୍ଵରେ ଦେବୀ ବଜ୍ରବରାହୀ ବା ଐନ୍ଦ୍ରି ଭଗବତୀ ପୀଠର ମତ୍ସ୍ୟମାଧବୀ ଉପାସନା ବିଧି ଅନ୍ୟତ୍ର ଦୃଷ୍ଟିଗୋଚର ହୁଏନାହିଁ ।
ମହାଅଷ୍ଟମୀ ପୂଜାରେ ଭଗବତୀଙ୍କର ପ୍ରଥମ ଯଜମାନ ପାରିକୁଦ ରାଜା ଦେବୀଙ୍କର ଆମିଷ ଭୋଗ ନିମନ୍ତେ ତିନୋଟି ଛାଗ ପ୍ରଦାନ କରନ୍ତି ଏବଂ ପ୍ରସାଦ ରୂପ୍ରେ ଗ୍ରହଣ କରନ୍ତି। ମହାଷ୍ଟମୀରେ ମଧ୍ୟରାତ୍ରିରେ ମହିଷ ଆମିଷ ଭୋଗ ରୂପେ ଏବଂ ନବମୀ ଦଶମୀ ସନ୍ଧି ବ୍ରାହ୍ମମୁହୂର୍ତ୍ତ ପୂଜାରେ ମାଛ, ମାଂସ, ବେଲପତ୍ର , ମହାପ୍ରସାଦ, ତୁଳସୀ , ରୁଧିର ଏକତ୍ର ପୂଜା ହୁଏ। ଏହାକୁ ଇନ୍ଦ୍ରପୂଜା କୁହାଯାଏ।ପ୍ରଥମେ ପଦ୍ମମୁଦ୍ରାରେ ଆସନ ପାତ୍ରରେ ପାଞ୍ଚଟି ଫୁଲ ରଖାଯାଏ। ତା’ପରେ ସ୍ଵାଗତ ମୁଦ୍ରାରେ ଛଅଗୋଟି ଫୁଲ ରଖାଯାଏ। ତା’ ପରେ ପାଦ୍ୟମୁଦ୍ରା ଏବଂ ଅର୍ଘ୍ୟମୁଦ୍ରାରେ ତାମ୍ରପାତ୍ରରେ ଜବଧାନ, କୁଶ,ତିଳ ଏବଂ ଶ୍ଵେତ ସୋରିଷ ରଖାଯାଏ। ଆଚମନ ମୁଦ୍ରାରେ ଜାଇଫଳ, ଲବଙ୍ଗ, ଗନ୍ଧକାଙ୍ଗୁଳା ଜଳକୁ ଆଚମନ ପାତ୍ରରେ ରଖାଯାଏ । ମଧୁପର୍କ ମୁଦ୍ରାରେ ଘୃତ,ମଧୁ ଏବଂ ଚିନି କାଂସ ପାତ୍ରରେ ରଖାଯାଏ । ସ୍ନାନ ମୁଦ୍ରାରେ ଚନ୍ଦନ ଓ ପଦ୍ମକେଶର ମିଶ୍ରିତ ଜଳ ରଖାଯାଏ । ବସନ ମୁଦ୍ରାରେ ବସନ ରଖାଯାଏ । ତା’ ପରେ ଆବରଣ ମୁଦ୍ରାରେ ଚମ୍ପାଫୁଲ, ଗନ୍ଧମୁଦ୍ରାରେ ଚନ୍ଦନ, ସୁମନ ମୁଦ୍ରାରେ ବେଲପତ୍ର, ପଦ୍ମଫୁଲ,ମନ୍ଦାର ଏବଂ ପୁଷ୍ପାଞ୍ଜଳୀ ଦିଆଯାଏ ।