ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ତାଜୁଙ୍ଗିଆ ପଞ୍ଚାୟତର ତାଜୁଙ୍ଗିଆ ଗ୍ରାମବାସୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗ୍ରାମରେ ଯିଏ ମଦ ରାନ୍ଧିବ ଓ ବିକ୍ରି କରିବ ଏବଂ ମଦ୍ୟପାନ କରି ଗ୍ରାମରେ ବିଶୃଙ୍ଖଳା କରିବ ତାଙ୍କୁ ବିପିଏଲ ତାଲିକାରୁ ବାଦ ଦେଇ ସରକାରୀ ସୁବିଧା ପାଇବାରୁ ବଞ୍ଚିତ କରାଯିବ । ଏପରି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ତାଜୁଙ୍ଗିଆ ଗ୍ରାମବାସୀ । ରବିବାର ଅପରାହ୍ନରେ ତାଜୁଙ୍ଗିଆସ୍ଥିତ ଭଲିବଲ ପଡ଼ିଆ ନିକଟସ୍ଥ ଆମ୍ବ ତୋଟାରେ ଗ୍ରାମର ଯୁବସଙ୍ଘ ଓ ମହିଳା ସଂଗଠନ ପକ୍ଷରୁ ନିଶାମୁକ୍ତ ଅଭିଯାନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୫ନଂ ୱାର୍ଡ ସଭ୍ୟ ବିଜୟ ସିଂ ସଭାପତି ଭାବେ ଯୋଗ ଦେଇଥିବାବେଳେ ସରପଞ୍ଚଙ୍କ ପ୍ରତିନିଧି କରୁଣାକର ପ୍ରଧାନ, ୪ନଂ ୱାର୍ଡ ସଭ୍ୟ କାଇନ ବେହେରା ମାଝି, ପୂର୍ବତନ ୱାର୍ଡ ସଭ୍ୟ ଲିଅ ନାୟକ ମଞ୍ଚାସୀନ ଥିବାବେଳେ ଗ୍ରାମର ବୁଦ୍ଧିଜୀବୀ, ମହିଳା ସଂଗଠନ, ଯୁବ ସଂଗଠନମାନ ଯୋଗ ଦେଇଥିଲେ ।
ଆୟୋଜିତ ବୈଠକରେ ତାଜୁଙ୍ଗିଆ ପଞ୍ଚାୟତକୁ ନିଶା ମୁକ୍ତ ପଞ୍ଚାୟତ ଭାବେ ଗଠନ କରିବା ବିଷୟରେ ଆଲୋଚନା କରାଯାଇଥିଲା । ନିଶା ସେବନ ଦ୍ୱାରା ନିଜର କେବଳ କ୍ଷତି ହେଉନି ଏହା ବର୍ତ୍ତମାନର ଯୁବପିଢ଼ିଙ୍କୁ ଅନ୍ଧକାର ଆଡ଼କୁ କଢ଼େଇ ନେଉଛି । ଏଥିପାଇଁ ପ୍ରଥମେ ତାଜୁଙ୍ଗିଆ ଗ୍ରାମର ଯୁବସଙ୍ଘ ଏବଂ ମହିଳା ସଂଘ ନେତୃତ୍ୱରେ ଏକ ବୈଠକ ଆୟୋଜନ କରାଯାଇ ମଦ କାରବାର କରୁଥିବା ପରିବାର ମାନଙ୍କୁ ଚିହ୍ନଟ କରି ମଦ କାରବାର ବନ୍ଦ କରିବା ପାଇଁ ବୈଠକରେ ସଚେତନା କରାଯାଇଥିଲା । ଏଥିରେ ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରି ନଥିଲେ ମଦ କାରବାର କରୁଥିବା ବ୍ୟକ୍ତିମାନେ । କିଛି ସମୟ ପାଇଁ ସଭା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ଗ୍ରାମର ବୁଦ୍ଧିଜୀବୀମାନେ ଅନେକ ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ହୋଇଥିଲା । ମଦ କାରବାରକୁ ନେଇ ପୂର୍ବବୈଠକ ମାନଙ୍କରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ କିଛି ଦିନ ପରେ ତାହାର ପୁନରାବୃତ୍ତି ହେଉଥିବା ବେଳେ ମଦ କାରବାର କରୁଥିବା ଲୋକଙ୍କ ଠାରୁ ଟଙ୍କା ନେଇ ପୁଲିସ ନୀରବ ରହୁଥିବା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା ।
ଏଣୁ ଏକ ଦୃଢ଼ ପଦକ୍ଷେପ ଗ୍ରହଣ ସ୍ୱରୂପ ଯେଉଁମାନେ ମଦ ରାନ୍ଧିବେ କିମ୍ବା ବିକ୍ରୀ କରିବେ ଓ ନିଶା ସେବନ କରି ଗ୍ରାମର ଶୃଙ୍ଖଳା ଭଙ୍ଗ କରିବେ ତା ସହିତ ଟଙ୍କା ନେଇ ତାସ ଖେଳିବେ ସେମାନଙ୍କର ପଡ଼ିକାର୍ଡକୁ ସିଜ୍ କରିବା ସହ ଭତ୍ତା ପାଉଥିଲେ ଭତ୍ତା ତଥା ପଞ୍ଚାୟତ ସ୍ତରରେ ମିଳୁଥିବା ସମସ୍ତ ସରକାରୀ ସୁବିଧାକୁ ବନ୍ଦ କରାଯିବା ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରି ଏକ ଚୁକ୍ତିନାମା ଲେଖି ଉପସ୍ଥିତ ଗ୍ରାମବାସୀ, ମହିଳା ସଂଗଠନ, ଯୁବ ସଂଘ ଓ ମଦ କାରବାରରେ ଲିପ୍ତ ଥିବା ଲୋକେ ଦସ୍ତଖତ କରି ନିଶା ମୁକ୍ତ ଅଭିଯାନକୁ ସୁଦୃଢ଼ କରିବାକୁ ସ୍ଥିର କରିଛନ୍ତି । ମଦ କାରବାର କରୁଥିବା ବ୍ୟକ୍ତିମାନେ ମଧ୍ୟ ନିଜ ଭୁଲକୁ ବୁଝିପାରି ଗ୍ରାମବାସୀଙ୍କ ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ପଞ୍ଚାୟତର ସମସ୍ତ ଗ୍ରାମକୁ ଯାଇ ସଚେତନା କରିବା ସହ ସମ୍ପୂର୍ଣ୍ଣ ନିଶାମୁକ୍ତ ପଞ୍ଚାୟତ ଗଠନ କରିବାକୁ ସ୍ଥିର କରାଗଲା । ଯୁବସଙ୍ଘ ସଦସ୍ୟ ରମେଶ ବେହେରା ମାଝୀ, ବସୁରାଜ ବେହେରା, ଅବିନ ମାଝୀଙ୍କ ସମେତ ଗ୍ରାମର ସମସ୍ତ ଯୁବଗୋଷ୍ଠୀ ଓ ମହିଳା ସଙ୍ଗଠନ ଆୟୋଜିତ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।