ଆଡିଲେଡ: ଆସନ୍ତା ୧୮ ତାରିଖଠାରୁ ଭାରତର ନ୍ୟୁଜିଲାଣ୍ଡ୍ ବିପକ୍ଷ ସୀମିତ ଓଭର୍ ସିରିଜ୍ ଆରମ୍ଭ ହେଉଥିବା ବେଳେ ଏହି ଗସ୍ତରେ ଦଳ ସହ ରହିବେ ନାହିଁ ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ । ତାଙ୍କ ସହ ଟି-୨୦ ବିଶ୍ୱକପ୍ରେ ସକ୍ରିୟ ଥିବା ସପୋର୍ଟ ଷ୍ଟାଫ୍ଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସିରିଜ୍ରେ ମୁଖ୍ୟ କୋଚ୍ ଭୂମିକା ତୁଲାଇବେ ନାସନାଲ୍ କ୍ରିକେଟ୍ ଏକାଡେମୀ (ଏନ୍ସିଏ) ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ।
ଆସନ୍ତା ୧୮ରୁ ୱେଲିଂଟନ୍ଠାରେ ଆରମ୍ଭ ହେଉଥିବା ଏହି ସୀମିତ ଓଭର୍ ସିରିଜ୍ରୁ ପୂର୍ବରୁ ଅଧିନାୟକ ରୋହିତ ଶର୍ମା, ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ଓପନର ଲୋକେଶ ରାହୁଲ୍ ଓ ଭେଟେରାନ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ଭାରତର ଆଗାମୀ ନ୍ୟୁଜିଲାଣ୍ଡ୍ ବିପକ୍ଷ ସିରିଜ୍ରେ ଦଳର ବ୍ୟାଟିଂ କୋଚ୍ ଭୂମିକା ହୃଷିକେଶ କାନିତକର୍ ଓ ବୋଲିଂ କୋଚ୍ ଭୂମିକା ସାଇରାଜ୍ ବାହୁତୁଲେ ତୁଲାଇବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି । ବିଶ୍ୱକପ୍ ପୂର୍ବରୁ ମଧ୍ୟ ଲକ୍ଷ୍ମଣ ଭାରତୀୟ ଦଳ ସହ ଜିମ୍ବାୱେ, ଆୟର୍ଲାଣ୍ଡ୍ ଗସ୍ତ କରିବା ସହ ସାଉଥ୍ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍ରେ ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିଥିଲେ ।