ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରହୁଲ ଦ୍ରାବିଡ୍ ଏସିଆ କପ୍ ପୂର୍ବରୁ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ରୋହିତ ଶର୍ମାଙ୍କୁ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ସହିତ ଦୁବାଇ ଗସ୍ତ କରିନାହାନ୍ତି । ବିସିସିଆଇ ସମ୍ପାଦକ ଜୟ ଶାହ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ପ୍ରଥମ ମ୍ୟାଚ୍ରେ ଭାରତ ୨୮ ତାରିଖରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଏକ ବୟାନରେ ଶାହ କହିଛନ୍ତି, ‘ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ୟୁଏଇ ଯାତ୍ରା ପୂର୍ବରୁ କରାଯାଇଥିବା ରୁଟିନ୍ କୋଭିଡ୍-୧୯ ପରୀକ୍ଷାରେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦ୍ରାବିଡ୍ଙ୍କର ସାମାନ୍ୟ ଲକ୍ଷଣ ଥିବାବେଳେ ସେ ଏବେ ବିସିସିଆଇ ମେଡିକାଲ୍ ଟିମ୍ ଦେଖାଶୁଣାରେ ଅଛନ୍ତି ।
ତାଙ୍କ କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଟିମ୍ ସହ ଯୋଗଦେବେ ।’ ଫଳରେ ସହାୟକ କୋଚ୍ ପାରସ ମହାମ୍ବ୍ରେ ଏସିଆ କପ୍ରେ ଟିମ୍ ଦାୟିତ୍ୱରେ ରହିବେ । ତେବେ ଆବଶ୍ୟକ ପଡ଼ିଲେ ଏନ୍ସିଏ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଦୁବାଇରେ ଟିମ୍ ସହ ଯୋଗ ଦେଇପାରନ୍ତି ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି । ଏ ସମ୍ପର୍କରେ ମଙ୍ଗଳବାର ନିଷ୍ପତ୍ତି ନିଆଯାଇପାରେ । ଟିମ୍ର ଅନ୍ୟ ସଦସ୍ୟ ଫିଟ୍ ଅଛନ୍ତି ଏବଂ ମଙ୍ଗଳବାର ସକାଳେ ୟୁଏଇ ଅଭିମୁଖେ ଯାତ୍ରା କରିଛନ୍ତି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ଟିମ୍ ଇଣ୍ଡିଆର ଅଧିକାଂଶ ସଦସ୍ୟ ମଙ୍ଗଳବାର ସକାଳେ ମୁମ୍ବାଇରୁ ୟୁଏଇ ଯାତ୍ରା କରିଥିବା ବେଳେ ଭାଇସ୍ କ୍ୟାପ୍ଟେନ୍ କେଏଲ୍ ରାହୁଲ, ଦୀପକ ହୁଡ୍ଡା ଏବଂ ରିଜର୍ଭ ଖେଳାଳି ଅକ୍ଷର ପଟେଲ୍ ଜିମ୍ବାୱେ ଗସ୍ତ କାର୍ଯ୍ୟକ୍ରମ ସାରି ହରାରେରୁ ଯାତ୍ରା କରିବେ ।