ନୂଆଦିଲ୍ଲୀ: ବାସନ ମାଜି ନ ଥିବାରୁ ଗାଳି ଶୁଣି ରାଗରେ ନାବାଳିକା ଝିଅ ତା’ର ମାଆକୁ ତାୱାରେ ପିଟି ପିଟି ମାରି ପକାଇଥିବା ଅଭିଯୋଗ ହୋଇଛି ବୋଲି ନଇଡ଼ା ପୋଲିସ କହିଛି ।ଏ ନେଇ ଏକ ମାମଲା ରୁଜୁ ହେବା ପରେ ଝିଅଟିକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି ।ସୂଚନା ଅନୁଯାୟୀ, ମାଆ ଆହତ ବୋଲି ନଇଡ଼ାର ସେକ୍ଟର ୭୭ସ୍ଥିତ ୧୪ ତାଲାରେ ଥିବା ଆପାର୍ଟମେଣ୍ଟ୍କୁ ରବିବାର ରାତିରେ ଝିଅଟି ପଡ଼ିଶାମାନଙ୍କୁ ଡାକିଥିଲା । ରକ୍ତାକ୍ତ ଅବସ୍ଥାରେ ଥିବା ଉକ୍ତ ମହିଳାଙ୍କ ମୁଣ୍ଡରେ କେତେଗୁଡ଼ିଏ କ୍ଷତ ସୃଷ୍ଟି ହୋଇଥିଲା । ପଡ଼ୋଶୀମାନେ ତାଙ୍କୁ ଡାକ୍ତରଖାନା ନେବା ପରେ ସେ ମୃତା ବୋଲି ଘୋଷଣା କରାଯାଇଥିଲା । ପ୍ରାୟ ୩୫ ବର୍ଷ ବୟସ୍କା ଉକ୍ତ ମହିଳା ଗ୍ରେଟର ନଇଡ଼ାର ଗୋଟାଏ କମ୍ପାନିର ଯୋଗାଣ ବିଭାଗରେ କାର୍ଯ୍ୟ କରୁଥିଲେ । ବିବାହର ୫ ବର୍ଷ ପରେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ସେ ଝିଅ ସହ ବାସ କରୁଥିଲେ ବୋଲି ପୋଳିସ କହିଛି । ବରିଷ୍ଠ ପୁଲିସ ଅଧିକାରୀ ରଣବିଜୟ ସିଂହ କହିଛନ୍ତି, ବାସନକୁସନ ମାଜିବାକୁ ମହିଳାଜଣଙ୍କ ଝିଅକୁ କହିଥିଲେ । କିନ୍ତୁ ଝିଅ ନ ମାଜିବାରୁ ସେ ଗାଳିଗୁଲଜ କରିଥିଲେ । ଏହା ପରେ ମାଆ ଝିଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରାଗରେ ଝିଅଟି ମାଆ ମୁଣ୍ଡକୁ ତାୱାରେ ପିଟିଥିଲା ବୋଲି କୁହାଯାଉଛି । କିନ୍ତୁ ଝିଅଟି ପ୍ରଥମେ ପୁଲିସକୁ କହିଥିଲା ଯେ, ସେ ବାହାରୁ ଫେରି ଦେଖେ ତ ମାଆ ରକ୍ତାକ୍ତ ହୋଇ ପଡ଼ିଛି । ମାତ୍ର ପୁଲିସ ପଡ଼ିଶାମାନଙ୍କୁ ପଚରାଉଚରା କରିବା ସହ ଆପାର୍ଣ୍ଟମେଣ୍ଟ୍ର ପରିସରରେ ଥିବା ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରି ଫ୍ଲାଟ୍ ମଧ୍ୟକୁ ବାହାରର କୌଣସି ଲୋକ ପଶି ନ ଥିବା ଜାଣିଥିଲେ । ପୁଲିସ ଅଧିକ ଜେରା କରିବାରୁ, ମାଆକୁ ପିଟି ପିଟି ମାରି ଦେଇଥିବା କଥା ନାବାଳିକା ଝିଅ ସ୍ୱୀକାର କରିଥିଲା ।