30.1 C
Bhubaneswar
Monday, May 20, 2024
Homeଓଡିଶାଟୀକାକରଣ କେନ୍ଦ୍ରମାନଙ୍କରେ ହେଉଥିବା ଅବ୍ୟବସ୍ଥା କରୋନା ସଂକ୍ରମଣ ବୃଦ୍ଧିର ବାହକ ହେଉ ନାହିଁ ତ ?

ଟୀକାକରଣ କେନ୍ଦ୍ରମାନଙ୍କରେ ହେଉଥିବା ଅବ୍ୟବସ୍ଥା କରୋନା ସଂକ୍ରମଣ ବୃଦ୍ଧିର ବାହକ ହେଉ ନାହିଁ ତ ?

ଯାଜପୁର: ଯାଜପୁର ଜିଲ୍ଲାରେ ଏବେ କରୋନା ସଂକ୍ରମଣ ରାଜ୍ୟର ଅନ୍ୟ କେତେକ ଜିଲ୍ଲାଠାରୁ ଅପେକ୍ଷାକୃତ ଭାବେ ନିୟନ୍ତ୍ରଣକୁ ଆସି ପାରି ନାହିଁ । ଜିଲ୍ଲାର ଦୈନିକ ସଂକ୍ରମଣ ହାର ଏବେ ବି ରାଜ୍ୟ ହାରର ହାରାହାରି ୫ ପ୍ରତିଶତ ରହୁଛି ଏବଂ ଏବେ ଆସୁଥିବା ଜିଲ୍ଲାରେ ଦୈନିକ କରୋନା ମୃତ୍ୟୁର ହିସାବ ବି ଆହୁରି ଅଧିକ ଚିନ୍ତାଜନକ ରହିଛି । ଶନିବାର ଦିନ ୫ ଜଣ ଏବଂ ଗତକାଲି ୬ ଜଣ ବ୍ୟକ୍ତି ଜିଲ୍ଲାରୁ କରୋନାରେ ମୃତ୍ୟୁବରଣ କରିଥିବା ନେଇ ରାଜ୍ୟ ସରକାର ହିସାବ ଦେଇଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗ କିନ୍ତୁ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ସେତେ ଗୁରୁତ୍ବ ନ ଦେଇ ସଂକ୍ରମଣ ବୃଦ୍ଧି କରିବାକୁ ବେଖିଆଲ୍ ହୋଇ ସତେ ଯେମିତି ଲଗାମ ଛାଡ଼ି ଦେଇଥିବା ପରି ଅନୁଭବ ହେଉଛି । ଏବେ ବିଭିନ୍ନ ଟୀକାକରଣ କେନ୍ଦ୍ରମାନଙ୍କରେ ଟୀକାଦାନ କାର୍ଯ୍ୟକ୍ରମକୁ ସୁବ୍ୟସ୍ଥିତ କରିବା ଦିଗରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଆଦୌ ଧ୍ୟାନ ଦେଉ ନ ଦେବା ଘଟଣାରୁ ତାହା ସ୍ପଷ୍ଟ ପ୍ରତୀୟମାନ ହେଉଛି । ଆଜି ବଡ଼ଚଣା ବ୍ଲକ ଅନ୍ତର୍ଗତ ଦର୍ପଣ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ସେଭଳି ଏକ ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳିଥିଲା । ଏଠାରେ ଆଜି ୪୦୦ ଲୋକଙ୍କୁ ଟୀକାଦାନ କରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରଖା ଯାଇଥିଲା । ସେହି ଅନୁସାରେ ଲୋକମାନେ ବି ଟୀକା ନେବା ପାଇଁ ସକାଳୁ ସକାଳୁ ଆସି ସେହି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଯାଇଥିଲେ । ଏକାବେଳକେ ବହୁ ସଂଖ୍ୟାରେ ଲୋକ ଆସି ପହଞ୍ଚି ଯିବା ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରର ସେହି ଛୋଟିଆ ପରିସରରେ ସ୍ବାଭାବିକ ଭାବେ ଖୁନ୍ଦାଖୁନ୍ଦୀ ଭିଡ଼ ହୋଇ ଯାଇଥିଲା । ତେବେ ଆଜି ସକାଳୁ ଅତ୍ୟଧିକ ଟାଣ ଖରା ହେଉଥିବାରୁ ଏବଂ ଖରା ବର୍ଷାରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସେଠାରେ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ କିଛି ଲୋକ କେମିତି ଆଗୁଆ ଟୀକା ନେଇ ଚାଲିଯିବେ ସେଥିପାଇଁ କୋଭିଡ଼ କଟକଣାକୁ ସମ୍ପୂର୍ଣ୍ଣ ଭୁଲି ଚଢା ଓଟରା ହେଉଥିବା ଦେଖିବାକୁ ମିଳିଥିଲା । ଲୋକେ ସେଠାରେ ସାମାଜିକ ଦୂରତା କଥା ଛାଡ଼ନ୍ତୁ ଟୀକା ନେବା ପାଇଁ ଆସିଥିବା ଅନେକ ଲୋକଙ୍କ ମୁହଁରେ ମାସ୍କ୍ ମଧ୍ୟ ପିନ୍ଧି ନ ଥିବା ପରିଲକ୍ଷିତ ହୋଇଥିଲା । ଏଠାରେ ଆଜି ସିନା ଟାଣ ଖରା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା, କିନ୍ତୁ ଏବେ ବର୍ଷାଋତୁ ହୋଇଥିବା ବେଳେ ଯେତେବେଳେ ବର୍ଷା ହେଉଥିବ ସେତେବେଳେ ବିଭିନ୍ନ ଟୀକାକରଣ କେନ୍ଦ୍ରକୁ ଟୀକା ନେବା ପାଇଁ ଆସୁଥିବା ଲୋକମାନେ କେତେ ଯେ ହିନସ୍ଥା ଭୋଗ କରୁଥିବେ ଏଥିରୁ ଏବେ ଅନୁମାନ ଲଗାନ୍ତୁ । ଏହା କେବଳ ଏହି ଗୋଟିଏ ଟୀକାକରଣ କେନ୍ଦ୍ର ନୁହଁ ବରଂ ପ୍ରତ୍ୟେକ କେନ୍ଦ୍ରରେ ଏଭଳି ସ୍ଥିତି ପ୍ରାୟ ଦେଖିବାକୁ ମିଳୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଦିନମାନଙ୍କରେ ଟୀକାକରଣ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ଯେତେବେଳେ ଯେଉଁ କେନ୍ଦ୍ରରେ ଟୀକାଦାନ କରାଯିବ ସେସବୁ ସ୍ଥାନରେ ଲୋକଙ୍କ ସୁବିଧା ପାଇଁ ଖରା ବର୍ଷାରୁ ସାମାନ୍ୟ ସୁରକ୍ଷା ଦେବା ନିମନ୍ତେ ମୁଣ୍ଡ ଉପରେ ଅସ୍ଥାୟୀ ଛାମୁଡ଼ିଆ ସ୍ଥାପନ ସହିତ ସେଠାରେ ପାନୀୟ ଜଳର ବ୍ୟବସ୍ଥା କରାଇବା ଆବଶ୍ୟକ । ଅନ୍ୟପକ୍ଷରେ ବେଳେବେଳେ କେତେକ ସ୍ଥାନରେ ସୃଷ୍ଟି ହେଉଥିବା ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ୍ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଏଭଳି ଅବ୍ୟବସ୍ଥା ଯୋଗୁଁ ଜିଲ୍ଲାରେ ଆଗକୁ ସଂକ୍ରମଣ ହାତରୁ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପୂର୍ବରୁ ଯାଜପୁର ଜିଲ୍ଲାପାଳ ଏଥିପ୍ରତି ସଚେତନ ହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking