17.1 C
Bhubaneswar
Friday, December 19, 2025
Homeଓଡିଶାଯାଜପୁରରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ଯାଜପୁରରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ଯାଜପୁର: ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଖରିଫ୍ ବର୍ଷ ୨୦୨୪-୨୫ ପାଇଁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥିଭାବେ ବିଂଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଶୁଭେନ୍ଦ୍ର କୁମାର ସାମଲ, ଉପଜିଲ୍ଲାପାଳ ଅଂଶୁମାନ ଶତପଥୀ ଯୋଗଦେଇଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ ସ୍ବାଗତ ଭାଷଣ ଦେଇଥିଲେ। ଆସନ୍ତା ତା ୦୭.୦୧.୨୦୨୫ ରିଖରେ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତି ହୋଇଥିଲା। ଜିଲ୍ଲାରେ ମୋଟ୍ ୫୩,୧୭୯ ଜଣ ପଞ୍ଜୀକୃତ ଚାଷୀଙ୍କଠାରୁ ୧୨୭ ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୩୫ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଧାନ ସଂଗ୍ରହ କରାଯିବ। ଚଳିତ ବର୍ଷ ଏମ.ଏସ.ପି ବୃଦ୍ଧି କରାଯାଉଥିବାରୁ ଧାନ ସଂଗ୍ରହ ବୃଦ୍ଧି ପାଇବ ବୋଲି ବିଧାୟକମାନେ ମତ ପୋଷଣ କରିଥିଲେ। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଅଧ୍ୟକ୍ଷତା କରି କହିଲେ ସରକାର ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ କରିବେ। ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ମାନଙ୍କରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଏବଂ ଚୋରାଚାଲାଣ ରୋକିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଛି। ସମସ୍ତ ମଣ୍ଡିମାନଙ୍କରେ ଜଣେ ଲେଖାଏଁ ନୋଡାଲ ଅଧିକାରୀ ଓ ୪ /୫ ଟି ମଣ୍ଡିରେ ଜଣେ ଲେଖାଏଁ ସୁପରଭାଇଜିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଚଳିତ ବର୍ଷ ଏଫ୍.ଏ.କ୍ୟୁ ର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩00 ଟଙ୍କା ଏବଂ ଗ୍ରେଡ – ଏ ମୂଲ୍ୟ ୨୩୨୦ ଟଙ୍କା ରଖାଯାଇଛି। ଏହା ସହ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ସହାୟତା ସହ ସର୍ବମୋଟ ୩୧୦୦ ଟଙ୍କା ହେବ। ପ୍ରତ୍ୟେକ ମଣ୍ଡିରେ ଗୁଣାତ୍ମକମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା ରହିଛି। ଧାନର ମାନ ନିରୀକ୍ଷଣ କରିବା ପାଇଁ ଗ୍ରେନ୍ ଆନାଲାଇଜର ଏବଂ ଡିଜିଟାଲ ଆଦ୍ରତା ମାପ ଯନ୍ତ୍ରର ବ୍ୟବସ୍ଥା ହୋଇଛି। ବାହାର ଜିଲ୍ଲାରୁ କିମ୍ବା ଆନ୍ତଃରାଜ୍ୟ ଧାନ ବିକ୍ରି ରୋକିବା ପାଇଁ ଆରକ୍ଷୀ ଅଧିକ୍ଷକ ପଦକ୍ଷେପ ଗ୍ରହଣ କରିବେ। ଧାନର ମାନ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ପାଇଁ ପଞ୍ଚାୟତ ସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଜିଲ୍ଲାରେ ୫୦ ଟି ପ୍ୟାକସ୍ ର ଗୋଦାମ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଚାଷୀମାନେ ଯେପରି କଟନୀ ଛଟନୀ ଶିକାର ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବିଧାୟକ ଓ ବିଧାୟିକା ମାନେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥଲେ। ଚଳିତ ବର୍ଷ ଜିଲ୍ଲାରେ ଚାଷୀ ମାନଙ୍କଠାରୁ ୧୫ ଲକ୍ଷ ୭୫ ହଜାର କ୍ଵିଣ୍ଟାଲ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ରହିଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରକାଶ କରିଥିଲେ। ବରୀ ଓ ରସୁଲପୁର ବ୍ଲକରେ ଚାଷୀ ପଞ୍ଜିକରଣ କମ ଥିବାରୁ ସେଥିପ୍ରତି ଧ୍ୟାନ ଦେବାକୁ ବିଧାୟକ/ବିଧାୟିକା ମାନେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଫ୍.ଏ.କ୍ୟୁୁ ଧାନରେ କଟନୀ ଛଟନୀ ହେଲେ କର୍ମଚାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ। ଏହି ବୈଠକରେ ଜିଲ୍ଲା ଧାନ ସଂଗ୍ରହ କମିଟିର ସଦସ୍ୟ, ଚାଷୀ ପ୍ରତିନିଧି, ମିଲର, ଯୋଗାଣ ଓ ସମବାୟ ବିଭାଗର କର୍ମକର୍ତ୍ତା ପ୍ୟାକସ୍ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲାପାଳ ଚଳିତ ବର୍ଷ ଯାଜପୁର ଜିଲ୍ଲାରେ କିଭଳି ସହଜରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking