ଭୁବନେଶ୍ୱର: ପିଲାମାନେ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢ଼ିନାହାନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ମିଶ୍ରଣ କରାଯିବ । ଫଳରେ ପିଲାମାନେ ପଛେଇ ଯିବେନାହିଁ । ଦଶମ ଏବଂ ଦ୍ୱାଦଶ ପରୀକ୍ଷା ନେଇ ସମୀକ୍ଷା କରାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ ଷ୍ଟେକ୍ ହୋଲ୍ଡରଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଦୁଇ ବୋର୍ଡର ରିପୋର୍ଟ ଆଧାରରେ ପରୀକ୍ଷା ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ରାଜ୍ୟରେ ସ୍କୁଲ ଖୋଲିବା ଏବଂ ଦଶମ, +୨ ପରୀକ୍ଷା ସମ୍ପର୍କରେ ଆଜି ମନ୍ତ୍ରୀ କହିଛନ୍ତି ଯେ ଦୁଇବର୍ଷ ପରେ ଆସନ୍ତାକାଲି ଠାରୁ ପ୍ରାଥମିକ ସ୍କୁଲରେ ପାଠପଢ଼ା ସ୍କୁଲରେ ହେବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍କୁଲ ଖୋଲିବା ନେଇ ଗତ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ନିଆଯାଇଥିଲା । ଜିଲ୍ଲା ଓ ବ୍ଲକ୍ ଶିକ୍ଷା ଅଧିକାରୀମାନେ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ନିର୍ବାଚନ ହୋଇଥିବାରୁ ସ୍କୁଲ କ୍ୟାମ୍ପସକୁ ବିଶୋଧନ କରାଯାଇଛି । ପିଲାଙ୍କ ଉପସ୍ଥାନ ଯେପରି ବଢ଼ିବ ସେଥିପାଇଁ ଅଭିଭାବକଙ୍କ ସହ ବୈଠକ କରାଯାଇଛି । ପିଲାଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ରହିବ । ଅପରପକ୍ଷେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାପ୍ରତି ସରକାର ଅଧିକ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି ।