ନୂଆଦିଲ୍ଲୀ : ବ୍ରାଜିଲ୍ରେ ଚାଲିଥିବା ୨୪ତମ ଡିଫିଲିମ୍ପିକ୍ସରେ ଭାରତୀୟ ଶୁଟର୍ ଅଭିନବ ଦେଶୱାଲ୍ ପୁରୁଷ ୧୦ ମିଟର ଏୟାର୍ ପିସ୍ତଲ ଇଭେଣ୍ଟ୍ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ଟୁର୍ଣ୍ଣାମେଣ୍ଟ୍ର ଶୁଟିଂ ଇଭେଣ୍ଟ୍ରେ ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ଫାଇନାଲ୍ରେ ୨୩୪.୨ ପଏଣ୍ଟ ସହ ଉତ୍ତରାଖଣ୍ଡର ୧୫ ବର୍ଷୀୟ ଅଭିନବ ୟୁକ୍ରେନ୍ର ଓଲେକ୍ସି ଲାଜେବ୍ନିକ୍ଙ୍କ ସହ ସମକକ୍ଷ ହୋଇଥିଲେ । ପରେ ଅନୁଷ୍ଠିତ ଶୁଟ୍ଅଫ୍ରେ ୧୦.୩ ଶଟ୍ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଓଲେକ୍ସି ୯.୭ ପଏଣ୍ଟ୍ ସହ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ଚୀନା ତାଇପେଇର ହୁସୁ ମିଙ୍ଗ୍-ଜୁଇ ଏହି ଇଭେଣ୍ଟ୍ର ବ୍ରୋଞ୍ଜ୍ ପଦକ ଜିତିଛନ୍ତି ।
କ୍ୱାଲିଫିକେସନ୍ ରାଉଣ୍ଡ୍ରେ ୬୦୦ରୁ ୫୭୫ ପଏଣ୍ଟ ସ୍କୋର୍ କରି ଦ୍ୱିତୀୟ ସ୍ଥାନରେ ରହିିଥିଲେ । କ୍ୱାଲିଫିକେସନ୍ ରାଉଣ୍ଡ୍ରେ ମଧ୍ୟ ସେ କୋରିଆର କିମ୍ କିହ୍ୟେସନ୍ଙ୍କ ସମାନ ସ୍କୋର୍ କରିଥିଲେ । ମାତ୍ର ଅଧିକ ୧୦ ଶଟ୍ ସହ କୋରିଆ ଶୁଟର୍ ଶୀର୍ଷ ସ୍ଥାନ ହାସଲ କରିଥିଲେ। ଅନ୍ୟତମ ଭାରତୀୟ ଶୁଭମ୍ ବିଶିଷ୍ଟ ଏହି ଇଭେଣ୍ଟ୍ର ଫାଇନାଲ୍ରେ ପ୍ରବେଶ କରିଥିଲେ ମଧ୍ୟ ଷଷ୍ଠ ସ୍ଥାନରେ ରହିଥିଲେ । ଟୁର୍ଣ୍ଣାମେଣ୍ଟ୍ର ଶୁଟିଂରେ ଭାରତ ବର୍ତ୍ତମାନ ସୁଦ୍ଧା ଦୁଇଟି ସ୍ୱର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ୍ ସହ ମୋଟ ୪ଟି ପଦକ ହାସଲ କରିଛି । ପୂର୍ବରୁ ଧନୁଷ ଶ୍ରୀକାନ୍ତ ପୁରୁଷ ୧୦ ମିଟର ଏୟାର୍ ରାଇଫଲ୍ରେ ସ୍ୱର୍ଣ୍ଣ ଜିତିଥିବା ବେଳେ ସୌର୍ଯ୍ୟ ସାଇନି ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ । ଗୁରୁବାର ବେଦିକା ଶର୍ମା ମହିଳା ୧୦ମି. ଏୟାର୍ ପିସ୍ତଲରେ ବ୍ରୋଞ୍ଜ୍ ପଦକ ଜିତିଥିଲେ । ଟୁର୍ଣ୍ଣାମେଣ୍ଟ୍ରେ ଭାରତର ୧୦ ଜଣ ଶୁଟର୍ ଭାଗ ନେଇଛନ୍ତି ।