ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଲକର ପାହାଡ ପର୍ବତ ମଧ୍ୟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠରେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ମହାଶିବରାତ୍ରୀ ପାଳନ କରାଯିବ । ଦେବୋତର ବିଭାଗର ତତ୍ୱାବଧାନରେ ସେବାୟତମାନେ ମହାଶିବରାତ୍ରି ପାଳନ ନିମନ୍ତେ ପ୍ରସ୍ତୁତି ଜାରି ରହିଛି ।
ଦେବୋତର ବିଭାଗର ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଏହି ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଛନ୍ତି । ଚନ୍ଦ୍ରଶେଖର ଜୀଉ ମହାପ୍ରଭୁ ପୁଜା ପାଉଥିବା ବଡଦେଉଳ, ମା ପାର୍ବତୀ ମନ୍ଦିର ଓ ସିଂହଦ୍ୱାର ମୁଖଶାଳାରେ ରଙ୍ଗଲେପନ କାର୍ଯ୍ୟ ଶେଷ ହୋଇଯାଇଛି। ସେହିପରି ଭାବେ ବିଶ୍ୱନାଥ ମନ୍ଦିର, ନାରାୟଣ ମନ୍ଦିର ସମେତ ପାଶ୍ୱର୍ ମନ୍ଦିରରେ ମଧ୍ୟ ରଙ୍ଗ କାର୍ଯ୍ୟ ସରିଗଲାଣି । ପୀଠକୁ ଅଧିକ ଆଲୋକିକରଣ କରିବା ନିମନ୍ତେ ଦେବୋତର ବିଭାଗ ତରଫରୁ ବାରବାଙ୍କ ରାସ୍ତାରେ ୧୦ ଟି , ମନ୍ଦିର ପାଖରେ ୨ଟି ଓ ପାହାଚରେ ୪ ଟି ଜେନେରଟର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ କରୋନା କଟକଣା ମଧ୍ୟରେ ଦର୍ଶନ କରିବା ନିମନ୍ତେ ମୁଖଶାଳା ଠାରୁ ବାରିକେଡ କରାଯାଇଛି । ମନ୍ଦିର ପରିସର ସଫାସୁତରା କରାଯାଇଛି ।
ଚଳିତ ବର୍ଷ ଜିଲ୍ଲା ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କୁ ମନ୍ଦିର ଦର୍ଶନ ନିମନ୍ତେ ବାରଣ କରାଯାଇଛି । ଜିଲ୍ଲାର ଭକ୍ତମାନେ ୭ ଦିନ ଭିତରର କୋଭିଡ ରିପୋର୍ଟ ଦେଖାଇ ମନ୍ଦିର ଭିତରେ ପ୍ରବେଶ କରିପାରିବେ । ସମସ୍ତ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷା କରିବା ସହିତ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା ପରାମର୍ଶ ଦେଇଛନ୍ତି ।