ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ କଥା କଟା କଟି ହୋଇଛି । ଅଧ୍ୟକ୍ଷଙ୍କ ବିରୋଧରେ ବିରୋଧୀଦଳଗୁଡ଼ିକ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦିଆଯାଇଥିବା ନୋଟିସ ପସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ହୋଇଛି। ଧନଖଡ଼ କହିଥିଲେ ଯେ ସେ ଜଣେ କୃଷକଙ୍କ ପୁଅ। ବିରୋଧୀ ଦଳଙ୍କ ଅନାସ୍ଥା ପ୍ରସ୍ତାବରେ ସେ ଦବିଯିବେ ନାହିଁ। ବିରୋଧୀ ଦଳ ନିକଟରେ ଅନାସ୍ଥା ପ୍ରସ୍ତାବ ଆଣିବା ଅଧିକାର ରହିଛି। କିନ୍ତୁ ସେମାନେ ସମ୍ବିଧାନକୁ ଅପମାନିତ କରୁଛନ୍ତି ବୋଲି ଧନଖଡ଼ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ବିରୋଧୀ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦେବା ପରେ ବିଜେପି ଏହାକୁ ସମାଲୋଚନା କରିଛି। ଅନ୍ୟପକ୍ଷରେ ଖଡ଼ଗେ କହିଛନ୍ତି ଆପଣ ଅନ୍ୟ ଦଳର ସଦସ୍ୟମାନଙ୍କ ବିରୋଧରେ କହିବା ପାଇଁ ବିଜେପି ସଦସ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି। ଆପଣଙ୍କ ଅପେକ୍ଷା ମୁଁ ଅଧିକ ଆହ୍ବାନର ସମ୍ମୁଖୀନ ହୋଇଛି। ଆପଣ ଆମ ଦଳର ନେତାମାନଙ୍କୁ ଏବଂ କଂଗ୍ରେସ ଦଳକୁ ଅପମାନିତ କରୁଛନ୍ତି।