33.1 C
Bhubaneswar
Saturday, October 5, 2024
Homeଓଡିଶାଧାମନଗର ଉପନିର୍ବାଚନ : କାହା ଭୋଟ୍ ହାତେଇବେ ରାଜେନ୍ଦ୍ର?

ଧାମନଗର ଉପନିର୍ବାଚନ : କାହା ଭୋଟ୍ ହାତେଇବେ ରାଜେନ୍ଦ୍ର?

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ନେଇ ରାଜନୀତି ଉଷ୍ଣ । ବାଟଲ୍ ଫିଲ୍ଟରେ ମୁହାଁମୁହିଁ ସ୍ଥିତି । ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ କଥା କଟାକଟି ଓ ଟକରାଟକରି ତୀବ୍ର । ହେଲେ ସବୁ ହିସାବ ବିଗାଡ଼ି ଦେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । କାହା ଭୋଟ୍ ସେ ହାତେଇବେ ତା’କୁ ନେଇ ସବୁମହଲରେ ଉଠିଛି ପ୍ରଶ୍ନ । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ସଂରକ୍ଷିତ ବିଧାନସଭା କ୍ଷେତ୍ରଟି ୧୯୫୧ରେ ସୃଷ୍ଟିହୋଇଥିଲା । ଏହି ନିର୍ବାଚନମଣ୍ଡଳୀରେ ସମ୍ପୂର୍ଣ୍ଣରୂପେ ଧାମନଗର ବ୍ଲକ୍ ଓ ତିହିଡ଼ି ବ୍ଳକ୍‌ର କିଛି ଅଞ୍ଚଳ ରହିଛି । ୧୯୫୧ରୁ ୨୦୧୯ ମଧ୍ୟରେ ଉକ୍ତ ଆସନକୁ ସର୍ବାଧିକ ୯ ଥର କଂଗ୍ରେସ ଅକ୍ତିଆର କରିଥିଲା । ସେହିଅନୁସାରେ ବିଜେପି ୨ ଥର ଓ ଜନତା ଦଳ, ଜନତା ପାର୍ଟି ଓ ବିଜେଡିର ପ୍ରାର୍ଥୀ ବାକି ସମୟ ବିଜୟୀ ହୋଇଛନ୍ତି । ହେଲେ ୨୦୧୯ରେ ବିଧାୟକ ଭାବେ ବିଜୟୀ ହୋଇଥିବା ବିଜେପିର ବରିଷ୍ଠ ନେତା ବିଷ୍ଣୁ ବାବୁଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନ ହେଉଛି। ତେଣୁ ସବୁ ପ୍ରମୁଖଦଳ କମର କସିଦେଇଛନ୍ତି । ବିଜେଡି ଟିକେଟ୍ ଆଶାୟୀ ରାଜେନ୍ଦ୍ର କୁମାର ଦାସ ଟିକେଟ୍ ନପାଇବାରୁ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଭରିଥିଲେ । ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିବସରେ ସେ ନାମାଙ୍କନ ପ୍ରତ୍ୟାହାର କରିନେବେ ବୋଲି ଦଳର ସମସ୍ତ ଛାମୁଆଁ ନେତା ଭାବିଥିଲେ । ହେଲେ ତାହା ହେଲାନାହିଁ ।

ରାଜେନ୍ଦ୍ର ନିଜ ଜିଦ୍‌ରେ ରହିବାରୁ ସମସ୍ୟା ଉପୁଜିଛି । ଫଳରେ ମୋଟ୍ ୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ମୈଦାନରେ ୫ ଯୋଦ୍ଧା ରହିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ଛାଡ଼ି ଆଉ ଦୁଇ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ରହିଛନ୍ତି । ବିଜୁ ଜନତାଦଳର ଅବନ୍ତୀ ଦାସ, ଭାରତୀୟ ଜାତୀୟ କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ଭାରତୀୟ ଜନତା ପାର୍ଟିର ସୂର୍ଯ୍ୟବଂଶୀ ସୂରଜ୍‌, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ତିନି ପ୍ରମୁଖଦଳ ପ୍ରାର୍ଥୀଙ୍କର ନିଜର ଦଳୀୟ ଚିହ୍ନ ଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ନିର୍ବାଚନୀ ଚିହ୍ନ ହେଉଛି ‘ଭାସମାନ ଡଙ୍ଗା’ ଓ ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ପବିତ୍ରମୋହନ ଦାସଙ୍କ ନିର୍ବାଚନୀ ଚିହ୍ନ ‘ଶୀତତାପ ନିୟନ୍ତ୍ରିତ ଯନ୍ତ୍ର’ ମିଳିଛି । ନୂଆ ଚିହ୍ନ ନେଇ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଲଢ଼ୁଥିଲେ ହେଁ ସେ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

୨୦୧୯ ନିର୍ବାଚନରେ ସେ ଜିତୁ ଜିତୁ ହାରି ଯାଇଥିଲେ । ରାଜେନ୍ଦ୍ର ବିଜେଡି ଟିକେଟରୁ ଲଢ଼ି ବିଜେପିି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀଙ୍କ ଠାରୁ ମାତ୍ର ୪,୯୪୪ ଅଧିକ ଭୋଟ୍ ପାଇ ପରାଜିତ ହୋଇଥିଲେ । ଏବେ ବି ସେ ଲୋକପ୍ରିୟ ନେତା ବୋଲି ନିଜକୁ ଗଣନା କରୁଛନ୍ତି । ଧାମନଗର ଲୋକେ ଚାହିଁବାରୁ ସେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ୨୦୧୯ ଓ ୨୦୨୨ ନିର୍ବାଚନ ମଧ୍ୟରେ ଏତିକି ଫରକ ଯେ ସେ ପୂର୍ବରୁ ଶାସକ ଦଳର ଛତା ତଳେ ଥିଲେ, ଏଥର ସେ ଏକୁଟିଆ । ତେଣୁ ଭୋଟ୍ ହାର କମିବ । ତେବେ ସେ କେଉଁ ଦଳର ଭୋଟ୍ ହାତେଇବେ? ଏହା ତର୍ଜମାର ବିଷୟ ହେଲେ ହେଁ ଶାସକ ଦଳର ଭୋଟ୍ ବିଭାଜନରେ ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଧାମନଗର ଲଢ଼େଇ ରୋଚକ ହେବା ନିଶ୍ଚିତ । ତେବେ ଆଗକୁ କ’ଣ ହେବ ତାହା ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ସମୀକ୍ଷକମହଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking