30.1 C
Bhubaneswar
Saturday, October 5, 2024
Homeଓଡିଶାଧାମନଗର ଉପନିର୍ବାଚନ: ଅଭିଯୋଗ ପାଇଁ ସି-ଭିଜିଲ୍ ମୋବାଇଲ୍ ଆପ୍

ଧାମନଗର ଉପନିର୍ବାଚନ: ଅଭିଯୋଗ ପାଇଁ ସି-ଭିଜିଲ୍ ମୋବାଇଲ୍ ଆପ୍

ଭୋଟର୍‌ଙ୍କୁ ଧମକ, ଲାଞ୍ଚ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଭୋଟର୍‌କୁ ଲାଞ୍ଚ ଦେବା ଓ ଭୋଟ୍ ପାଇଁ ଧମକାଇବା ବଡ଼ ଅପରାଧ । ଧାମନଗର ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ସତ୍ତ୍ୱେ ରାଜନୈତିକ ଦଳଙ୍କ ବିରୋଧରେ ଆସିଛି ଏଭଳି ଅନେକ ଅଭିଯୋଗ । ସେଥିପାଇଁ ଭାରତୀୟ ନିର୍ବାଚନ ଆୟୋଗ କଠୋର ହୋଇଛନ୍ତି । ସାଧାରଣ ଲୋକଙ୍କ ଅଭିଯୋଗ ପାଇଁ ‘ସି. ଭିଜିଲ ଆପ୍‌’ ପ୍ରଚଳନ ହୋଇଛି । ଅଭିଯୋଗ ସତ୍ୟ ହୋଇଥିଲେ ସେମାନଙ୍କ ବିରୋଧରେ ଧାରା ୧୭୧(ଖ), ୧୭୧(ଗ), ୧୭୧(ଙ) ଏବଂ ୧୭୧(ଚ) ଏବଂ ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩(୧) ଏବଂ ୧୨୩(୨) ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେଇକ୍ରମରେ ବର୍ତ୍ତମାନ ସୁଦ୍ଧା ୧୦୨ଟି ଅଭିଯୋଗ ଭିତ୍ତିରେ ୨୧୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି ।

ମଙ୍ଗଳବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଶ୍ରୀ ଲୋହାନୀ କହିଛନ୍ତି ଯେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳିରେ ଗତ ୩ରୁ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ଆଦର୍ଶ ଆଚରଣବିଧି ହେଉଛି ଏକ ନିର୍ଦ୍ଦେଶିତ ନିୟମ, ଯାହାକି ନିର୍ବାଚନ ସମୟରେ ପାଳନ ହୋଇଥାଏ । ନିର୍ବାଚନ ମଣ୍ଡଳି ମଧ୍ୟରେ ଥିବା ସମସ୍ତ ସରକାରୀ କର୍ମଚାରୀମାନେ ମଧ୍ୟ ଏହି ଆଦର୍ଶ ଆଚରଣବିଧିକୁ ମାନିବାକୁ ବାଧ୍ୟ । ବର୍ତ୍ତମାନ ଧାମନଗରରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ପ୍ରଚାର କାର୍ଯ୍ୟ ଖୁବ୍‌ଜୋରରେ ଚାଲୁଅଛି । ଏହା ମଧ୍ୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣବିଧିର ଉଲ୍ଲଂଘନ ହେଉଥିବା ନେଇ ଅନେକଗୁଡ଼ିଏ ଅଭିଯୋଗ ଆମ ପାଖକୁ ଆସିଛି । ସେମାନଙ୍କ ବିରୋଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ନିର୍ବାଚନ ଆୟୋଗ ସି-ଭିଜିଲ୍ ନାମକ ଏକ ମୋବାଇଲ୍ ଆପ୍ ଜାଗ୍ରତ ନାଗରିକଙ୍କ ପାଇଁ ପ୍ରଚଳନ କରିଛନ୍ତି । ନିର୍ବାଚନବେଳେ ଯଦି କୌଣସି ପ୍ରକାରର ବେଆଇନ୍ କାମ ଯଥା ଭୋଟର୍‌ଙ୍କୁ ଟଙ୍କା ବାଣ୍ଟିବା ବା ଧମକ୍‌ଚମକ ଦେଇ ଭୋଟ୍ ଦେବା ପାଇଁ ବାଧ୍ୟ କରିବା ଇତ୍ୟାଦି କାର୍ଯ୍ୟ ହେଉଥାଏ ତା’ହେଲେ ଜାଗ୍ରତ ନାଗରିକମାନେ ନିଜ ମୋବାଇଲ୍ ମାଧ୍ୟମରେ ଭିଡ଼ିଓ ଚିତ୍ର ଉତ୍ତୋଳନ କରି ସଂପୃକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇଲେ ୧୦୦ ମିନିଟ୍ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲା ପ୍ରଶାସନ ତରଫରୁ ବିଧାନସଭା ନିର୍ବାଚନ ମଣ୍ଡଳି ସହ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣବିଧିର କଡ଼ାକଡ଼ି ପାଳନ ନିମନ୍ତେ ସବୁ ପ୍ରକାରର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ସହ ଏନ୍‌ଫୋର୍ସମେଣ୍ଟ ଟିମ୍ କାର୍ଯ୍ୟକରୁଛନ୍ତି ।

ସିଇଓ ଶ୍ରୀ ଲୋହାନୀ କହିଥିଲେ, ଉପନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଆଦର୍ଶ ଆଚରଣବିଧିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ । ଏହାର ବ୍ୟତିକ୍ରମ ହେଲେ ନିଶ୍ଚିତ ଭାବେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉପନିର୍ବାଚନ ପରିପ୍ରେକ୍ଷୀରେ ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସେବିଷୟରେ ବିସ୍ତୃତଭାବେ ଆଲୋଚନା ହୋଇଛି । ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ଗାଡ଼ିର ଅପବ୍ୟବହାର, ଡାକବାଜି ଯନ୍ତ୍ର ବ୍ୟବହାର ଆଇନର ଉଲ୍ଲଂଘନ କରିବା, ବେଆଇନ ଭାବେ ସଭାସମିତି କରିବା, ଭୋଟର୍‌ଙ୍କୁ ଟଙ୍କା ଦେଇ ନିଜ ସପକ୍ଷରେ ଭୋଟଦେବା ପାଇଁ ପ୍ରବର୍ତ୍ତାଇବା ଇତ୍ୟାଦି ବାବଦରେ ଦୁଇଜଣଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍ ଦରଜ କରାଯାଇଛି ।

ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରି ଜନସାଧାରଣ ଓ ବ୍ୟକ୍ତିଗତ କୋଠାବାଡ଼ିଗୁଡ଼ିକୁ ବିକୃତ କରି ନିର୍ବାଚନ ପ୍ରଚାର (ପେଣ୍ଟିଂ) କରିବା ଅଭିଯୋଗରେ ୧୬୧୪ଟି କେସ୍ ଜିଲ୍ଲା ପ୍ରଶାସନ ନଜରକୁ ଆସିଛି । ସେହିପରି ଜନସାଧାରଣ ଓ ବ୍ୟକ୍ତିଗତ ସଂପତ୍ତି ଯଥା କୋଠାବାଡ଼ିଗୁଡ଼ିକରେ ପୋଷ୍ଟର୍ ବ୍ୟାନର, କାନ୍ଥରେ ଲେଖିବା ଆଦି ଅଭିଯୋଗରେ ୨୦୦୬ଟି କେସ୍ ଧରା ପଡ଼ିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜିଲ୍ଲା ପୁଲିସ୍ ପ୍ରଶାସନ ଦ୍ୱାରା ଚଢ଼ଉ କରାଯାଇ ୬୩୯ଟି ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ସିଆର୍‌ପିସି ଧାରା ୧୦୭ ଓ ୧୧୬ ଅନୁସାରେ ୨୦୧୧ ଜଣଙ୍କୁ ଅଟକ ରଖାଯାଇଛି ଓ ୧୯୬ ଜଣଙ୍କ ବିରୁଦ୍ଧରେ ଜାମିନ୍‌ବିହୀନ ପରୱାନା ଜାରି କରାଯାଇଛି । ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ଜିଲ୍ଲା ପୋଲିସ୍ ଏବଂ ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ାଉ କରି ୧୯୭ଟି କେସ୍ ରୁଜୁ କରିବା ସହ ୨୧୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ଲୋହାନୀ ସ୍ପଷ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking