27.1 C
Bhubaneswar
Friday, June 28, 2024
Homeଓଡିଶାଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ

ପୁରୀ : ଆଜି ପୁଣି ଥରେ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ। ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ କଲେ ସେବାୟତ। ସେବାରୁ ନିବୃତ ଥିବା ଜଣେ ସିଂହାରୀ ସେବାୟତ ଆଜି ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ତେଣୁ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଗଲା ପରେ ଯାଇ ଅନ୍ୟାନ୍ୟ ନୀତି ବଢ଼ିବ ବୋଲି ଅନ୍ୟ ସେବାୟତ ମାନେ ଜିଦ୍ ଧରି ବସିଥିଲେ। ନୀତିକାନ୍ତିରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିରରେ ସେବାୟତଙ୍କ ସହ ନୀତି ପ୍ରଶାସକଙ୍କ ଆଲୋଚନା ହୋଇଥିଲା।

ପରେ ବିବାଦର ସମାଧାନ କରିବାକୁ ଶ୍ରୀମନ୍ଦିର ଭିତରକୁ ଗଲେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍। ଶୀଘ୍ର ବିବାଦର  ସମାଧାନ କରି ନୀତି ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରାଯିବ ବୋଲି କହିଲେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍। ତଥା ସେବାରୁ ନିବୃତ ହୋଇ ମଙ୍ଗଳ ଆଳତୀ ନୀତି କରିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ସ୍ବାଭାବିକ ହୋଇଥିଲା ମହାପ୍ରଭୁଙ୍କ ନୀତିକାନ୍ତି। ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା। ଦୀର୍ଘ ୫ ରୁ ୬ ଘଣ୍ଟା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଏହା ପରେ ତଡପଲାଗି, ଅବକାଶ ଓ ସୂର୍ଯ୍ୟପୂଜା ଇତ୍ୟାଦି ନୀତିକାନ୍ତି ଆଗେଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ନିଯୋଗ ସହ ଆଲୋଚନା କରି ବିବାଦର ସମାଧାନ କରିବା ପରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ। ଦୀର୍ଘ ୫ ରୁ ୬ ଘଣ୍ଟା ପରେ ହେଲା  ମହାସ୍ନାନ ନୀତି। ତେବେ ବିବାଦର ସମାଧାନ ହୋଇଥିବା ସୂଚନା ମିଳିଥିଲା। ମହାସ୍ନାନ ପରେ ତଡପଲାଗି, ଅବକାଶ, ସୂର୍ଯ୍ୟପୂଜା ଇତ୍ୟାଦି ନୀତିକାନ୍ତି ଆଗେଇ ଚାଲିଥିଲା। ତେବେ ଘଟଣାରେ ସମ୍ପୃକ୍ତ ସିଂହାରୀ ସେବକଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ କିଛି ସୂଚନା ମିଳିନାହିଁ। ଘଟଣା ସମ୍ପର୍କରେ ସିଂହାରୀ ନିଯୋଗ ତରଫରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ଦୀର୍ଘ ୫ ରୁ ୬ ଘଣ୍ଟା ସମୟ ପରେ ଆରମ୍ଭ ହେଲା ପରବର୍ତ୍ତୀ ନୀତିକାନ୍ତି।

ନୀତିକାନ୍ତି ବିଳମ୍ବ ନେଇ ପ୍ରତିକ୍ରିୟା ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍ କହିଥିଲେ ଆଲୋଚନା ମାଧ୍ୟମରେ ସମାଧାନ ହୋଇଛି। ଆଗାମୀ ଦିନରେ ବିଭିନ୍ନ ନିଯୋଗ ସହ ଆଲୋଚୋନା ପରେ ଯାହା କିଛି ପଦକ୍ଷେପ ନିଆଯିବ। ତେବେ ଗର୍ଭଗୃହରେ ପ୍ରବେଶ ନେଇ ସ୍ଵତନ୍ତ୍ର ଏସଓପି କରାଯିବ। ନୀତିକାନ୍ତି ବିଳମ୍ବରେ ସମ୍ପୃକ୍ତ ସମସ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମିଳିଥିବା ସୂଚନା ମୁତାବକ, ସିଂହାରୀ ସେବାୟତ ସଂଖମିତ୍ର ସିଂହାରୀଙ୍କୁ ନେଇ ବିବାଦ ଉପୁଜିଥିଲା। ସିଂହାରୀ ସେବାୟତ ଅଜାତିରେ ବିବାହ କରିଥିଲେ। ଫଳରେ ସେବାୟତ ସଂପ୍ରଦାୟର ବିଧି ବ୍ୟବସ୍ଥା ଅନୁସାରେ ତାଙ୍କୁ ମହାପ୍ରଭୁଙ୍କ ନୀତି କରିବାକୁ ବାରଣ କରାଯାଇଥିଲା। ମାତ୍ର ଆଜି ସଂପୃକ୍ତ ସିଂହାରୀ ସେବକଙ୍କ ଭାଇ ମାନଙ୍କର ପାଳି ଥିଲା। ଭାଇଙ୍କ ପାଳିରେ ସଂପୃକ୍ତ ସେବକ ସକାଳୁ ମଙ୍ଗଳ ଆଳତୀ ଠାରୁ ମଇଲମ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କରିଥିଲେ। ଯେହେତୁ ଭିନ୍ନ ଜାତିରେ ବିବାହ କରିବା ହେତୁ ନୀତି ପାଇଁ ବାରଣ କରାଯାଇଛି ସେ କିଭଳି ମହାପ୍ରଭୁଙ୍କ ନୀତି କଲେ ବୋଲି ପୂଜାପଣ୍ଡା ସେବାୟତ ମାନେ ପ୍ରତିବାଦ କରିଥିଲେ।

ଅନ୍ୟପଟେ ସିଂହାରୀ ସେବାୟତ ଶଙ୍ଖମିତ୍ର ସିଂହାରୀ କହିଥିଲେ ଯେ, ନିଯୋଗ କି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ କୌଣସି ନୋଟିସ୍ ହୋଇନାହିଁ କି ସେବାରୁ କେବେ ନିଲମ୍ବିତ କରାଯାଇ ନାହିଁ। ତେଣୁ ତାଙ୍କ ନାଁରେ ଚାଲିଥିବା ଚର୍ଚ୍ଚା ଗୁଜବ। ତଥା ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାନୁଷ୍ଠାନ ନେବା ପ୍ରତିକ୍ରିୟା ଉପରେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଶଙ୍ଖମିତ୍ର। ଏନେଇ ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିବେ ବୋଲି ଶଙ୍ଖମିତ୍ର ସିଂହାରୀ ପ୍ରକାଶ କରିଥିଲେ। ସେହିପରି ମହାପ୍ରଭୁଙ୍କ ନୀତି ବିଭ୍ରାଟକୁ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କଲେ ପୂର୍ବତନ ପରିଚାଳନା କମିଟିର ସଦସ୍ୟ ଦାମୋଦର ମହାସୁଆର। ସେ କହିଥିଲେ ଯେ, ଏହି ବିଭ୍ରାଟର ମୂଳ କାରଣ ହେଉଛନ୍ତି ମନ୍ଦିର କମାଣ୍ଡାଣ୍ଟ। ସେ ତ ପୂର୍ବରୁ ଏ ବିଷୟରେ ଅବଗତ ଥିଲେ ତେବେ କିଭଳି ସିଂହାରୀ ସେବାୟତଙ୍କୁ ରତ୍ନ ସିଂହାସନ ଉପରକୁ ଚଢ଼ିବାକୁ ଦେଲେ ଓ ନୀତି କରିବାକୁ ଦେଲେ। ତେବେ ଏନେଇ ପ୍ରଶାସନ ଏହି ନୀତି ବିଭ୍ରାଟରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଥିଲେ।

ସେପଟେ ଆଜି ସପ୍ତପୁରୀ ଅମାବାସ୍ୟା ଓ ଅମାବାସ୍ୟା ନାରାୟଣଙ୍କ ସାଗରବିଜେ ସହ ବସ୍ତ୍ରହରଣ ନୀତି ରହିଛି। ପ୍ରଥମରୁ ନୀତି ବିଳମ୍ବ ଯୋଗୁ ଏହି ସବୁ ନୀତିରେ ମଧ୍ୟ ବିଳମ୍ବ ପରିଲକ୍ଷିତ ହେଉଛି। ଏଥି ସହ ମହାପ୍ରଭୁଙ୍କ ନୀତି ବିଶୃଙ୍ଖଳା ଯୋଗୁଁ ସୁଆର ମହାସୁଆର ନିଯୋଗ ମଧ୍ୟ ବ୍ୟାପକ କ୍ଷତି ସହିଥିବା ଅଭିଯୋଗ କରିଛି। ନୀତି ବିଶୃଙ୍ଖଳା ପାଇଁ ଭୋଗ ପ୍ରସ୍ତୁତି ହୋଇ ପାରିନାହିଁ। ସବୁ ବରାଦି ଭୋଗ ଅର୍ଡର ବାତିଲ କରାଯାଇଛି। ଏଥି ପାଇଁ ୬ଲକ୍ଷ ୩୨ହଜାର ୫ଶହ ଟଙ୍କା କ୍ଷତି ହୋଇଛି। ଏଣୁ ସୁଆର ମହାସୁଆର ସଦସ୍ୟ ମାନଙ୍କୁ ଉପରୋକ୍ତ କ୍ଷତିପୂରଣ ଦେବାକୁ ଏକ ଚିଠିରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛି ସୁଆର ମହାସୁଆର ନିଯୋଗ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking